କ୍ରିକେଟ୍ ଜଗତର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ପରିବାର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଏଥର କୌଣସି କ୍ରିକେଟ୍ ଉପଲବ୍ଧି ପାଇଁ ନୁହେଁ, ବରଂ ପରିବାରର ତିନି ମହିଳାଙ୍କ ମଧ୍ୟରେ ଥିବା ଆତ୍ମୀୟତା ଓ ସୁନ୍ଦର ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସଚିନଙ୍କ ପତ୍ନୀ ଅଞ୍ଜଳି ତେନ୍ଦୁଲକର, ଝିଅ ସାରା ତେନ୍ଦୁଲକର ଓ ବୋହୂ ସାନିଆ ଚଣ୍ଡୋକଙ୍କ କିଛି ଫଟୋ ଏବେ ଇଣ୍ଟରନେଟ୍ରେ ଘୂରି ବୁଲୁଛି। ଏହି ଫଟୋଗୁଡ଼ିକରେ ତିନିଜଣଙ୍କ ମଧ୍ୟରେ ଥିବା ଘନିଷ୍ଠତା ସହ ସେମାନଙ୍କ ଆକର୍ଷଣୀୟ ଲୁକ୍ ମଧ୍ୟ ଚର୍ଚ୍ଚାର କାରଣ ପାଲଟିଛି।
ନଭେମ୍ବର ୧୭ରେ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଆୟୋଜିତ ୨୦୨୬ ଅର୍ଥଶଟ୍ ପ୍ରାଇଜ୍ ସମାରୋହରେ ତେନ୍ଦୁଲକର ପରିବାର ଏକାଠି ଯୋଗ ଦେଇଥିଲେ। ସଚିନଙ୍କ ସହ ଅଞ୍ଜଳି, ସାରା ଓ ସାନିଆ ଗ୍ରୀନ୍ କାର୍ପେଟ୍ରେ ଏକାଠି ଫଟୋ ଉଠାଇଥିଲେ।
ଏହି କାର୍ଯ୍ୟକ୍ରମରେ ସାନିଆ ଲାଲ୍ ରଙ୍ଗର ଗାଉନ୍ରେ ଆକର୍ଷଣୀୟ ଦେଖାଯାଉଥିବା ବେଳେ ଅଞ୍ଜଳି ମାରୁନ୍ ରଙ୍ଗର ସିକୁଇନ୍ ଗାଉନ୍ ପିନ୍ଧିଥିଲେ। ଅନ୍ୟପଟେ ସାରା କଳା ରଙ୍ଗର ଷ୍ଟାଇଲିସ୍ ପୋଷାକରେ ନଜର ଆସିଥିଲେ। ତିନିଜଣଙ୍କ ଫ୍ୟାଶନ୍ ଓ ହସଭରା ଅନ୍ଦାଜ ଫଟୋଗୁଡ଼ିକୁ ଆହୁରି ଆକର୍ଷଣୀୟ କରିଛି।
ସାନିଆଙ୍କ ଗୋଟିଏ କ୍ୟାପ୍ସନ୍, ଜିତିଲା ହୃଦୟ
ସାନିଆ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ଫଟୋଗୁଡ଼ିକ ପୋଷ୍ଟ କରିଥିଲେ। ଏହା ସହ ସେ ‘ଟିକିଏ ଗ୍ଲାମର୍ ଓ ଭରପୂର ଭଲପାଇବା’ ବୋଲି କ୍ୟାପ୍ସନ୍ ଦେଇଥିଲେ। ଫଟୋରେ ସାରା ନିଜ ମା’ ଅଞ୍ଜଳିଙ୍କୁ ସ୍ନେହରେ ଚୁମ୍ବନ ଦେଉଥିବା ଦୃଶ୍ୟ ବିଶେଷ ଆକର୍ଷଣ ସାଜିଛି। ଏହି ପୋଷ୍ଟ ପରେ ପ୍ରଶଂସକମାନେ ତିନିଜଣଙ୍କ ସମ୍ପର୍କ ଓ ଷ୍ଟାଇଲ୍କୁ ନେଇ ପ୍ରଶଂସା କରୁଛନ୍ତି।
ସୂଚନାଯୋଗ୍ୟ, ପରିବେଶ ସୁରକ୍ଷା କ୍ଷେତ୍ରରେ ନୂଆ ଚିନ୍ତାଧାରା ଓ ପ୍ରଭାବଶାଳୀ ସମାଧାନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଅର୍ଥଶଟ୍ ପ୍ରାଇଜ୍ ଆରମ୍ଭ ହୋଇଥିଲା। ୨୦୨୦ରେ ବ୍ରିଟେନ୍ର ପ୍ରିନ୍ସ ୱିଲିୟମ୍ ଏହାର ଶୁଭାରମ୍ଭ କରିଥିଲେ। ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମାରୋହରେ ପ୍ରିନ୍ସ ୱିଲିୟମ୍ ଓ ପ୍ରିନ୍ସେସ୍ କ୍ୟାଥରିନ୍ଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ।
