ପୂର୍ବ ଭାରତର ରାଜ୍ୟ ବିହାର ପ୍ରତିବର୍ଷ ମୌସୁମୀ ବର୍ଷା ସମୟରେ ଭୟଙ୍କର ବନ୍ୟା ଏବଂ ଜଳପ୍ଲାବନର ସାମ୍ନା କରିଥାଏ। ବର୍ଷ ଓ ତାରିଖ ବଦଳୁଛି, କିନ୍ତୁ ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଦୁର୍ଦ୍ଦଶା ଶେଷ ହେଉନାହିଁ। ଚଳିତ ବର୍ଷ ମଧ୍ୟ ସେପ୍ଟେମ୍ବରରେ ସ୍ୱାଭାବିକଠାରୁ ୫୫ ପ୍ରତିଶତ ଅଧିକ ବର୍ଷା ହେବାରୁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକ ଫୁଲିଉଠିଛି। ଏହାଫଳରେ ୧୩ଟି ଜିଲ୍ଲାର ୨୭ ଲକ୍ଷରୁ ଅଧିକ ଲୋକ ସିଧାସଳଖ ପ୍ରଭାବିତ ହୋଇଛନ୍ତି।
ବଢ଼ୁଥିବା ନଦୀଜଳ, ଜଳବନ୍ଦୀ ଏବଂ ଲୋକଙ୍କ ବିସ୍ଥାପନ ପୁଣିଥରେ ବିହାରର ଜଳ ସଙ୍କଟ, ଭୌଗୋଳିକ ଚ୍ୟାଲେଞ୍ଜ ଏବଂ ବିପର୍ଯ୍ୟୟ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛି।
ଏବେ ବିହାରର ସ୍ଥିତି କଣ?
ବର୍ତ୍ତମାନ ବନ୍ୟା ପରିସ୍ଥିତି ଯୋଗୁଁ ୧୩ଟି ଜିଲ୍ଲାର ସ୍ଥିତି ଗମ୍ଭୀର ରହିଛି। ସେପ୍ଟେମ୍ବରରେ ୬୯.୧ ମିଲିମିଟର ବର୍ଷା ହେବା ପରେ ରାଜ୍ୟର ୭ଟି ପ୍ରମୁଖ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି।
ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଏବଂ ଖାଦ୍ୟ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ୧,୪୨୯ଟି ଡଙ୍ଗା ନିୟୋଜିତ କରାଯାଇଛି। ଘରଦ୍ୱାର ଛାଡ଼ିବାକୁ ବାଧ୍ୟ ହୋଇଥିବା ପରିବାରଗୁଡ଼ିକ ପାଇଁ ୧୯୦ଟି କମ୍ୟୁନିଟି କିଚେନ୍ ମଧ୍ୟ ଚାଲୁ କରାଯାଇଛି।
କେତେକ ଅଞ୍ଚଳରେ ଜଳସ୍ତର ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ସମଗ୍ର ପ୍ରଭାବିତ ଅଞ୍ଚଳରେ ବିପଦ ଏବେ ବି ଟଳିନାହିଁ।
ନେପାଳରୁ ଆସୁଥିବା ନଦୀ ଓ ଗାଦ ହେଉଛି ବଡ଼ ସମସ୍ୟା
ବିହାରରେ ପ୍ରତିବର୍ଷ ହେଉଥିବା ବନ୍ୟା ପଛରେ ରାଜ୍ୟର ଭୌଗୋଳିକ ସ୍ଥିତି ସହ ନେପାଳର ପାହାଡ଼ିଆ ଅଞ୍ଚଳରୁ ଆସୁଥିବା ନଦୀଗୁଡ଼ିକର ମଧ୍ୟ ବଡ଼ ଭୂମିକା ରହିଛି।
