Home Featuredରାଜ୍ୟ କାର୍ଯ୍ୟକାରିଣୀ ପରେ ଦିଲ୍ଲୀ ଗସ୍ତରେ ମନମୋହନ ସାମଲ

ରାଜ୍ୟ କାର୍ଯ୍ୟକାରିଣୀ ପରେ ଦିଲ୍ଲୀ ଗସ୍ତରେ ମନମୋହନ ସାମଲ

by Sunita Jena
0 comments

କଟକରେ ଦୁଇଦିନିଆ ବିଜେପି ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି। ସୂଚନା ଅନୁସାରେ, ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟ ବିଜେପିର ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇପାରେ। ଏହା ସହ ଆଗାମୀ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ଏବଂ ସାଂଗଠନିକ ରଣନୀତି ଉପରେ ମଧ୍ୟ ଆଲୋଚନା ହେବା ନେଇ ଚର୍ଚ୍ଚା ରହିଛି।

ଅନ୍ୟପକ୍ଷରେ, ରାଜ୍ୟର ବିଭିନ୍ନ ନିଗମର ଅଧ୍ୟକ୍ଷ ପଦ ପୂରଣ ପ୍ରସଙ୍ଗ ମଧ୍ୟ ଦିଲ୍ଲୀ ଆଲୋଚନାରେ ସ୍ଥାନ ପାଇପାରେ। ଏଥିସହ ଓଡ଼ିଶା ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବିଚାରବିମର୍ଶ ହେବାର ସମ୍ଭାବନା ନେଇ ରାଜନୈତିକ ମହଲରେ ଆଲୋଚନା ଚାଲିଛି। କଟକ ଜବାହରଲାଲ ନେହରୁ ଇନ୍‌ଡୋର୍‌ ଷ୍ଟାଡିୟମରେ ଅନୁଷ୍ଠିତ ବୈଠକରେ ବିଜେପିର ରାଜ୍ୟ ଓ ଜାତୀୟ ନେତାମାନେ ଯୋଗଦେଇ ଦଳର ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ। ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍‌. ସନ୍ତୋଷ କର୍ମୀମାନଙ୍କୁ ତୃଣମୂଳସ୍ତରରେ ଲୋକଙ୍କ ସହ ଅଧିକ ଯୋଡ଼ିହେବାକୁ ଆହ୍ୱାନ ଦେଇଥିଲେ। ଆଗାମୀ ସ୍ଥାନୀୟ ନିର୍ବାଚନରେ ଦଳକୁ ଅଧିକ ମଜବୁତ କରିବା ପାଇଁ ସଂଗଠନକୁ ସକ୍ରିୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପ ଓ ଯୋଜନା ସମ୍ପର୍କରେ ଦଳୀୟ ନେତାମାନଙ୍କୁ ଅବଗତ କରାଇଥିଲେ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଏକ ରାଜନୈତିକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିଲା। ଦେଶର ଅର୍ଥନୈତିକ ଅଭିବୃଦ୍ଧି, ସରକାରଙ୍କ ନୀତି ଓ ବିଭିନ୍ନ ଜାତୀୟ ପ୍ରସଙ୍ଗରେ ବିଜେପି ନିଜ ମତ ରଖିଥିଲା। ବିରୋଧୀ ଦଳମାନଙ୍କ ଆଭିମୁଖ୍ୟକୁ ନେଇ ମଧ୍ୟ ବୈଠକରେ ସମାଲୋଚନା କରାଯାଇଥିଲା।

ଏବେ ରାଜ୍ୟ କାର୍ଯ୍ୟକାରିଣୀ ପରେ ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତ ଆଗାମୀ ଦିନରେ ଓଡ଼ିଶା ବିଜେପିର ସାଂଗଠନିକ ଓ ପ୍ରଶାସନିକ ସ୍ତରରେ କେତେକ ନୂଆ ନିଷ୍ପତ୍ତିର ସଙ୍କେତ ଦେଉଛି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର।

You may also like

Leave a Comment