ଓଡ଼ିଶାର ପରବର୍ତ୍ତୀ ପୁଲିସ ମୁଖିଆ କିଏ ହେବେ, ତାକୁ ନେଇ ଦ୍ୱନ୍ଦ୍ୱ ଦୂର ହେଉନାହିଁ। ନିୟମିତ ଡିଜିପି ନିଯୁକ୍ତି ପ୍ରକ୍ରିୟା ଅଦାଲତରେ ବିଚାରାଧୀନ ଥିବାରୁ ସରକାରଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଡିସେମ୍ବର ୧ ତାରିଖରୁ ରାଜ୍ୟକୁ ପୁଣି ଜଣେ ଭାରପ୍ରାପ୍ତ ଡିଜିପିଙ୍କ ଉପରେ ନିର୍ଭର କରିବାକୁ ପଡ଼ିପାରେ।
ସୂଚନା ଅନୁସାରେ, ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ଏଯାଏଁ ଚୂଡ଼ାନ୍ତ ରାୟ ଶୁଣାଇନାହାନ୍ତି। ଅନ୍ୟପଟେ ଅସ୍ଥାୟୀ ଭାବେ ପୁଲିସ ମୁଖିଆ ନିଯୁକ୍ତି ନେଇ ମଧ୍ୟ ନ୍ୟାୟାଳୟଙ୍କ ଆଭିମୁଖ୍ୟ କଠୋର ରହିଛି। ଭାରପ୍ରାପ୍ତ ଡିଜିପି ବ୍ୟବସ୍ଥାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ଅସନ୍ତୋଷ ପ୍ରକାଶ କରିବା ସହ ନିୟମିତ ନିଯୁକ୍ତିରେ ବିଳମ୍ବ କରୁଥିବା ରାଜ୍ୟଗୁଡ଼ିକୁ ଚେତାବନୀ ଦେଇସାରିଛନ୍ତି।
ଏହି ପରିସ୍ଥିତିରେ ଓଡ଼ିଶା ସରକାରଙ୍କ ଆଗରେ ରହିଛି ଏକ ବଡ଼ ଚ୍ୟାଲେଞ୍ଜ। ପୂର୍ବରୁ ବିନୟତୋଷ ମିଶ୍ରଙ୍କୁ ଭାରପ୍ରାପ୍ତ ପୁଲିସ ମୁଖିଆ ଦାୟିତ୍ୱ ଦିଆଯାଇଥିଲା। ତାଙ୍କ ଅବସର ନଭେମ୍ବର ୩୦ରେ ହେବାକୁ ଥିବାରୁ ପରବର୍ତ୍ତୀ ଦିନଠାରୁ ନୂଆ ନିଯୁକ୍ତିର ଆବଶ୍ୟକତା ପଡ଼ିବ। ସେତେବେଳକୁ ଯଦି ସୁପ୍ରିମକୋର୍ଟଙ୍କ ରାୟ ନଆସେ, ତେବେ ସରକାରଙ୍କୁ ବିକଳ୍ପ ବ୍ୟବସ୍ଥା କରିବାକୁ ହେବ।
ଡିଜିପି ପଦ ପାଇଁ କେଉଁ ଅଧିକାରୀଙ୍କ ନାମ ଚୂଡ଼ାନ୍ତ ହେବ, ତାହା ମଧ୍ୟ ଏବେ ଚର୍ଚ୍ଚାର ବିଷୟ। ସୁଧାଂଶୁ କୁମାର ଷଡ଼ଙ୍ଗୀ, ଆର୍ପି କୋଚେ, ସୁଶାନ୍ତ କୁମାର ନାଥ ଏବଂ ସଞ୍ଜୀବ ପଣ୍ଡାଙ୍କ ନାମକୁ ନେଇ ବିଭିନ୍ନ ସମ୍ଭାବନା ଆଲୋଚନା ହେଉଛି। ସୁଶାନ୍ତ ନାଥଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ସମ୍ପର୍କରେ ସରକାରଙ୍କ ଯୁକ୍ତିକୁ କୋର୍ଟ ଗ୍ରହଣ କରିବେ କି ନାହିଁ, ତାହା ମଧ୍ୟ ନିଯୁକ୍ତି ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇଛି।
ଅନ୍ୟପଟେ ଅସ୍ଥାୟୀ ଡିଜିପି ଭାବେ କାହାକୁ ଦାୟିତ୍ୱ ଦିଆଯିବ, ତାହା ମଧ୍ୟ ସରକାରଙ୍କ ପାଇଁ ସହଜ ନିଷ୍ପତ୍ତି ନୁହେଁ। ଡିଜିପି ଦୌଡ଼ରେ ଥିବା ଅଧିକାରୀଙ୍କୁ ଏହି ଦାୟିତ୍ୱ ଦେଲେ ଚୂଡ଼ାନ୍ତ ନିଯୁକ୍ତି ପୂର୍ବରୁ ପକ୍ଷପାତର ଅଭିଯୋଗ ଉଠିପାରେ। ଏଭଳି ସ୍ଥିତିରେ ଯଶବନ୍ତ କୁମାର ଜେଠୱାଙ୍କ ନାମ ମଧ୍ୟ ଏକ ସମ୍ଭାବ୍ୟ ବିକଳ୍ପ ଭାବେ ଚର୍ଚ୍ଚାକୁ ଆସିଛି।
ଏହି ବିଳମ୍ବର ପ୍ରଭାବ କେବଳ ଶୀର୍ଷ ପଦବିରେ ସୀମିତ ରହିବ ନାହିଁ। ଡିଜିପି ନିଯୁକ୍ତି ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା ଓ ସେବାକାଳର ନିୟମ ରହିଛି। ନିୟମିତ ନିଯୁକ୍ତି ବିଳମ୍ବ ହେଲେ ପରବର୍ତ୍ତୀ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ପଦୋନ୍ନତି ଓ ଡିଜିପି ହେବାର ସୁଯୋଗ ମଧ୍ୟ ପ୍ରଭାବିତ ହୋଇପାରେ। ବିଶେଷକରି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ୧୯୯୫ ବ୍ୟାଚ୍ର ଅଧିକାରୀଙ୍କୁ ନେଇ ଏହି ଚିନ୍ତା ବଢ଼ିଛି।
ତେଣୁ ଏବେ ସମସ୍ତଙ୍କ ନଜର ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ। ନିୟମିତ ଡିଜିପି ନିଯୁକ୍ତିର ଅଡ଼ୁଆ କେବେ ତୁଟିବ ଏବଂ ଓଡ଼ିଶା ପୁଲିସକୁ କେବେ ସ୍ଥାୟୀ ମୁଖିଆ ମିଳିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
