Home » Blog » କୋଟିଆ ପ୍ରସଙ୍ଗରେ କଂଗ୍ରେସର ଆକ୍ରମଣାତ୍ମକ ଆଭିମୁଖ୍ୟ, କାଡ଼ାମଙ୍କ ଚିଠି ପରେ ତାରାଙ୍କ ଆତ୍ମାହୁତି ଚେତାବନୀ

କୋଟିଆ ପ୍ରସଙ୍ଗରେ କଂଗ୍ରେସର ଆକ୍ରମଣାତ୍ମକ ଆଭିମୁଖ୍ୟ, କାଡ଼ାମଙ୍କ ଚିଠି ପରେ ତାରାଙ୍କ ଆତ୍ମାହୁତି ଚେତାବନୀ

by Sunita Jena
0 comments

କୋଟିଆକୁ ନେଇ ରାଜ୍ୟ ରାଜନୀତିରେ ଥମୁନି ବିବାଦ। ବିଧାନସଭାର ଚଳିତ ଅଧିବେଶନରେ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାରେ ଲାଗିଛି କଂଗ୍ରେସ। ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ହେଉଥିବା ଉଦ୍ୟମକୁ ବିରୋଧ କରି ଦଳ ନିଜର ଆଭିମୁଖ୍ୟ କଠୋର କରିଛି। ଏହି ପ୍ରସଙ୍ଗରେ କେବଳ ବର୍ତ୍ତମାନର ସରକାର ନୁହେଁ, ପୂର୍ବତନ ବିଜେଡି ସରକାରକୁ ମଧ୍ୟ ଦାୟୀ କରୁଛି କଂଗ୍ରେସ।

ଏହି ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି କୋଟିଆ ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି। ଆନ୍ଧ୍ରର ନିର୍ବାଚନ ଉଦ୍ୟମ ଓଡ଼ିଶାର ପ୍ରଶାସନିକ ଅଧିକାର ସହ ସୀମାନ୍ତ ଅଞ୍ଚଳର ଶାନ୍ତିଶୃଙ୍ଖଳା ପାଇଁ ଚ୍ୟାଲେଞ୍ଜ ବୋଲି ସେ ଦର୍ଶାଇଛନ୍ତି। ଆସନ୍ତା ୨ ତାରିଖରେ ହେବାକୁ ଥିବା ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଉଦ୍ୟମକୁ ରୋକିବା ପାଇଁ ପ୍ରଶାସନିକ ଓ ଆଇନଗତ ସ୍ତରରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

ସୀମାନ୍ତ ଅଞ୍ଚଳରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତି ବଢ଼ାଇବା, ନିୟମିତ ନିରୀକ୍ଷଣ, ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଓ ସାଂସ୍କୃତିକ କେନ୍ଦ୍ର ସ୍ଥାପନ ସହ ଆଦିବାସୀ ଭାଷା ଓ ପରମ୍ପରାର ସୁରକ୍ଷା ଉପରେ କାଡ଼ାମ ଗୁରୁତ୍ୱ ଦେଇଛନ୍ତି। ଏଥିସହ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଭତ୍ତା ଓ ଅନ୍ୟାନ୍ୟ ସୁବିଧାର ତଥ୍ୟ ସଂଗ୍ରହ କରି ଓଡ଼ିଶା ସରକାର ଲୋକଙ୍କୁ ସମାନ କିମ୍ବା ଅଧିକ ସୁବିଧା ଯୋଗାଇଦେବାକୁ ପ୍ରସ୍ତାବ ରଖିଛନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ଏବଂ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ମଧ୍ୟ ଆବଶ୍ୟକ ବୋଲି ସେ କହିଛନ୍ତି।

ଅନ୍ୟପଟେ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ମୋଦୀ ଓ ନବୀନଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ସତ୍ତ୍ୱେ ପୂର୍ବ ବିଜେଡି ସରକାର ସମୟରେ କୋଟିଆ ସମସ୍ୟାର ସମାଧାନ ହୋଇପାରିଲା ନାହିଁ ବୋଲି ସେ କହିଛନ୍ତି। ଏବେ କେନ୍ଦ୍ର ଓ ରାଜ୍ୟରେ ସମାନ ଦଳର ସରକାର ଥିବାରୁ ଏହି ବିବାଦର ସମାଧାନ ପାଇଁ ଅଧିକ ସୁଯୋଗ ରହିଛି ବୋଲି ତାରା ମତ ଦେଇଛନ୍ତି।

ଏଥିପାଇଁ କଂଗ୍ରେସ ଆଲୋଚନା ଚାହୁଁଥିବା କହିବା ସହ ଆବଶ୍ୟକ ପଡ଼ିଲେ ବିଧାନସଭା ଭିତରେ ଆତ୍ମାହୁତି ଦେବାକୁ ମଧ୍ୟ ପଛଘୁଞ୍ଚା ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି। କୋଟିଆର ସୁରକ୍ଷା ଓ ସୀମା ବିବାଦର ସ୍ଥାୟୀ ସମାଧାନ ଦାବିରେ କଂଗ୍ରେସର ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ଏବେ ବିଧାନସଭାରେ ରାଜନୈତିକ ଉଷ୍ମତା ବଢ଼ାଇଛି।

You may also like

Leave a Comment