ଭୁବନେଶ୍ୱର: ଦୁର୍ଗାପୂଜାକୁ ନଜରରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଥିବା ବେଳେ ରାଜଧାନୀରେ ଲୁଟ୍ ଘଟଣା ଚିନ୍ତା ବଢ଼ାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ନାଗରିକଙ୍କଠାରୁ ଦୁଇ ଦୁର୍ବୃତ୍ତ ୫୦ ହଜାର ଟଙ୍କା ଥିବା ବ୍ୟାଗ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି।
ଲୁଟ୍ର ଶିକାର ହୋଇଛନ୍ତି ପୂର୍ବତନ ସଚିବାଳୟ କର୍ମଚାରୀ ସୁରେନ୍ଦ୍ର ନାଥ ନାୟକ। ରୁଚିକା ମାର୍କେଟ୍ ନିକଟରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ୨୫ରେ ଏହି ଘଟଣା ଘଟିଥିବା ସେ ଅଭିଯୋଗ କରିଛନ୍ତି।
ସୁରେନ୍ଦ୍ର ଏକ ସ୍ଥାନୀୟ ବ୍ୟାଙ୍କରୁ ନିଜ ପେନସନ୍ ଟଙ୍କା ୫୦ ହଜାର ଉଠାଇ ଘରକୁ ଫେରୁଥିଲେ। ଟଙ୍କା ଏକ ବ୍ୟାଗରେ ରଖି ସେ ଚାଲିଚାଲି ଯାଉଥିବା ବେଳେ ଲେନ୍ସକାର୍ଟ ଶୋରୁମ୍ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ତାଙ୍କ ନିକଟକୁ ଆସିଥିଲେ।
କିଛି ବୁଝିବା ପୂର୍ବରୁ ବାଇକ୍ରେ ଥିବା ଦୁଇ ଜଣ ତାଙ୍କ ହାତରୁ ବ୍ୟାଗଟି ଟାଣି ନେଇ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ। ଜଣେ ହେଲମେଟ୍ ଓ ଅନ୍ୟ ଜଣେ ଟୋପି ପିନ୍ଧିଥିବା ସୁରେନ୍ଦ୍ର ସୂଚନା ଦେଇଛନ୍ତି। ସେ ଦୁର୍ବୃତ୍ତଙ୍କ ପଛରେ ଦୌଡ଼ିଥିଲେ ମଧ୍ୟ ସେମାନଙ୍କୁ ଧରିବା ସମ୍ଭବ ହୋଇନଥିଲା।
ବ୍ୟାଗରେ ୫୦ ହଜାର ଟଙ୍କା ସହ ପାସବୁକ୍, ଚେକ୍ବୁକ୍ ଓ ମୋବାଇଲ୍ ଫୋନ୍ ମଧ୍ୟ ଥିବା ଜଣାପଡ଼ିଛି। ଘଟଣା ପରେ ସୁରେନ୍ଦ୍ର ଭରତପୁର ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ପୁଲିସ ଯାଞ୍ଚ କରୁଛି। ଲୁଟେରାଙ୍କ ପରିଚୟ ଓ ଗତିବିଧି ସମ୍ପର୍କରେ ସୁରାକ୍ ମିଳାଇବାକୁ ତଦନ୍ତ ଜାରି ରହିଛି।
ଭରତପୁର ଥାନାଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ କହିବାନୁସାରେ, ଅଭିଯୋଗ ମିଳିବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା। ଏକାଧିକ ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ଅଭିଯୁକ୍ତଙ୍କୁ ଶୀଘ୍ର ଧରିବାକୁ ଉଦ୍ୟମ ଚାଲିଛି।
ଅନ୍ୟପକ୍ଷରେ, ନିଜ ଟଙ୍କା ଫେରିପାଇବା ସହ ରାଜଧାନୀରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଅଧିକ ପଦକ୍ଷେପ ନେବାକୁ ସୁରେନ୍ଦ୍ର ପୁଲିସ ନିକଟରେ ଅନୁରୋଧ କରିଛନ୍ତି।
