Home Featuredଝାଟିମାଟି ଘରୁ ମେଡିକାଲ କଲେଜ୍‌: ଏକ ପରିବାରର ୫ ସନ୍ତାନଙ୍କ ଅଦମ୍ୟ ସଫଳତା

ଝାଟିମାଟି ଘରୁ ମେଡିକାଲ କଲେଜ୍‌: ଏକ ପରିବାରର ୫ ସନ୍ତାନଙ୍କ ଅଦମ୍ୟ ସଫଳତା

by Sunita Jena
0 comments

କଠିନ ପରିସ୍ଥିତି ଓ ଆର୍ଥିକ ଅଭାବ କେବେ ବି ସ୍ୱପ୍ନ ପୂରଣରେ ପ୍ରତିବନ୍ଧକ ହୋଇପାରେନାହିଁ। ଏହାର ଏକ ପ୍ରେରଣାଦାୟୀ ଉଦାହରଣ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ତାଜୁଙ୍ଗିଆ ପଞ୍ଚାୟତ ଅଧୀନ ସିକବାଡ଼ି ଗାଁରେ ଦେଖିବାକୁ ମିଳିଛି। ଅତ୍ୟନ୍ତ ସାଧାରଣ ପରିବାରରୁ ଆସିଥିବା ୫ ଜଣ ଭାଇଭଉଣୀ ନିଜ ଦକ୍ଷତା ଓ ପରିଶ୍ରମ ବଳରେ ନିଟ୍‌ ପରୀକ୍ଷାରେ ସଫଳ ହୋଇ ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି।

ସିକବାଡ଼ିର ବୁର୍ଶି ପ୍ରଧାନ ଓ ଅନସୂୟା ପ୍ରଧାନଙ୍କ ୭ ସନ୍ତାନଙ୍କ ମଧ୍ୟରୁ ୪ ଜଣ ଏବେ ମେଡିକାଲ ଶିକ୍ଷା ନେଉଛନ୍ତି। ବୁର୍ଶିଙ୍କ ସାନଭାଇ ଯିଶାୟ ପ୍ରଧାନ ଓ ରଜନ୍ତି ପ୍ରଧାନଙ୍କ ଝିଅ ମୀନାକ୍ଷୀ ମଧ୍ୟ ନିଟ୍‌ରେ ସଫଳତା ପାଇ ଏହି ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛନ୍ତି। ଏଭଳି ଭାବେ ଗୋଟିଏ ଯୌଥ ପରିବାରର ୫ ଜଣ ପିଲା ଡାକ୍ତର ହେବା ଲକ୍ଷ୍ୟରେ ଆଗକୁ ବଢ଼ୁଛନ୍ତି।

ପରିବାରର ବଡ଼ ପୁଅ ବିଭୀଷଣ ପ୍ରଧାନ ପ୍ରଥମେ ନିଟ୍‌ରେ ସଫଳ ହୋଇ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଡାକ୍ତରୀ ପାଠ ପୂରଣ କରିଛନ୍ତି। ବର୍ତ୍ତମାନ ସେ ଇଣ୍ଟର୍ନସିପ୍‌ କରୁଛନ୍ତି। ତାଙ୍କ ଭଉଣୀ ମୋନାଲିସା ପ୍ରଧାନ ସେହି ମେଡିକାଲ କଲେଜରେ ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି। ଚଳିତବର୍ଷ ପରିବାରର ଆଉ ଦୁଇ ସନ୍ତାନ ସୁନେମି ପ୍ରଧାନ ଓ ଏସରୟ ପ୍ରଧାନ ନିଟ୍‌ ପରୀକ୍ଷାରେ ସଫଳ ହୋଇ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। ସେହିପରି ଯିଶାୟ ପ୍ରଧାନଙ୍କ ଝିଅ ମୀନାକ୍ଷୀ ମଧ୍ୟ ନିଟ୍‌ରେ ସଫଳତା ହାସଲ କରି ଡାକ୍ତରୀ ଶିକ୍ଷା ଦିଗରେ ପାଦ ବଢ଼ାଇଛନ୍ତି।

ଏହି ସଫଳତା ପଛରେ ରହିଛି ଦୀର୍ଘ ସଂଘର୍ଷ। ପରିବାରର ମୁଖ୍ୟ ଆୟ ଚାଷ ଉପରେ ନିର୍ଭରଶୀଳ। ଘରର ଆୟର ଏକ ବଡ଼ ଅଂଶ ପିଲାମାନଙ୍କ ଶିକ୍ଷାରେ ଖର୍ଚ୍ଚ ହେଉଛି। ମେଡିକାଲ କଲେଜରେ ନାମଲେଖା ଓ ପଢ଼ା ଖର୍ଚ୍ଚ ଯୋଗାଡ଼ କରିବା ପାଇଁ ପରିବାରକୁ ଘରେ ଥିବା ବଳଦ ଓ ଛେଳି ପର୍ଯ୍ୟନ୍ତ ବିକ୍ରି କରିବାକୁ ପଡ଼ିଛି। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜଣେ ପିଲାଙ୍କ ମେଡିକାଲ କଲେଜ ନାମଲେଖା ପାଇଁ ପ୍ରାୟ ୭୦ ହଜାର ଟଙ୍କା ଆବଶ୍ୟକ ହେଉଛି। ଏତେ ଖର୍ଚ୍ଚ ସତ୍ତ୍ୱେ ପରିବାର ଶିକ୍ଷାକୁ ପ୍ରାଥମିକତା ଦେଇ ପିଲାମାନଙ୍କ ସ୍ୱପ୍ନକୁ ଆଗକୁ ନେଇଛି।

ପିଲାମାନେ ମଧ୍ୟ ପରିବାରର ଆର୍ଥିକ ସ୍ଥିତି ବୁଝି ଘରକାମରେ ସହଯୋଗ କରୁଛନ୍ତି। ପାଠପଢ଼ା ସହ ସମୟ ମିଳିଲେ ଗୋରୁଗାଈ ଚରାଇବା ଓ ଅନ୍ୟାନ୍ୟ ଘରୋଇ କାମରେ ହାତ ବଢ଼ାଉଛନ୍ତି। ଅଭାବ ମଧ୍ୟରେ ମଧ୍ୟ ଶିକ୍ଷା ପ୍ରତି ସେମାନଙ୍କ ଆଗ୍ରହ କମିନାହିଁ।

ସିକବାଡ଼ି ଗାଁର ଏହି ପରିବାର ଦେଖାଇ ଦେଇଛି ଯେ ସୁବିଧା ଓ ସମ୍ପନ୍ନତା ନୁହେଁ, ବରଂ ଲକ୍ଷ୍ୟ ପ୍ରତି ନିଷ୍ଠା, କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ହିଁ ସଫଳତାର ସବୁଠାରୁ ବଡ଼ ଚାବି। ଝାଟିମାଟି ଘରୁ ମେଡିକାଲ କଲେଜ ପର୍ଯ୍ୟନ୍ତ ପହଞ୍ଚିଥିବା ଏହି ୫ ଭାଇଭଉଣୀଙ୍କ ସଂଘର୍ଷର କାହାଣୀ ଏବେ ସମଗ୍ର କନ୍ଧମାଳ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

You may also like

Leave a Comment