ଭୁବନେଶ୍ୱର, ୨୧/୦୯: ରାଜ୍ୟର ପ୍ରାଥମିକଠାରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଗଠିତ ଅଶୋକ ତ୍ରିପାଠୀ କମିଟି ରାଜ୍ୟ ସରକାରଙ୍କୁ ନିଜର ରିପୋର୍ଟ ପ୍ରଦାନ କରିଛି। ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ କମିଟି ପକ୍ଷରୁ ରିପୋର୍ଟ ଉପସ୍ଥାପନ କରାଯାଇଛି।
କମିଟିର ସୁପାରିଶଗୁଡ଼ିକର ବିସ୍ତୃତ ଅନୁଧ୍ୟାନ କରାଯାଇ ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨୦୨୫ ଡିସେମ୍ବର ୬ ତାରିଖରେ ଏହି କମିଟି ଗଠନ କରାଯାଇଥିଲା। ପରେ ୨୦୨୬ ଫେବୃଆରୀ ୩ ତାରିଖରେ କମିଟିର ପୁନର୍ଗଠନ କରାଯାଇଥିଲା। ରାଜ୍ୟର ବିଭିନ୍ନ ବର୍ଗର ଶିକ୍ଷକଙ୍କ ସମସ୍ୟା ଓ ଦାବି ଉପରେ ଆଲୋଚନା କରି କମିଟି ରିପୋର୍ଟ ପ୍ରସ୍ତୁତ କରିଛି।
ବୈଠକରେ ଦିଆଯାଇଥିବା ସୂଚନା ଅନୁସାରେ, କମିଟି ନିକଟରେ ବିଭିନ୍ନ ବର୍ଗର ଶିକ୍ଷକଙ୍କ ୧୦୪ଟି ସଂଘ ସେମାନଙ୍କ ଦାବି ଓ ସମସ୍ୟା ନେଇ ଆଲୋଚନା କରିଛନ୍ତି। ଏହି ସମସ୍ୟାଗୁଡ଼ିକ ଉପରେ କମିଟି ପକ୍ଷରୁ ୯୦ଟି ବୈଠକ କରାଯାଇଥିବା ବେଳେ ସରକାରଙ୍କୁ ୭୯ଟି ରିପୋର୍ଟ ଦିଆଯାଇଛି।
ବୈଠକରେ କମିଟି ଅଧ୍ୟକ୍ଷ ଅଶୋକ ତ୍ରିପାଠୀ ଓ ସହ-ଅଧ୍ୟକ୍ଷ ସୁଦର୍ଶନ ନାୟକ କମିଟିର ବିଭିନ୍ନ ସୁପାରିଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କ ସମେତ ଉଚ୍ଚଶିକ୍ଷା ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବମାନେ ଉପସ୍ଥିତ ଥିଲେ।
କମିଟିର ସଦସ୍ୟ ଶାନ୍ତନୁ କୁମାର ସାହୁ, ମନୋରଞ୍ଜନ ମିଶ୍ର ଓ ସଂଯୋଜକ ସଦସ୍ୟ ସନାତନ ପଣ୍ଡା ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।
