Home FeaturedMMDR ସଂଶୋଧନ ବିରୋଧରେ କାଲି କଂଗ୍ରେସର ବିକ୍ଷୋଭ, ୨୦ ସାଂସଦଙ୍କ ନିରବତାକୁ ନେଇ ତାରାଙ୍କ ପ୍ରଶ୍ନ

MMDR ସଂଶୋଧନ ବିରୋଧରେ କାଲି କଂଗ୍ରେସର ବିକ୍ଷୋଭ, ୨୦ ସାଂସଦଙ୍କ ନିରବତାକୁ ନେଇ ତାରାଙ୍କ ପ୍ରଶ୍ନ

by Lokanath Panigrahi
0 comments

ଭୁବନେଶ୍ୱର: MMDR ସଂଶୋଧନ ଆଇନକୁ ନେଇ ଓଡ଼ିଶାରେ ରାଜନୈତିକ ବିବାଦ ଜାରି ରହିଛି। ଏହି ପ୍ରସଙ୍ଗରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ବିଧାନସଭା ଘେରାଉ ପାଇଁ କଂଗ୍ରେସ ସହ ବାମଦଳଗୁଡ଼ିକ ପକ୍ଷରୁ ମଧ୍ୟ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗରେ ଓଡ଼ିଶାରୁ ନିର୍ବାଚିତ ସାଂସଦମାନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ରାଜ୍ୟର ୨୦ ଜଣ ସାଂସଦ ଏହି ପ୍ରସଙ୍ଗରେ ସଂସଦରେ ନିଜର ମତ ରଖିନାହାନ୍ତି। ଏହାର ପ୍ରତିବାଦରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି।

ତାରା ବାହିନୀପତି କହିଛନ୍ତି ଯେ, ରାଜ୍ୟର ସ୍ୱାର୍ଥ ସହ ଜଡ଼ିତ ଏହି ପ୍ରସଙ୍ଗକୁ କଂଗ୍ରେସ ପ୍ରଥମେ ବିଧାନସଭାରେ ଉଠାଇଥିଲା। ପରବର୍ତ୍ତୀ ସମୟରେ ବିଜେଡି ମଧ୍ୟ ଏହି ଦାବିକୁ ସମର୍ଥନ କରିଥିବା ସେ ଦାବି କରିଛନ୍ତି। ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାର ସମ୍ପର୍କିତ ପ୍ରସଙ୍ଗ ଆଗାମୀ ଦିନରେ ମଧ୍ୟ ଉଠାଯିବ ବୋଲି ସେ କହିଛନ୍ତି।

ଚଳିତ ବିଧାନସଭା ଅଧିବେଶନରେ MMDR Amendment Act, 2026କୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଲଗାତାର ବିରୋଧ କରୁଛନ୍ତି। ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ବିରୋଧୀ ବିଧାୟକମାନେ ଗୃହ ଭିତରେ ପ୍ରତିବାଦ ଓ ନାରାବାଜି କରିଛନ୍ତି। ଫଳରେ ଅଧିବେଶନର ବିଭିନ୍ନ ଦିନରେ ଗୃହ କାର୍ଯ୍ୟ ପ୍ରଭାବିତ ହୋଇଛି।

କଂଗ୍ରେସର ଅଭିଯୋଗ ହେଉଛି, MMDR ସଂଶୋଧନ ଦ୍ୱାରା ଓଡ଼ିଶାର ଖଣିଜ ସମ୍ପଦ, ରାଜସ୍ୱ ସ୍ୱାର୍ଥ ଏବଂ ଖଣି ଅଞ୍ଚଳ ସହ ଜଡ଼ିତ ଲୋକଙ୍କ ଅଧିକାର ପ୍ରଭାବିତ ହୋଇପାରେ। ଏହି କାରଣରୁ ଆଇନର ସଂଶୋଧନ ପ୍ରତ୍ୟାହାର ଦାବି କରୁଛି ଦଳ।

ଅନ୍ୟପଟେ ଏହି ପ୍ରସଙ୍ଗରେ ବିଜେଡି ମଧ୍ୟ ନିଜର ଆନ୍ଦୋଳନକୁ ତୀବ୍ର କରିଛି। MMDR ପ୍ରସଙ୍ଗକୁ ନେଇ ଉଭୟ ବିରୋଧୀ ଦଳର ପ୍ରତିବାଦ ଯୋଗୁଁ ବିଧାନସଭାରେ ରାଜନୈତିକ ତାତି ଜାରି ରହିଛି। ଆସନ୍ତାକାଲିର କଂଗ୍ରେସ ଓ ବାମଦଳର ବିକ୍ଷୋଭକୁ ନେଇ ଏହି ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାରେ ଆସିଛି।

You may also like

Leave a Comment