ନୂଆଦିଲ୍ଲୀ: ବାରାଣସୀର ଜ୍ଞାନବାପୀ ମସଜିଦ, ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ଏବଂ ଉତ୍ତର ପ୍ରଦେଶର ସମ୍ଭଲ ଶାହି ଜାମା ମସଜିଦ ବିବାଦ ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ଦିଆଯାଇଥିବା ମଧ୍ୟସ୍ଥତା ପ୍ରସ୍ତାବକୁ ହିନ୍ଦୁ ଓ ମୁସଲିମ ପକ୍ଷ ଅସ୍ୱୀକାର କରିଛନ୍ତି। ଏହି ମାମଲାଗୁଡ଼ିକରେ ଜଟିଳ ଆଇନଗତ ପ୍ରଶ୍ନ ଜଡ଼ିତ ଥିବାରୁ କୋର୍ଟରେ ଶୁଣାଣି ହେବା ହିଁ ଉଚିତ ବୋଲି ଉଭୟ ପକ୍ଷ ମତ ରଖିଛନ୍ତି।
ସୁପ୍ରିମକୋର୍ଟ ୨୧ରୁ ୨୩ ଅଗଷ୍ଟ ମଧ୍ୟରେ ଆୟୋଜିତ ହେବାକୁ ଥିବା ‘ସମାଧାନ ସମାରୋହ’ କାର୍ଯ୍ୟକ୍ରମ ପାଇଁ ଏହି ମାମଲାର ପକ୍ଷକାରମାନଙ୍କୁ ନୋଟିସ ପଠାଇଥିଲେ। ତେବେ ସମସ୍ତ ପକ୍ଷ ଏହି ପ୍ରକ୍ରିୟାରେ ସାମିଲ ହେବାକୁ ମନା କରିଛନ୍ତି।
କ’ଣ ଜ୍ଞାନବାପୀ ମସଜିଦ ବିବାଦ?
ବାରାଣସୀର ଜ୍ଞାନବାପୀ ପରିସରର ଧାର୍ମିକ ସ୍ୱରୂପକୁ ନେଇ ଏହି ବିବାଦ ଚାଲିଛି। ହିନ୍ଦୁ ପକ୍ଷର ଦାବି ହେଉଛି, ଏହି ସ୍ଥାନରେ ପୂର୍ବରୁ ଏକ ପ୍ରାଚୀନ ମନ୍ଦିର ଥିଲା ଏବଂ ମସଜିଦର ତଳଘରେ ବର୍ଷ ବର୍ଷ ଧରି ପୂଜାପାଠ ହେଉଥିଲା। ସେମାନଙ୍କ ଅଭିଯୋଗ ଅନୁଯାୟୀ, ମୁଘଲ ସମ୍ରାଟ ଔରଙ୍ଗଜେବଙ୍କ ସମୟରେ ମନ୍ଦିରର ଏକ ଅଂଶ ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିଲା।
ଅନ୍ୟପଟେ ମୁସଲିମ ପକ୍ଷ କହୁଛି ଯେ, ମସଜିଦ ଉପରେ ଦୀର୍ଘଦିନ ଧରି ମୁସଲିମ ସମ୍ପ୍ରଦାୟର ଅଧିକାର ରହିଛି ଏବଂ ହିନ୍ଦୁ ପକ୍ଷର ଦାବି ଐତିହାସିକ ତଥ୍ୟ ସହ ମେଳ ଖାଉନାହିଁ।
ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ବିବାଦ
ମଥୁରାରେ ଥିବା ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହି ଇଦଗାହ ମସଜିଦକୁ ନେଇ ମଧ୍ୟ ବିବାଦ ଚାଲିଛି। ହିନ୍ଦୁ ପକ୍ଷର ଦାବି ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ଭାବେ ପରିଚିତ ଜମି ଉପରେ ଶାହି ଇଦଗାହ ମସଜିଦ ନିର୍ମାଣ କରାଯାଇଛି।
ଏହି ମାମଲାରେ ହିନ୍ଦୁ ପକ୍ଷ ମସଜିଦକୁ ବର୍ତ୍ତମାନ ସ୍ଥାନରୁ ହଟାଇବାକୁ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏଠାରେ ପୂର୍ବରୁ ଏକ ହିନ୍ଦୁ ମନ୍ଦିର ଥିବାର ପ୍ରମାଣ ମିଳୁଛି। ତେବେ ମୁସଲିମ ପକ୍ଷ ଏହି ଦାବିକୁ ଖଣ୍ଡନ କରିଛନ୍ତି।
ସମ୍ଭଲ ଶାହି ଜାମା ମସଜିଦ ବିବାଦ
ଉତ୍ତର ପ୍ରଦେଶର ସମ୍ଭଲ ଶାହି ଜାମା ମସଜିଦକୁ ନେଇ ବିବାଦ ଗତ ବର୍ଷ ଅଧିକ ଚର୍ଚ୍ଚାରେ ଆସିଥିଲା। ୧୯ ନଭେମ୍ବର ୨୦୨୪ରେ ଏକ ସିଭିଲ କୋର୍ଟ ମସଜିଦର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସର୍ଭେକୁ ନେଇ ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପଥରମାଡ଼ ଓ ଗାଡ଼ି ଜାଳିଦେବା ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ୨୪ ନଭେମ୍ବରରେ ଦ୍ୱିତୀୟ ଥର ସର୍ଭେ ପାଇଁ ଟିମ୍ ପହଞ୍ଚିବା ବେଳେ ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ ହିଂସା ଘଟିଥିଲା।
ବର୍ତ୍ତମାନ ଏହି ତିନୋଟି ସମ୍ବେଦନଶୀଳ ମାମଲାରେ ମଧ୍ୟସ୍ଥତାର ସମ୍ଭାବନା ନ ଥିବାରୁ ସୁପ୍ରିମକୋର୍ଟରେ ନିୟମିତ ଶୁଣାଣି ମାଧ୍ୟମରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
