Home Featuredଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧୀ

ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧୀ

by Sunita Jena
0 comments

ଆସନ୍ତା ଅକ୍ଟୋବରରେ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ ଚର୍ଚ୍ଚା ଜୋର ଧରିଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ସେ ଯୋଗଦେଇପାରନ୍ତି। ତେବେ ତାଙ୍କ ଗସ୍ତର ନିର୍ଦ୍ଦିଷ୍ଟ ତାରିଖ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ଓଡ଼ିଶା କଂଗ୍ରେସ ପକ୍ଷରୁ ଏନେଇ ଦଳୀୟ ନେତୃତ୍ୱଙ୍କୁ ପ୍ରସ୍ତାବ ଦିଆଯାଇଥିବା ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ଭୁବନେଶ୍ୱରରେ ହେବାକୁ ଥିବା ଏହି ଯୁବ ଓ ଛାତ୍ରକେନ୍ଦ୍ରିକ କାର୍ଯ୍ୟକ୍ରମରେ ପ୍ରାୟ ୨୦ ହଜାର ଯୁବକ-ଯୁବତୀ ଯୋଗଦେବାର ଯୋଜନା ରହିଛି। ଶିକ୍ଷା, ରୋଜଗାର, ଯୁବପିଢ଼ିର ଭବିଷ୍ୟତ ଓ ସାମାଜିକ ପ୍ରସଙ୍ଗ ଭଳି ବିଷୟ ଉପରେ ଆଲୋଚନା ହେବାର ସୂଚନା ମିଳିଛି।

ଏହା ସହ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ କଂଗ୍ରେସ ପକ୍ଷରୁ ସାରା ଓଡ଼ିଶାରେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଦଳୀୟ ନେତୃତ୍ୱ କହିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ନବରଙ୍ଗପୁରରୁ ପଦଯାତ୍ରା ଆରମ୍ଭ କରିବାର ଯୋଜନା ରହିଛି। ବ୍ଲକ୍ ସ୍ତରରେ ପଦଯାତ୍ରା ସହ ବୈଠକ ଏବଂ ପରବର୍ତ୍ତୀ ସମୟରେ ସାଙ୍ଗଠନିକ ସମୀକ୍ଷା କରାଯିବ। ରାଜ୍ୟର ୩୧୪ଟି ବ୍ଲକ୍‌କୁ ନେଇ ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମ ବଢ଼ାଇବାର ଯୋଜନା ରହିଛି। ଦଳୀୟ ନେତା ଓ କର୍ମୀଙ୍କୁ ପ୍ରଶିକ୍ଷଣ ଦେବା ପରେ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ପିସିସି ପକ୍ଷରୁ ସୂଚନା ଦିଆଯାଇଛି।

ରାହୁଲ ଗାନ୍ଧୀଙ୍କ ବ୍ୟତୀତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି ବୋଲି ଦଳୀୟ ନେତାମାନେ କହିଛନ୍ତି। ଓଡ଼ିଶାର ବିଭିନ୍ନ ଲୋକପ୍ରସଙ୍ଗ ଓ ଯୁବପିଢ଼ି ସମ୍ପର୍କିତ ବିଷୟକୁ ନେଇ ଆଗାମୀ ଦିନରେ ଦଳ ପକ୍ଷରୁ ଅଧିକ କାର୍ଯ୍ୟକ୍ରମ ହେବାର ସୂଚନା ମିଳିଛି। ତେବେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ତାରିଖ ନିଶ୍ଚିତ ହେବା ପରେ ହିଁ ଚୂଡ଼ାନ୍ତ କାର୍ଯ୍ୟସୂଚୀ ସ୍ପଷ୍ଟ ହେବ।

You may also like

Leave a Comment