ମ୍ୟୁଲ୍ ଆକାଉଣ୍ଟରେ ଘୁରୁଥିଲା ଠକେଇ ଟଙ୍କା; ବିଦେଶୀ ରୁଟ୍ର WhatsApp Business ନମ୍ବରରେ ଚାଲୁଥିଲା ନିର୍ଦ୍ଦେଶ, ସାଇବର ନିବେଶ ଠକେଇରୁ ଆସିଥିବା ଲକ୍ଷାଧିକ ଟଙ୍କାକୁ ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଘୁରାଇ ନଗଦରେ ଉଠାଣ କରୁଥିବା ଏକ ସଂଗଠିତ ନେଟୱାର୍କକୁ ବଲାଙ୍ଗିର Cyber Crime & Economic Offences ପୋଲିସ ଧରିବାରେ ସଫଳ ହୋଇଛି। ₹୩୫ ଲକ୍ଷ ଠକେଇ ଅର୍ଥ ସହ ଜଡ଼ିତ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏହାର ଆନ୍ତଃରାଜ୍ୟ ଏବଂ ସମ୍ଭାବ୍ୟ ବିଦେଶୀ ଡିଜିଟାଲ୍ ସଂଯୋଗକୁ ନେଇ ତଦନ୍ତ ଜାରି ରହିଛି।
ପୋଲିସ ସୂଚନା ଅନୁଯାୟୀ, Balangir CC & EO PS Case No. 24/2026 ରେ ମାମଲା ରୁଜୁ କରାଯାଇଛି। Indian Cyber Crime Coordination Centre (I4C) ମାଧ୍ୟମରେ ₹୩୫ ଲକ୍ଷ ଠକେଇ ରାଶି ସମ୍ପର୍କିତ ଆର୍ଥିକ ଗତିବିଧି ଚିହ୍ନଟ ହେବା ପରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିଥିଲା।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପ୍ରକାଶ ଶର୍ମା, ସନି ବର୍ଭେ ଓରଫ୍ ‘ଜୋକର୍’, ପ୍ରସନ୍ନ କୁମାର ନାଗ ଏବଂ ଯୁବରାଜ ଦୀପ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, Samaleswari Enterprises, Maa Samaleswari Agro Enterprises ଏବଂ Maa Agro Enterprises ଭଳି ବ୍ୟବସାୟିକ ପ୍ରତିଷ୍ଠାନଙ୍କ ନାମରେ ଖୋଲା ଆକାଉଣ୍ଟଗୁଡ଼ିକୁ ଠକେଇ ଟଙ୍କା ଘୁରାଇବା ପାଇଁ ବ୍ୟବହାର କରାଯାଉଥିଲା।
ପୋଲିସର ଅଭିଯୋଗ ଅନୁଯାୟୀ, ନେଟୱାର୍କର ସଦସ୍ୟମାନେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟର କ୍ରେଡେନ୍ସିଆଲ୍ ସଂଗ୍ରହ କରି ସେଗୁଡ଼ିକୁ ‘ମ୍ୟୁଲ୍ ଆକାଉଣ୍ଟ’ ଭାବରେ ବ୍ୟବହାର କରୁଥିଲେ। ଠକେଇରୁ ଆସିଥିବା ଟଙ୍କାକୁ ଏକାଧିକ ଆକାଉଣ୍ଟ ମାଧ୍ୟମରେ ଘୁରାଇ ତାହାର ଉତ୍ସକୁ ଲୁଚାଇବାର ଚେଷ୍ଟା କରାଯାଉଥିଲା। ପରେ ଏହି ରାଶିକୁ ନଗଦରେ ଉଠାଇ ବିଭିନ୍ନ ହ୍ୟାଣ୍ଡଲରଙ୍କ ମାଧ୍ୟମରେ ଆଗକୁ ପହଞ୍ଚାଯାଉଥିଲା।
ତଦନ୍ତରେ ବିଦେଶୀ ରୁଟ୍ର WhatsApp Business virtual number ବ୍ୟବହାର ହେଉଥିବା ଦିଗଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ସାମ୍ନାକୁ ଆସିଛି। ଏହି ନମ୍ବର ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ସୂଚନା ଆଦାନପ୍ରଦାନ, ଫଣ୍ଡ ଟ୍ରାନ୍ସଫର୍ ଓ କ୍ୟାଶ୍ ୱିଥଡ୍ରଅଲ୍ ସମ୍ପର୍କିତ ନିର୍ଦ୍ଦେଶ ଦିଆଯାଉଥିବା ତଦନ୍ତକାରୀ ଦଳ ସନ୍ଦେହ କରୁଛି।
ଅଭିଯୁକ୍ତମାନଙ୍କ ନିକଟରୁ ମୋବାଇଲ୍ ଫୋନ୍, ଚେକ୍ବୁକ୍, ପାସ୍ବୁକ୍ ଏବଂ ଡେବିଟ୍ କାର୍ଡ ଜବତ କରାଯାଇଛି। ଏବେ ଏହି ଠକେଇ ଚକ୍ରର ଅନ୍ୟ ସଦସ୍ୟମାନେ କିଏ, ଆନ୍ତଃରାଜ୍ୟ ସଂଯୋଗ କେତେ ଗଭୀର, ଏବଂ ଠକେଇ ଟଙ୍କାର ଶେଷ ଲାଭାର୍ଥୀ କିଏ—ସେସବୁ ଦିଗରେ ପୋଲିସ ତଦନ୍ତ ଚାଲିଛି।
ନେଟୱାର୍କର ଆର୍ଥିକ ଚ୍ୟାନେଲ୍, ଡିଜିଟାଲ୍ ଇନ୍ଫ୍ରାଷ୍ଟ୍ରକ୍ଚର ଓ ଆନ୍ତଃରାଜ୍ୟ ଲିଙ୍କକୁ ସମ୍ପୂର୍ଣ୍ଣ ଚିହ୍ନଟ କରିବା ସହ ଠକେଇ ରାଶି ଉଦ୍ଧାର ଏବଂ ସମ୍ପୃକ୍ତ ସମସ୍ତଙ୍କୁ ଆଇନର ଆଉତାକୁ ଆଣିବା ପାଇଁ ଓଡ଼ିଶା ପୋଲିସ ତଦନ୍ତ ଜାରି ରଖିଛି।
