Home Odishaଗରିବଙ୍କ ପକ୍କା ଘର ସ୍ୱପ୍ନକୁ ମିଳିବ ନୂଆ ରୂପ: ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨.୯୧ ଲକ୍ଷ ଘର ନିର୍ମାଣକୁ ମଞ୍ଜୁରି

ଗରିବଙ୍କ ପକ୍କା ଘର ସ୍ୱପ୍ନକୁ ମିଳିବ ନୂଆ ରୂପ: ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨.୯୧ ଲକ୍ଷ ଘର ନିର୍ମାଣକୁ ମଞ୍ଜୁରି

by Akshay Maharana
0 comments

ରାଜ୍ୟର ଗରିବ, ଅସହାୟ ଓ ବାସଗୃହରୁ ବଞ୍ଚିତ ପରିବାରଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ଆଉ ୨ ଲକ୍ଷ ୯୧ ହଜାର ୬୬୬ଟି ନୂଆ ପକ୍କା ଘର ନିର୍ମାଣ କରାଯିବ। ଏଥିସହ ଯୋଜନାର କାର୍ଯ୍ୟକାଳ ଆଉ ଦୁଇ ବର୍ଷ ବୃଦ୍ଧି କରାଯାଇଛି। ପୂର୍ବରୁ ୨୦୨୭ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଯୋଜନାର ଅବଧି ଏବେ ୨୦୨୯ ପର୍ଯ୍ୟନ୍ତ ବଢ଼ିଛି। ଏହାଦ୍ୱାରା ରାଜ୍ୟର ଅଧିକ ଯୋଗ୍ୟ ପରିବାରଙ୍କୁ ପକ୍କା ଘର ଯୋଗାଇଦେବାର ବାଟ ପ୍ରଶସ୍ତ ହେବ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଯୋଜନାର ମୋଟ ପ୍ରକଳ୍ପ ବ୍ୟୟ ୭,୫୫୦ କୋଟି ଟଙ୍କା ପୂର୍ବପରି ଅପରିବର୍ତ୍ତିତ ରହିବ। ତେବେ ଯୋଜନାରେ ଘର ମରାମତି ପାଇଁ ଉଦ୍ଦିଷ୍ଟ ୩,୫୦୦ କୋଟି ଟଙ୍କାକୁ ନୂଆ ଘର ନିର୍ମାଣରେ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ପରିବର୍ତ୍ତନ ଫଳରେ ଅଧିକ ସଂଖ୍ୟକ ଘରହୀନ ଓ ଯୋଗ୍ୟ ଗରିବ ପରିବାରଙ୍କୁ ଆବାସ ସୁବିଧା ଯୋଗାଇଦେବା ସମ୍ଭବ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

ହିତାଧିକାରୀମାନେ ଯେପରି ଶୀଘ୍ର ଘର ନିର୍ମାଣ ସମ୍ପୂର୍ଣ୍ଣ କରିପାରିବେ, ସେଥିପାଇଁ ପ୍ରୋତ୍ସାହନ ରାଶି ଓ ନିର୍ମାଣ ସମୟସୀମାରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ପୂର୍ବରୁ ଚାରି ମାସ ମଧ୍ୟରେ ଘର ନିର୍ମାଣ ଶେଷ କରୁଥିବା ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ପ୍ରୋତ୍ସାହନ ମିଳୁଥିଲା। ଏବେ ପାଞ୍ଚ ମାସ ମଧ୍ୟରେ ଘର ସମ୍ପୂର୍ଣ୍ଣ କଲେ ୩୫ ହଜାର ଟଙ୍କା ମିଳିବ।

ସେହିପରି ପୂର୍ବରୁ ଛଅ ମାସ ମଧ୍ୟରେ ଘର ନିର୍ମାଣ ଶେଷ କଲେ ୧୦ ହଜାର ଟଙ୍କା ପ୍ରୋତ୍ସାହନ ଦିଆଯାଉଥିଲା। ନୂଆ ନିଷ୍ପତ୍ତି ଅନୁଯାୟୀ, ସାତ ମାସ ମଧ୍ୟରେ ଘର ନିର୍ମାଣ ସମ୍ପୂର୍ଣ୍ଣ କଲେ ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ମିଳିବ।

ଏହାଦ୍ୱାରା ପ୍ରୋତ୍ସାହନ ରାଶି ବଢ଼ିବା ସହ ଘର ନିର୍ମାଣ ପାଇଁ ହିତାଧିକାରୀଙ୍କୁ ଅଧିକ ସମୟ ମଧ୍ୟ ମିଳିବ।

ଯୋଜନାର ସୁଫଳ ଯୋଗ୍ୟ ପରିବାରଙ୍କ ନିକଟରେ ପହଞ୍ଚାଇବା ପାଇଁ ନୂଆ ସର୍ଭେ କରାଯିବ। ଏଥିପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଶୀଘ୍ର ସର୍ଭେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ଆବାସ ସହାୟତା ବାବଦରେ ୪୮,୫୦୦ ଟଙ୍କା କିମ୍ବା ତାହାଠାରୁ କମ୍ ରାଶି ପାଇଥିବା ହିତାଧିକାରୀଙ୍କ ସହ ଅନ୍ୟ ଯୋଗ୍ୟ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଯିବ।

ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇନଥିବା ଗରିବ ଓ ଅସହାୟ ପରିବାରଙ୍କ ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟକାରୀ କରାଯାଉଛି।

ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ରାଜ୍ୟର ମୋଟ ପାଞ୍ଚ ଲକ୍ଷ ପରିବାରଙ୍କ ପାଇଁ ଘର ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଛି। ନୂଆ ନିଷ୍ପତ୍ତି ମାଧ୍ୟମରେ ଏହି ଲକ୍ଷ୍ୟ ପୂରଣ ଦିଗରେ ଅଧିକ ପରିବାରଙ୍କୁ ଯୋଜନାର ପରିସରକୁ ଅଣାଯିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ରାଜ୍ୟରେ ସମସ୍ତଙ୍କ ପାଇଁ ଘର ଯୋଗାଇଦେବାର ଲକ୍ଷ୍ୟ ଖୁବ୍‌ଶୀଘ୍ର ହାସଲ କରାଯିବ। ଯୋଜନାର ଅବଧି ବୃଦ୍ଧି, ଅତିରିକ୍ତ ଘର ନିର୍ମାଣ ଏବଂ ପ୍ରୋତ୍ସାହନ ରାଶିରେ ବୃଦ୍ଧି ଦ୍ୱାରା ଅଧିକ ଯୋଗ୍ୟ ପରିବାର ଉପକୃତ ହୋଇପାରିବେ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଆବାସ ସୁବିଧାରୁ ବଞ୍ଚିତ ଗରିବ ପରିବାରଙ୍କ ପାଇଁ ନୂଆ ଘର ନିର୍ମାଣର ସୁଯୋଗ ସୃଷ୍ଟି ହେବା ସହ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାର ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ସହାୟତା ମିଳିବ।

You may also like

Leave a Comment