ମୁଣ୍ଡଳୀରେ ୭.୫୨ ଲକ୍ଷ କ୍ୟୁସେକ୍ ଜଳପ୍ରବାହ, ତଳିଆ ଅଞ୍ଚଳ ପ୍ରତି ବଢ଼ିଲା ବିପଦ
ବାଙ୍କୀ: ଉପରମୁଣ୍ଡରେ ଲଗାଣ ବର୍ଷା ପରେ ମହାନଦୀରେ ପୁଣି ବଢ଼ିବାରେ ଲାଗିଛି ଜଳପ୍ରବାହ। ଚଳିତ ବର୍ଷ ମହାନଦୀରେ ଚତୁର୍ଥ ଥର ପାଇଁ ବନ୍ୟା ପରିସ୍ଥିତି ଉପୁଜିଥିବାରୁ କଟକ ଜିଲ୍ଲାର ବାଙ୍କୀ ଓ ଡମପଡ଼ା ବ୍ଲକର ତଳିଆ ଅଞ୍ଚଳକୁ ନେଇ ଚିନ୍ତା ବଢ଼ିଛି।
ସୂଚନା ଅନୁସାରେ, ମୁଣ୍ଡଳୀଠାରେ ମହାନଦୀରେ ପ୍ରାୟ ୭ ଲକ୍ଷ ୫୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରରୁ ୨୮ଟି ଗେଟ୍ ଖୋଲାଯାଇଥିବାରୁ ମହାନଦୀରେ ଜଳପ୍ରବାହ ଆହୁରି ବଢ଼ିବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ବାଙ୍କୀ ଅଞ୍ଚଳର ତଳିଆ ଭାଗରେ ବନ୍ୟାଜଳ ପ୍ରବେଶ କରିବା ନେଇ ଆଶଙ୍କା ଦେଖାଦେଇଛି।
ବନ୍ୟା ପରିସ୍ଥିତି ଗୁରୁତର ହେଲେ ବାଙ୍କୀ ବ୍ଲକର ୪ଟି ଏବଂ ଡମପଡ଼ା ବ୍ଲକର ୫ଟି ପଞ୍ଚାୟତ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଇତିମଧ୍ୟରେ ବିଭିନ୍ନ ରାସ୍ତା ଉପରେ ମଧ୍ୟ ବନ୍ୟାଜଳ ଚାଲିବା ଆରମ୍ଭ କରିଛି।
ବିଲିପଡ଼ା-ତାଳବସ୍ତ ରାସ୍ତାରେ ପ୍ରାୟ ଏକ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି କଇଁଆ ନାଳ ଉପରେ ପ୍ରାୟ ୨ ଫୁଟ୍ ଉଚ୍ଚରେ ପାଣି ଚାଲୁଛି। ସୁବର୍ଣ୍ଣପୁର-ରତାଗଡ଼ ରାସ୍ତାର ହୁଳୁହୁଳା ପୋଲ ମଧ୍ୟ ବନ୍ୟାଜଳରେ ବୁଡ଼ିଯାଇଥିବା ଜଣାପଡ଼ିଛି। ଏଠାରେ ପ୍ରାୟ ୨ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି।
ବନ୍ୟାଜଳ ଧୀରେ ଧୀରେ ଚାଷଜମିକୁ ମାଡ଼ିଯିବାରୁ ଶହ ଶହ ହେକ୍ଟର ଜମି ଜଳମଗ୍ନ ହୋଇଛି। ଫଳରେ ଚାଷ ନଷ୍ଟ ହେବା ଆଶଙ୍କାରେ ଚାଷୀମାନଙ୍କ ଚିନ୍ତା ବଢ଼ିଛି।
ଏପଟେ ଜଳସ୍ତର ଓ ବନ୍ୟାଜଳର ଗତିବିଧି ଉପରେ ସ୍ଥାନୀୟ ପ୍ରଶାସନ ନଜର ରଖିଛି। ତଳିଆ ଅଞ୍ଚଳର ସ୍ଥିତି ଉପରେ ନିୟମିତ ନଜର ରଖାଯିବା ସହ ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ନେଇ ପ୍ରସ୍ତୁତି ରଖାଯାଇଛି। ତେବେ ମହାନଦୀରେ ଜଳପ୍ରବାହ ଆହୁରି ବଢ଼ିଲେ ବାଙ୍କୀ ଓ ଡମପଡ଼ାର ତଳିଆ ଅଞ୍ଚଳରେ ପରିସ୍ଥିତି ଅଧିକ ଜଟିଳ ହେବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ରହିଛି।
