‘AIକୁ ଯିଏ ଜିତିବ, ସେ ଜିତିବ’; ଚୀନଠାରୁ ଆଗରେ ରହିବାକୁ ଆମେରିକାର ଜୋରଦାର ପ୍ରୟାସ, କୃତ୍ରିମ ବୁଦ୍ଧିମତ୍ତା ବା AIକୁ ନେଇ ସାରା ବିଶ୍ୱରେ ସୁରକ୍ଷା ଓ ନିୟନ୍ତ୍ରଣ ଉପରେ ବିତର୍କ ତୀବ୍ର ହେଉଥିବାବେଳେ ଆମେରିକା ଏହି ଦୌଡ଼ରେ କୌଣସି ପରିସ୍ଥିତିରେ ପଛକୁ ହଟିବ ନାହିଁ ବୋଲି ସ୍ପଷ୍ଟ ସଙ୍କେତ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। AIକୁ ନେଇ ଅତ୍ୟଧିକ ଭୟ ସୃଷ୍ଟି କରୁଥିବା ସମାଲୋଚକଙ୍କୁ ସେ ‘ଅତ୍ୟନ୍ତ ନକାରାତ୍ମକ ଶକ୍ତି’ ବୋଲି କହିବା ସହ ଆମେରିକା AI କ୍ଷେତ୍ରରେ ବିଶ୍ୱ ନେତୃତ୍ୱ ବଜାୟ ରଖିବା ଆବଶ୍ୟକ ବୋଲି କହିଛନ୍ତି।
ଆୟର୍ଲ୍ୟାଣ୍ଡରେ ସାମ୍ବାଦିକଙ୍କ ସହ କଥା ହେବାବେଳେ ଟ୍ରମ୍ପ ଦାବି କରିଛନ୍ତି ଯେ AI କ୍ଷେତ୍ରରେ ଆମେରିକା ବର୍ତ୍ତମାନ ଚୀନଠାରୁ ଆଗରେ ରହିଛି। ଏହି ସ୍ଥାନକୁ ଧରିରଖିବା ତାଙ୍କର ପ୍ରାଥମିକତା ବୋଲି କହି ସେ କହିଛନ୍ତି—“AIକୁ ଯିଏ ଜିତିବ, ସେ ଜିତିବ।” AI ଉପରେ କିଛି ନିୟମ ବା ସୁରକ୍ଷା ବ୍ୟବସ୍ଥା ରହିପାରେ ବୋଲି ସେ ସ୍ୱୀକାର କରିଥିଲେ ମଧ୍ୟ ପ୍ରଯୁକ୍ତିର ବିକାଶ ଗତିକୁ ରୋକିବା ପକ୍ଷରେ ନାହାନ୍ତି।
ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଏମିତି ସମୟରେ ଆସିଛି, ଯେତେବେଳେ ଦ୍ରୁତଗତିରେ ବିକଶିତ ହେଉଥିବା AI ମଡେଲ୍ର ସମ୍ଭାବ୍ୟ ବିପଦକୁ ନେଇ ଆମେରିକାରେ ଚର୍ଚ୍ଚା ଜୋର ଧରିଛି। Anthropic ସହ ସଂପୃକ୍ତ କେତେକ ଗବେଷକ ଉନ୍ନତ AI ଭବିଷ୍ୟତରେ ମାନବ ସମାଜ ପାଇଁ ଗୁରୁତର ଅସ୍ତିତ୍ୱଗତ ବିପଦ ସୃଷ୍ଟି କରିପାରେ ବୋଲି ସତର୍କ କରିଛନ୍ତି। ଏହି ଆଶଙ୍କାକୁ ନେଇ ଟେକ୍ ଜଗତ ଭିତରେ ମଧ୍ୟ ମତଭେଦ ବଢ଼ୁଛି।
Anthropic CEO ଡାରିଓ ଆମୋଡେଇ ନିକଟରେ AI ମଡେଲ୍ଗୁଡ଼ିକର କ୍ଷମତା ବୃଦ୍ଧିର ଗତିକୁ ସଂଯମିତ କରିବା ପାଇଁ ତିନି ପର୍ଯ୍ୟାୟର ଏକ ଢାଞ୍ଚା ପ୍ରସ୍ତାବ କରିଛନ୍ତି। AIର ସମ୍ଭାବ୍ୟ ବିପଦକୁ ବୁଝିବା ଓ ତାହାର ମୁକାବିଲା ପାଇଁ ଅଧିକ ସମୟ ମିଳିବା ଏହାର ଲକ୍ଷ୍ୟ। ତାଙ୍କ ପ୍ରସ୍ତାବକୁ Elon Musk ଓ OpenAI CEO Sam Altmanଙ୍କ ସମର୍ଥନ ମଧ୍ୟ ମିଳିଛି।
ତେବେ AI ବିକାଶକୁ ଧୀର କରିବା ନେଇ ସବୁଠାରୁ ବଡ଼ ସମସ୍ୟା ହେଉଛି ଆମେରିକା-ଚୀନ ପ୍ରଯୁକ୍ତି ପ୍ରତିଦ୍ୱନ୍ଦ୍ୱିତା। ଗୋଟିଏ ଦେଶ ଗତି କମାଇଲେ ଅନ୍ୟ ଦେଶ ତାହାର ଲାଭ ନେଇପାରେ ବୋଲି ଆଶଙ୍କା ରହିଛି। ଏଥିପାଇଁ AIର ସୁରକ୍ଷିତ ବିକାଶ ପାଇଁ ଆନ୍ତର୍ଜାତିକ ସମନ୍ୱୟ ଆବଶ୍ୟକ ବୋଲି ଅନେକ ଗବେଷକ ମତ ଦେଉଛନ୍ତି।
ଏକପଟେ AIକୁ ମାନବଜାତିର ଭବିଷ୍ୟତ ପାଇଁ ସମ୍ଭାବ୍ୟ ବିପଦ ବୋଲି ଦେଖାଯାଉଛି, ଅନ୍ୟପଟେ ଏହାକୁ ଅର୍ଥନୀତି, ପ୍ରତିରକ୍ଷା ଓ ବିଶ୍ୱ ଶକ୍ତି ସନ୍ତୁଳନର ନିର୍ଣ୍ଣାୟକ ଅସ୍ତ୍ର ଭାବେ ଦେଖୁଛି ଆମେରିକା। ଟ୍ରମ୍ପଙ୍କ ସଦ୍ୟ ବୟାନ ପରେ AIକୁ ନେଇ ‘ସୁରକ୍ଷା ବନାମ ବିଶ୍ୱ ନେତୃତ୍ୱ’ ବିତର୍କ ଆହୁରି ତୀବ୍ର ହେବା ନିଶ୍ଚିତ।
