ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’ ବକ୍ସ ଅଫିସ୍ରେ ନିଜର ଦବ୍ଦବା ଜାହିର କରିଛି। ଭାରତରେ ଭଲ ବ୍ୟବସାୟ କରିବା ପରେ ଏବେ ପଡ଼ୋଶୀ ଦେଶ ନେପାଳରେ ମଧ୍ୟ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି ଏହି ଫିଲ୍ମ। ସେଠାରେ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ଭାବେ ଏହା ଶୀର୍ଷ ସ୍ଥାନ ହାସଲ କରିଛି।
ବକ୍ସ ଅଫିସ୍ ରିପୋର୍ଟ ଅନୁସାରେ, ନେପାଳରେ ‘ରାମାୟଣ’ ୨୬.୯୦ କୋଟି ନେପାଳୀ ଟଙ୍କା ଆୟ କରିଛି। ଏହା ସହ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍ ଫିଲ୍ମ ‘ପୁଷ୍ପା-୨’ର ରେକର୍ଡକୁ ଭାଙ୍ଗି ଦେଇଛି। ‘ପୁଷ୍ପା-୨’ ନେପାଳରେ ୨୬.୪୬ କୋଟି ନେପାଳୀ ଟଙ୍କା ରୋଜଗାର କରି ଦ୍ୱିତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ପ୍ରଭାସଙ୍କ ‘ବାହୁବଳୀ-୨’ ୨୩ କୋଟି, ୟଶଙ୍କ ‘କେଜିଏଫ୍ ଚାପ୍ଟର-୨’ ୧୯.୮୦ କୋଟି ଏବଂ ‘ଆର୍ଆର୍ଆର୍’ ୧୭.୧୨ କୋଟି ନେପାଳୀ ଟଙ୍କା ଆୟ ସହ ପରବର୍ତ୍ତୀ ସ୍ଥାନରେ ରହିଛି।
ଏହି ସଫଳତାକୁ ଆହୁରି ଖାସ୍ କରିଛି ଫିଲ୍ମର କାହାଣୀ ସହ ନେପାଳର ସାଂସ୍କୃତିକ ସମ୍ପର୍କ। ନେପାଳର ଜନକପୁରକୁ ମାତା ସୀତାଙ୍କ ଜନ୍ମସ୍ଥାନ ଭାବେ ବିଶ୍ୱାସ କରାଯାଏ। ଶ୍ରୀରାମ ଓ ସୀତାଙ୍କ ସହ ଜଡ଼ିତ ଧାର୍ମିକ ପରମ୍ପରା ସେଠାକାର ଲୋକଙ୍କ ଆସ୍ଥାର ଏକ ଅଂଶ। ତେଣୁ ରାମାୟଣର କାହାଣୀ ସହ ଦର୍ଶକଙ୍କ ଭାବନାତ୍ମକ ସମ୍ପର୍କ ଫିଲ୍ମର ଲୋକପ୍ରିୟତା ବଢ଼ାଇଥିବା କୁହାଯାଉଛି।
ଅନ୍ୟପଟେ ଭାରତୀୟ ବକ୍ସ ଅଫିସ୍ରେ ମଧ୍ୟ ଫିଲ୍ମଟି ଆକର୍ଷଣୀୟ ବ୍ୟବସାୟ କରିଥିବା ରିପୋର୍ଟରେ ଦାବି କରାଯାଇଛି। ଭାରତରେ ଏହାର ନେଟ୍ କଲେକ୍ସନ ୯୪୨.୭୫ କୋଟି ଟଙ୍କା ଏବଂ ଗ୍ରସ୍ କଲେକ୍ସନ ୧,୧୨୬.୫୦ କୋଟି ଟଙ୍କା ରହିଛି।
ଫିଲ୍ମରେ ରଣବୀର କପୁର ଶ୍ରୀରାମଙ୍କ ଭୂମିକାରେ ଥିବାବେଳେ ସାଇ ପଲ୍ଲବୀ ସୀତା ଏବଂ ୟଶ ରାବଣ ଚରିତ୍ରରେ ଅଭିନୟ କରିଛନ୍ତି। ଏହା ସହ ରବି ଦୁବେ, ଲାରା ଦତ୍ତା, ଅରୁଣ ଗୋଭିଲ ଓ ରକୁଲ ପ୍ରୀତ ସିଂହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ନେପାଳରେ ଏହି ସଫଳତା ଫିଲ୍ମଟିକୁ ଅନ୍ତର୍ଜାତୀୟ ସ୍ତରରେ ଆହୁରି ଚର୍ଚ୍ଚିତ କରିଛି।