ନେପାଳର ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହେଲେ ସେଠାରୁ ବାହାରୁଥିବା ନଦୀଗୁଡ଼ିକ ବହୁ ଅଧିକ ବେଗରେ ବିହାରର ସମତଳ ଅଞ୍ଚଳକୁ ପ୍ରବେଶ କରିଥାଏ। ଏହି ପାଣି ସହିତ ବହୁ ପରିମାଣର ମାଟି ଏବଂ ଗାଦ ମଧ୍ୟ ଆସିଥାଏ।
ନଦୀର ତଳେ ଗାଦ ଜମିବା ଫଳରେ ନଦୀର ଜଳଧାରଣ କ୍ଷମତା କମିଯାଏ। ଫଳରେ ଅଳ୍ପ ଅତିରିକ୍ତ ପାଣି ଆସିଲେ ମଧ୍ୟ ନଦୀ ତାର କୂଳ ଡେଇଁ ଜନବସତି ଅଞ୍ଚଳରେ ପ୍ରବେଶ କରିଥାଏ।
ଭୌଗୋଳିକ ତଥ୍ୟ ଅନୁସାରେ, ବିହାରର ମୋଟ କ୍ଷେତ୍ରଫଳ ୯୪,୧୬୦ ବର୍ଗ କିଲୋମିଟର। ଏଥିରୁ ପ୍ରାୟ ୬୮,୮୦୦ ବର୍ଗ କିଲୋମିଟର ଅଞ୍ଚଳ ନିୟମିତ ଭାବେ ବନ୍ୟା ବିପଦରେ ରହିଥାଏ। ଅର୍ଥାତ୍ ରାଜ୍ୟର ପ୍ରାୟ ୭୩ ପ୍ରତିଶତ ଭୂଭାଗ ବନ୍ୟାର ବିପଦରେ ରହିଛି।
କେଉଁ ନଦୀ ସବୁଠାରୁ ବିନାଶକାରୀ?
ନେପାଳରୁ ବିହାରକୁ ଆସୁଥିବା ଗଣ୍ଡକ, ବାଗମତୀ ଏବଂ କମଳା ବଲାନ ଭଳି ନଦୀଗୁଡ଼ିକ ପ୍ରତିବର୍ଷ ବନ୍ୟାର କାରଣ ହୋଇଥାଏ। ତେବେ ଏସବୁ ମଧ୍ୟରେ କୋସି ନଦୀକୁ ସବୁଠାରୁ ବିନାଶକାରୀ ବୋଲି ମନେ କରାଯାଏ।
ନେପାଳର ଅନେକ ଉପନଦୀ କୋସିରେ ମିଶିବା ଫଳରେ ଏହାର ଜଳପ୍ରବାହ ଅତ୍ୟଧିକ ଶକ୍ତିଶାଳୀ ହୋଇଯାଏ। ଏହାର ପ୍ରବାହ ବଢ଼ିଲେ କୋସି-ପୂର୍ଣ୍ଣିଆ, ମିଥିଳା ଏବଂ ଚମ୍ପାରଣ ଭଳି ବିସ୍ତୃତ ଅଞ୍ଚଳରେ ଚାଷଜମି, ଘର ଏବଂ ଭିତ୍ତିଭୂମିକୁ ବ୍ୟାପକ କ୍ଷତି ପହଞ୍ଚେ।
ନିଜର ଗତିପଥ ବଦଳାଇବାର ପ୍ରବୃତ୍ତି ଏବଂ ଭୟଙ୍କର ପ୍ରବାହ ଯୋଗୁଁ କୋସିକୁ ଏହି ଅଞ୍ଚଳର ସବୁଠାରୁ ବଡ଼ ପ୍ରାକୃତିକ ବିପଦ ମଧ୍ୟରୁ ଗୋଟିଏ ବୋଲି ମନେ କରାଯାଏ।
ତଟବନ୍ଧ ବଢ଼ିଲା, ତଥାପି କମିଲାନି ବନ୍ୟା ବିପଦ
ଗତ ସାତ ଦଶନ୍ଧିର ତଥ୍ୟକୁ ଦେଖିଲେ ବିହାରରେ ନଦୀ କୂଳରେ ତଟବନ୍ଧ ନିର୍ମାଣରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ତଟବନ୍ଧ ବଢ଼ିବା ସତ୍ତ୍ୱେ ବନ୍ୟା ପ୍ରଭାବିତ ଅଞ୍ଚଳ କମିବା ପରିବର୍ତ୍ତେ ବଢ଼ିଛି।
