ଭୁବନେଶ୍ୱର: ଓଡ଼ିଶାରେ ଶେଷ ହୋଇଛି ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ ପ୍ରକ୍ରିୟା ବା SIR (Special Intensive Revision)। ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା। ଚୂଡ଼ାନ୍ତ ତାଲିକା ଅନୁଯାୟୀ ଓଡ଼ିଶାରେ ଏବେ ମୋଟ ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ ଜଣ ଭୋଟର ଅଛନ୍ତି।
SIR ପ୍ରକ୍ରିୟା ସମୟରେ ଭୋଟର ତାଲିକାରୁ ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଜଣଙ୍କ ନାଁ ବାଦ ପଡ଼ିଛି। ଏହି ବାଦ୍ ପଡ଼ିଥିବା ନାଁଗୁଡ଼ିକର ପ୍ରମୁଖ କାରଣ ଭାବେ ମୃତ୍ୟୁ, ସ୍ଥାନାନ୍ତରଣ, ଅନୁପସ୍ଥିତି ଓ ନକଲି/ଡୁପ୍ଲିକେଟ୍ ଏଣ୍ଟ୍ରି ଆଦି ଦର୍ଶାଯାଇଛି।
ଜୁଲାଇ ୫ରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଜଣ ଭୋଟର ଥିଲେ। ଦାବି, ଆପତ୍ତି ଓ ନୂଆ ନାଁ ସାମିଲ ପାଇଁ ଆବେଦନଗୁଡ଼ିକର ଯାଞ୍ଚ ପରେ ଚୂଡ଼ାନ୍ତ ତାଲିକାରେ ଡ୍ରାଫ୍ଟ ତୁଳନାରେ ୨ ଲକ୍ଷ ୪୫ ହଜାର ୭୨୦ ଜଣ ଭୋଟର ବଢ଼ିଛନ୍ତି।
ଚୂଡ଼ାନ୍ତ ତାଲିକାରେ ୧ କୋଟି ୬୧ ଲକ୍ଷ ୩୦ ହଜାର ୩୧୯ ଜଣ ପୁରୁଷ, ୧ କୋଟି ୫୪ ଲକ୍ଷ ୯୯ ହଜାର ୬୬୧ ଜଣ ମହିଳା ଏବଂ ୨,୭୭୪ ଜଣ ତୃତୀୟ ଲିଙ୍ଗର ଭୋଟର ରହିଛନ୍ତି।
SIR ପ୍ରକ୍ରିୟାରେ ଓଡ଼ିଶା ପାଇଁ ଯୋଗ୍ୟତା ତାରିଖ ୧ ଜୁଲାଇ ୨୦୨୬ ରଖାଯାଇଥିଲା। ନିର୍ବାଚନ କମିଶନଙ୍କ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜୁଲାଇ ୫ରେ ଡ୍ରାଫ୍ଟ ତାଲିକା ଏବଂ ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବାର କାର୍ଯ୍ୟସୂଚୀ ଥିଲା।
କୌଣସି ଯୋଗ୍ୟ ଭୋଟରଙ୍କ ନାଁ ତାଲିକାରେ ନଥିଲେ, ନାଁ ସାମିଲ ପାଇଁ ଫର୍ମ-୬ ମାଧ୍ୟମରେ ଆବେଦନ କରାଯାଇପାରିବ। ଭୋଟରମାନେ ନିଜ ନାଁ ଓ ଭୋଟର ସମ୍ପର୍କିତ ତଥ୍ୟ ନିର୍ବାଚନ କମିଶନଙ୍କ Voter Services Portal କିମ୍ବା Voter Helpline App ମାଧ୍ୟମରେ ଯାଞ୍ଚ କରିପାରିବେ।
