Home » Blog » ବେଙ୍ଗାଲୁରୁ ମେଟ୍ରୋର ପିଙ୍କ୍ ଲାଇନ୍‌ ଉଦ୍‌ଘାଟନ କଲେ ମୋଦି, ନିଜେ ଟିକେଟ୍ କିଣି କଲେ ଯାତ୍ରା

ବେଙ୍ଗାଲୁରୁ ମେଟ୍ରୋର ପିଙ୍କ୍ ଲାଇନ୍‌ ଉଦ୍‌ଘାଟନ କଲେ ମୋଦି, ନିଜେ ଟିକେଟ୍ କିଣି କଲେ ଯାତ୍ରା

by Akshay Maharana
0 comments

ବେଙ୍ଗାଲୁରୁ: ବେଙ୍ଗାଲୁରୁବାସୀଙ୍କ ପାଇଁ ବଡ଼ ଖୁସି ଖବର। ଶୁକ୍ରବାର ବେଙ୍ଗାଲୁରୁ ମେଟ୍ରୋର ବହୁ ପ୍ରତୀକ୍ଷିତ ପିଙ୍କ୍ ଲାଇନ୍‌ର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରାୟ ୩,୪୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂଆ ମେଟ୍ରୋ କରିଡର୍ ସହରର ଯାତାୟାତ ବ୍ୟବସ୍ଥାକୁ ଆହୁରି ସୁଗମ କରିବ।

ପ୍ରଧାନମନ୍ତ୍ରୀ ମୋଦି ପିଙ୍କ୍ ଲାଇନ୍‌ର ୭.୫ କିଲୋମିଟର ଦୀର୍ଘ ଏଲିଭେଟେଡ୍ କରିଡର୍‌ର ଶୁଭାରମ୍ଭ କରିଛନ୍ତି। ଏହା କାଲେନା ଅଗ୍ରହାରାରୁ ଟାଭାରେକେରେ ପର୍ଯ୍ୟନ୍ତ ସଂଯୋଗ କରୁଛି। ଉଦ୍‌ଘାଟନ ପରେ ମୋଦୀ ଟାଭାରେକେରେରୁ ଆଇଆଇଏମ୍ ବେଙ୍ଗାଲୁରୁ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ।

ସବୁଠୁ ଆକର୍ଷଣୀୟ କଥା ହେଉଛି, ମେଟ୍ରୋରେ ଚଢ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜେ ୟୁପିଆଇ ମାଧ୍ୟମରେ ଟିକେଟ୍ କିଣିଥିଲେ। ତାଙ୍କ ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର, ରାଜ୍ୟପାଳ ସୁଧା ଯାଦବ, ସାଂସଦ ତେଜସ୍ୱୀ ସୂର୍ଯ୍ୟ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମେଟ୍ରୋରେ ଯାତ୍ରା କରିଥିଲେ।

ସମ୍ପୂର୍ଣ୍ଣ ପିଙ୍କ୍ ଲାଇନ୍‌ର ଦୈର୍ଘ୍ୟ ପ୍ରାୟ ୨୧.୨୫ କିଲୋମିଟର ହୋଇଥିବାବେଳେ ଏଥିରେ ମୋଟ ୧୮ଟି ଷ୍ଟେସନ ରହିବ। ବର୍ତ୍ତମାନ ୬ଟି ଷ୍ଟେସନ ବିଶିଷ୍ଟ ଏଲିଭେଟେଡ୍ ଅଂଶ ଉଦ୍‌ଘାଟିତ ହୋଇଥିବାବେଳେ ଅନ୍ୟ ୧୨ଟି ଭୂତଳ ଷ୍ଟେସନର କାମ ଜାରି ରହିଛି। ନଭେମ୍ବର ୧୪ ତାରିଖ ସକାଳ ୬ଟାରୁ ସାଧାରଣ ଯାତ୍ରୀଙ୍କ ପାଇଁ ଏହି ସେବା ଆରମ୍ଭ ହେବ।

ଅନ୍ୟପଟେ କର୍ଣ୍ଣାଟକ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ୧୫,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ଓ ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମ ମଧ୍ୟ ରହିଛି। ନୂଆ ମେଟ୍ରୋ ଲାଇନ୍‌ ଦ୍ୱାରା ବେଙ୍ଗାଲୁରୁରେ ଟ୍ରାଫିକ୍ ସମସ୍ୟା ହ୍ରାସ ପାଇବା ସହ ସାଧାରଣ ଲୋକଙ୍କ ଯାତ୍ରା ସମୟ କମିବ ବୋଲି ଆଶା କରାଯାଉଛି।

You may also like

Leave a Comment