ବାତ୍ୟା ‘ଆକୱାନ୍’କୁ ନେଇ ଆକ୍ସନ୍ ମୋଡ୍ରେ ରାଜ୍ୟ ସରକାର। ପୁରୀ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉଦ୍ଧାର, ଥଇଥାନ ଓ ରିଲିଫ୍ କାର୍ଯ୍ୟକୁ ନେଇ ପ୍ରଶାସନକୁ ଦେଲେ କଡ଼ା ନିର୍ଦ୍ଦେଶ। ବାତ୍ୟାରେ ଯେପରି ଜଣେ ବି ଲୋକଙ୍କ ଜୀବନ ନଯାଏ, ସେଥିପାଇଁ ସରକାରଙ୍କ ଶୂନ୍ୟ ଜୀବନହାନି ଲକ୍ଷ୍ୟକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ।
ଆଜି ପୁରୀ ଜିଲ୍ଲା ଗସ୍ତରେ ଯାଇ ଆଭାସୀ ମାଧ୍ୟମରେ ସମସ୍ତ ବ୍ଲକର ଅଧିକାରୀଙ୍କ ସହ ଯୋଡ଼ି ହୋଇ ବାତ୍ୟା ପ୍ରସ୍ତୁତିର ସ୍ଥିତି ପରଖିଛନ୍ତି ପ୍ରଭାତୀ ପରିଡ଼ା। ବିଶେଷକରି ଉପକୂଳବର୍ତ୍ତୀ, ତଳିଆ ଓ ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ଉପରେ ଦିଆଯାଇଛି ଗୁରୁତ୍ୱ।
ବିପଦପୂର୍ଣ୍ଣ ଘରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଲୋକଙ୍କୁ ସ୍ଥାନାନ୍ତର କଲେ ହେବ ନାହିଁ, ସେମାନଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ମଧ୍ୟ ସୁନିଶ୍ଚିତ କରିବାକୁ ପଡ଼ିବ। ଆଶ୍ରୟସ୍ଥଳୀରେ ପିଇବା ପାଣି, ଆଲୋକ, ଶୌଚାଳୟ, ରନ୍ଧା ଖାଦ୍ୟ ଓ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ।
ସେହିପରି ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ଦିଆଯାଇଛି ସ୍ୱତନ୍ତ୍ର ପ୍ରାଥମିକତା। ବିଶେଷକରି ଯେଉଁ ମହିଳାଙ୍କ ପ୍ରସବ ସମୟ ନିକଟତର ହୋଇଛି, ସେମାନଙ୍କୁ ଆଗୁଆ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଏଥିସହ ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ଭିନ୍ନକ୍ଷମଙ୍କ ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ରହିଛି।
ବାତ୍ୟା ସମୟରେ କେବଳ ମଣିଷ ନୁହେଁ, ଗୃହପାଳିତ ପଶୁମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାକୁ କହିଛନ୍ତି ପ୍ରଭାତୀ ପରିଡ଼ା। ପଶୁମାନଙ୍କ ପାଇଁ ସୁରକ୍ଷିତ ଆଶ୍ରୟ ଓ ଖାଦ୍ୟ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଅନ୍ୟପଟେ ପ୍ରବଳ ପବନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହେଲେ ତୁରନ୍ତ ସଫା କରିବା, ବିଦ୍ୟୁତ୍ ସରବରାହ ବନ୍ଦ ହେଲେ ବିକଳ୍ପ ଆଲୋକ ବ୍ୟବସ୍ଥା କରିବା ଏବଂ ଦୁର୍ବଳ ବିଦ୍ୟୁତ୍ ଖୁଣ୍ଟ ଓ ଝୁଲନ୍ତା ତାରକୁ ସୁରକ୍ଷିତ କରିବା ପାଇଁ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ନଜର ରଖିବା ସହ ଜରୁରୀକାଳୀନ ସେବାକୁ ସଜାଗ ରଖିବାକୁ କୁହାଯାଇଛି।
ଏହାସହ ବାତ୍ୟା ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ଠିକ୍ ସମୟରେ ରନ୍ଧା ଖାଦ୍ୟ ଯୋଗାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ଜନପ୍ରତିନିଧିମାନେ। ଆଶ୍ରୟସ୍ଥଳୀରେ ରୋଷେଇ କରିବା କିମ୍ବା ନିକଟସ୍ଥ ସ୍ଥାନରେ ଖାଦ୍ୟ ପ୍ରସ୍ତୁତ କରି ନିର୍ଦ୍ଧାରିତ ସମୟରେ ପହଞ୍ଚାଇବାକୁ ପରାମର୍ଶ ଦିଆଯାଇଛି।
ଏହି ସମୀକ୍ଷାରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଏବଂ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ। ସେହିପରି ପୁରୀ ଜିଲ୍ଲା ପାଇଁ ନିଯୁକ୍ତ ବରିଷ୍ଠ ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ ଗୋପ ବ୍ଲକରୁ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ପ୍ରସ୍ତୁତି ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ।
ମୋଟାମୋଟି ଭାବେ ବାତ୍ୟା ଆସିବା ପୂର୍ବରୁ ଲୋକଙ୍କ ସୁରକ୍ଷା, ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ବ୍ୟବସ୍ଥାକୁ ନେଇ ପୂରା ପ୍ରଶାସନ ସଜାଗ ରହିଛି। ଶୂନ୍ୟ ଜୀବନହାନି ଲକ୍ଷ୍ୟ ନେଇ ପ୍ରତ୍ୟେକ ସ୍ତରରେ ପ୍ରସ୍ତୁତିକୁ ଜୋରଦାର କରାଯାଉଛି।