୧୯୫୪ରେ ବିହାରରେ ନଦୀ କୂଳରେ ମାତ୍ର ୧୬୦ କିଲୋମିଟର ତଟବନ୍ଧ ଥିଲା ଏବଂ ପ୍ରାୟ ୨୫ ଲକ୍ଷ ହେକ୍ଟର ଜମି ବନ୍ୟା ବିପଦରେ ଥିଲା। ବର୍ତ୍ତମାନ ତଟବନ୍ଧର ଲମ୍ବ ପ୍ରାୟ ୩,୮୦୦ କିଲୋମିଟରରେ ପହଞ୍ଚିଛି। ଏହା ସତ୍ତ୍ୱେ ବନ୍ୟା ପ୍ରଭାବିତ ଅଞ୍ଚଳ ବଢ଼ି ୬୯ ଲକ୍ଷ ହେକ୍ଟରରୁ ଅଧିକ ହୋଇଛି।
ବିହାରର ବନ୍ୟାର ଭୟଙ୍କର ଇତିହାସ
ବିହାରର ଇତିହାସ ଅନେକ ଭୟଙ୍କର ବନ୍ୟାର ସାକ୍ଷୀ ରହିଛି। ୧୯୭୮, ୧୯୮୭, ୧୯୯୮, ୨୦୦୪, ୨୦୦୭, ୨୦୦୮, ୨୦୧୩ ଏବଂ ୨୦୧୭ ମସିହାରେ ରାଜ୍ୟ ବଡ଼ ଧରଣର ବନ୍ୟାର ସାମ୍ନା କରିଥିଲା।
ଗତ ଅଢ଼େଇ ଦଶନ୍ଧି ମଧ୍ୟରେ ୨୦୦୭ର ବନ୍ୟା ସବୁଠାରୁ ଭୟଙ୍କର ଥିଲା। ଏହି ବନ୍ୟାରେ ୧,୨୮୭ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୦୪ରେ ୮୮୫ ଜଣ ଏବଂ ୨୦୧୭ର ବନ୍ୟାରେ ୮୧୫ ଜଣ ପ୍ରାଣ ହରାଇଥିଲେ।
ବନ୍ୟା ଯୋଗୁଁ କେବଳ ମାନବ ଜୀବନ ନୁହେଁ, ବହୁ ସଂଖ୍ୟକ ପଶୁଧନ ମଧ୍ୟ ପ୍ରଭାବିତ ହୋଇଥାଏ। ଚାଷଜମି, ରାସ୍ତାଘାଟ ଏବଂ ସାଧାରଣ ଲୋକଙ୍କ ସମ୍ପତ୍ତିର ବ୍ୟାପକ କ୍ଷତି ହେବା ସହ ରାଜ୍ୟକୁ କୋଟି କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାକୁ ପଡ଼େ।
୨୦୨୫ରେ ବନ୍ୟା ଯୋଗୁଁ ୧୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ପୁନର୍ବାସ ଏବଂ କ୍ଷତିପୂରଣ ପାଇଁ ବିହାର ସରକାର କେନ୍ଦ୍ର ନିକଟରେ ୩,୬୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଦାବି କରିଥିଲେ। ଏହା ପୂର୍ବରୁ ୨୦୨୪ର ବନ୍ୟା ପରେ ମଧ୍ୟ ରାଜ୍ୟ ସରକାର କେନ୍ଦ୍ରୀୟ ସହାୟତା ଭାବେ ୩,୬୩୮ କୋଟି ଟଙ୍କାରୁ ଅଧିକ ଦାବି କରିଥିଲେ।
ପ୍ରତିବର୍ଷ ବନ୍ୟା ପାଇଁ ହେଉଥିବା ଏହି ବିପୁଳ ଆର୍ଥିକ କ୍ଷତି ରାଜ୍ୟର ବିକାଶମୂଳକ କାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରୁଛି।
