Home » Blog » କୁଲଗାମରେ ଲସ୍କର କମାଣ୍ଡର ଲତିଫ ଭଟ୍ଟ ନିହତ: ଅପରେସନକୁ ନେଇ ସୁରକ୍ଷାବାହିନୀର ପ୍ରଶଂସା କଲେ ଅମିତ ଶାହ

କୁଲଗାମରେ ଲସ୍କର କମାଣ୍ଡର ଲତିଫ ଭଟ୍ଟ ନିହତ: ଅପରେସନକୁ ନେଇ ସୁରକ୍ଷାବାହିନୀର ପ୍ରଶଂସା କଲେ ଅମିତ ଶାହ

by Lokanath Panigrahi
0 comments

ଘାଟିରେ ଲସ୍କରର ଶେଷ ସକ୍ରିୟ ସ୍ଥାନୀୟ ଆତଙ୍କବାଦୀ ନିପାତ

ଜମ୍ମୁ-କାଶ୍ମୀର ପୋଲିସ, ସେନା ଓ CRPFର ମିଳିତ ଅପରେସନକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା

CRPF ଯବାନଙ୍କ ଉପରେ ଆକ୍ରମଣରେ ସମ୍ପୃକ୍ତ ଥିଲା ଲତିଫ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ସହ ଗୁଳି ବିନିମୟରେ ଲସ୍କର-ଏ-ତୈବାର ଶୀର୍ଷ କମାଣ୍ଡର ଲତିଫ ଭଟ୍ଟ ନିହତ ହୋଇଛି। ଏହି ସଫଳତା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୁରକ୍ଷାବାହିନୀର ସାହସ ଓ ସମନ୍ୱୟକୁ ପ୍ରଶଂସା କରିଛନ୍ତି। ଜମ୍ମୁ-କାଶ୍ମୀର ପୋଲିସ, ଭାରତୀୟ ସେନା, CRPF ଓ ଗୁଇନ୍ଦା ସଂସ୍ଥାର ମିଳିତ ଉଦ୍ୟମରେ ଏହି ଅପରେସନ ସଫଳ ହୋଇଥିବା ସେ କହିଛନ୍ତି।

ନିଜର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଅମିତ ଶାହ କହିଛନ୍ତି ଯେ, ସୁରକ୍ଷାବାହିନୀର ମିଳିତ ଅଭିଯାନରେ ବୁଧବାର ଭୋର ସମୟରେ କୁଲଗାମରେ ଲସ୍କରର ଉପତ୍ୟକାରେ ସକ୍ରିୟ ଥିବା ଶେଷ ସ୍ଥାନୀୟ ଆତଙ୍କବାଦୀ ଲତିଫ ଭଟ୍ଟକୁ ନିପାତ କରାଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ତା’ର ସହଯୋଗୀ ଉମର ନିସାରକୁ ମଧ୍ୟ ସୁରକ୍ଷାବାହିନୀ ନିହତ କରିଥିଲା। ଅପରେସନରେ ଉତ୍ତମ ସମନ୍ୱୟ ପ୍ରଦର୍ଶନ କରିଥିବା ସମସ୍ତ ସୁରକ୍ଷାକର୍ମୀଙ୍କୁ ଦେଶ ସଲାମ କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।

CRPF ଯବାନଙ୍କ ଉପରେ ଆକ୍ରମଣରେ ଥିଲା ସମ୍ପୃକ୍ତି

ଅଧିକାରୀଙ୍କ ସୂଚନା ଅନୁଯାୟୀ, ନଭେମ୍ବର ୧୧ରେ କୁଲଗାମରେ CRPF ଯବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ଲତିଫ ଭଟ୍ଟ ଓ ଉମର ନିସାର ଡାର ସମ୍ପୃକ୍ତ ଥିଲେ। ଏହି ଆକ୍ରମଣରେ CRPFର ତିନି ଜଣ ଯବାନ ଆହତ ହୋଇଥିଲେ। ସୋମବାର ଦକ୍ଷିଣ କାଶ୍ମୀରର ଲାରୁ ବାଇପାସ୍ ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଉମର ନିସାର ନିହତ ହୋଇଥିଲା। ସେହି ସମୟରେ ଲତିଫ ଖସିଯିବାରେ ସଫଳ ହୋଇଥିଲା।

ଗୁଇନ୍ଦା ସୂଚନା ଆଧାରରେ ଚାଲିଥିଲା ଅପରେସନ

ପରବର୍ତ୍ତୀ ସମୟରେ ଗୁଇନ୍ଦା ସୂଚନା ମିଳିବା ପରେ ଦକ୍ଷିଣ କାଶ୍ମୀରର ଦେବସର ଅଞ୍ଚଳ ଅନ୍ତର୍ଗତ ଜଙ୍ଗଲପୋରା ଗାଁରେ ସୁରକ୍ଷାବାହିନୀ ସ୍ୱତନ୍ତ୍ର ଘେରାବନ୍ଦୀ ଓ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ଏଥିରେ ଲସ୍କରର ଶୀର୍ଷ କମାଣ୍ଡର ଲତିଫ ଭଟ୍ଟ ନିହତ ହୋଇଥିଲା।

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ନେଟୱର୍କ ଧ୍ୱଂସ କରିବା ପାଇଁ ସୁରକ୍ଷାବାହିନୀର ଅଭିଯାନ ଜାରି ରହିଛି। ଏହି ସଫଳତାକୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ଏକ ବଡ଼ ଉପଲବ୍ଧି ଭାବେ ଦେଖାଯାଉଛି।

You may also like

Leave a Comment