Home » Blog » ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି, ଫେରିଲା ଯାତାୟତ

୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି, ଫେରିଲା ଯାତାୟତ

by Sunita Jena
0 comments

କନ୍ଧମାଳ: ଦୀର୍ଘ ଦେଢ଼ ମାସର ଅପେକ୍ଷା ପରେ ପୁଣି ଚଳଚଞ୍ଚଳ ହୋଇଛି କଳିଙ୍ଗା ଘାଟି। ରାସ୍ତା ମରାମତି ଓ ସୁରକ୍ଷା ସମ୍ପର୍କିତ କାର୍ଯ୍ୟ ଶେଷ ହେବା ପରେ ଜିଲ୍ଲା ପ୍ରଶାସନ ଯାତାୟତ ପାଇଁ ରାସ୍ତା ଖୋଲି ଦେଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।

ଗତ ସେପ୍ଟେମ୍ବର ୨୩ ତାରିଖରେ ବାତ୍ୟାଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଭୂସ୍ଖଳନ ଆଶଙ୍କାରେ ପ୍ରଶାସନ କଳିଙ୍ଗା ଘାଟିରେ ଯାତାୟତ ବନ୍ଦ କରିଥିଲା। ପରଦିନ ଅର୍ଥାତ୍ ସେପ୍ଟେମ୍ବର ୨୪ରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଥିଲା। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ସୁରକ୍ଷା ପାଚେରୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଅନ୍ଧାରକୋଟ ଘାଟି ନିକଟରେ ଚାଲିଥିବା ରାସ୍ତା ପ୍ରଶସ୍ତୀକରଣ କାମ ମଧ୍ୟ ଭୂସ୍ଖଳନରେ ପ୍ରଭାବିତ ହୋଇଥିଲା।

ଏହାପରେ ରାସ୍ତାର ପୁନରୁଦ୍ଧାର ଓ ବିକଳ୍ପ ଯାତାୟତ ବ୍ୟବସ୍ଥାକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ବିଭିନ୍ନ ସମୟରେ ଜନପ୍ରତିନିଧି, ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସହ ପୂର୍ତ୍ତ ବିଭାଗର ସଚିବ ଓ ବରିଷ୍ଠ ଯନ୍ତ୍ରୀମାନେ ମଧ୍ୟ ଘାଟିର ସ୍ଥିତି ଅନୁଧ୍ୟାନ କରିଥିଲେ। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ମଧ୍ୟ ଘଟଣାସ୍ଥଳକୁ ଯାଇ କାର୍ଯ୍ୟର ଅଗ୍ରଗତି ଦେଖିଥିଲେ।

ଶେଷରେ ପ୍ରାୟ ୪୫ ଦିନର ବାଧା ପରେ ରାସ୍ତା ଖୋଲିବା ସହ କଳିଙ୍ଗା ଘାଟିରେ ପୁଣି ଯାତାୟତ ଆରମ୍ଭ ହୋଇଛି। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ସହ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ଓ ପରିବହନକାରୀଙ୍କ ଯାତାୟତ ସୁଗମ ହେବ।

You may also like

Leave a Comment