Home » Blog » ବିଦ୍ୟୁତ୍ ଟାୱାର ଉପରେ ଚଢ଼ିବା ପଡ଼ିଲା ମହଙ୍ଗା, ୩ ଠିକା କର୍ମଚାରୀ ଗିରଫ

ବିଦ୍ୟୁତ୍ ଟାୱାର ଉପରେ ଚଢ଼ିବା ପଡ଼ିଲା ମହଙ୍ଗା, ୩ ଠିକା କର୍ମଚାରୀ ଗିରଫ

by Lokanath Panigrahi
0 comments

ଭୁବନେଶ୍ୱର: ନିଜ ଦାବି ପୂରଣ ପାଇଁ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ପ୍ରତିବାଦ କରିବା ଘଟଣାରେ ତିନି ଜଣ ବିଦ୍ୟୁତ୍ ଠିକା କର୍ମଚାରୀଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ। ଗିରଫ ବ୍ୟକ୍ତିମାନେ ହେଲେ ନୟାଗଡ଼ ସଦର ଅଞ୍ଚଳର ଚନ୍ଦ୍ରମଣି ପ୍ରଧାନ, ଚନ୍ଦକାର ସଦାନନ୍ଦ ବେହେରା ଏବଂ ଅନୁଗୁଳ କିଶାନନଗରର ରାକେଶ ପ୍ରଧାନ।

ଆଚାର୍ଯ୍ୟ ବିହାର ଛକରେ ଥିବା ଏକ ଚାଲୁ ୩୩ କେଭି ହାଇଟେନସନ୍ ଟାୱାର ଉପରକୁ ଚଢ଼ି ଏମାନେ ଆତ୍ମହତ୍ୟା ଧମକ ଦେଇଥିଲେ। ଏହାଦ୍ୱାରା ନିଜ ସହ ସାଧାରଣ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିଥିବା ଦର୍ଶାଇ ପୋଲିସ ଗିରଫ କରିଥିବା ଡିସିପି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

କେଉଁ କେଉଁ ଦଫାରେ ମାମଲା?

ଏହି ଘଟଣାକୁ ନେଇ ସହିଦନଗର ଥାନାରେ BNSର ଧାରା ୧୨୫, ୧୩୨, ୨୨୧, ୨୨୬, ୨୮୫, ୩୫୧(୨)(୩), ୩(୫) ସହ ESMA ଆଇନର ଧାରା ୬ ଓ ୭ ଅନୁଯାୟୀ ମାମଲା ରୁଜୁ ହୋଇଛି।

ପୋଲିସର ଅଭିଯୋଗ ଅନୁସାରେ, ଆନ୍ଦୋଳନକାରୀମାନେ ଜାଣିଶୁଣି ନିଜ ସମେତ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଥିଲେ। ଏଥିସହ ସରକାରୀ ଅଧିକାରୀଙ୍କ ନିର୍ଦ୍ଦେଶ ନମାନିବା, ରାସ୍ତାରେ ବାଧା ସୃଷ୍ଟି କରିବା ଏବଂ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ଧମକ ଦେବା ଭଳି ଅଭିଯୋଗ ମଧ୍ୟ ରହିଛି।

ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ବୁଧବାର ଦିନ ପ୍ରାୟ ୧୨ଟା ୩୦ରେ ଏନେଇ ସହିଦନଗର ଥାନାକୁ ଖବର ମିଳିଥିଲା। ନିଜକୁ ଟିପିସିଓଡିଏଲ୍‌ର ପୂର୍ବତନ କର୍ମଚାରୀ କହୁଥିବା ତିନି ଜଣ ବ୍ୟକ୍ତି ଆଚାର୍ଯ୍ୟ ବିହାର ଛକରେ ଥିବା ୩୩ କେଭି ଟାୱାର ଉପରକୁ ଚଢ଼ିଯାଇଥିଲେ। ଦାବି ପୂରଣ ନହେବାରୁ ସେମାନେ ଏଭଳି ପଦକ୍ଷେପ ନେଇଥିବା କହିବା ସହ ଆତ୍ମହତ୍ୟା ଧମକ ଦେଇଥିଲେ।

ଖବର ପାଇ ପୋଲିସ, ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ ଓ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟାୱାରରୁ ଓହ୍ଲାଇ ଆସିବାକୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନେ ଏଥିରେ ରାଜି ହୋଇନଥିଲେ। ଜୋର କରି ତଳକୁ ଓହ୍ଲାଇବାକୁ ଚେଷ୍ଟା କଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେବା ସହ ଉଦ୍ଧାରକାରୀ ଦଳକୁ ମିଥ୍ୟା ମାମଲାରେ ଫସାଇବାକୁ ମଧ୍ୟ ଧମକ ଦେଇଥିବା ପୋଲିସ କହିଛି।

ସ୍ଥିତି ଗମ୍ଭୀର ହେବାରୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ୩୩ କେଭି ଲାଇନ୍‌ର ବିଦ୍ୟୁତ୍ ସଂଯୋଗ ବନ୍ଦ କରାଯାଇଥିଲା। ଏହାପରେ ଅଗ୍ନିଶମ କର୍ମଚାରୀମାନେ ତିନି ଜଣଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିଥିଲେ।

ଅନ୍ୟପଟେ, ଏହି ଆନ୍ଦୋଳନ କେବଳ ଭୁବନେଶ୍ୱରରେ ସୀମିତ ରହିନଥିଲା। ପିପିଲି, ପାରାଦୀପ ଓ ଖୋର୍ଦ୍ଧାରେ ମଧ୍ୟ ବିଦ୍ୟୁତ୍ ଠିକା କର୍ମଚାରୀମାନେ ଟାୱାର ଉପରେ ଚଢ଼ି ପ୍ରତିବାଦ ଜଣାଇଥିଲେ। ୧୦ରୁ ଅଧିକ ଲାଇନ୍‌ମ୍ୟାନ୍ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏଭଳି ଚରମ ପନ୍ଥା ଆପଣାଇଥିବା ଜଣାପଡ଼ିଛି।


୩,୧୫୫ କର୍ମଚାରୀଙ୍କ ଛଟେଇ ନୋଟିସ୍ ରଦ୍ଦ, ୧୯୨ CCAଙ୍କୁ ନିଯୁକ୍ତି ମନା

ବିଦ୍ୟୁତ୍ ଠିକା ଓ ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ବିଧାନସଭାରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦିଆଯାଇଛି। ଟାଟା ପାୱାର ଅଧୀନରେ କାମ କରୁଥିବା ୩,୧୫୫ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କ ଡିସଏନ୍‌ଗେଜମେଣ୍ଟ ବା ଛଟେଇ ନୋଟିସ୍ ପ୍ରତ୍ୟାହାର କରାଯାଇଛି। ଏହି କର୍ମଚାରୀଙ୍କୁ ସେମାନଙ୍କ ନିଜସ୍ୱ ଡିଭିଜନରେ ବିଭିନ୍ନ କାର୍ଯ୍ୟରେ ରଖାଯିବ।

ଏଥିସହ ସର୍ବନିମ୍ନ ମଜୁରି ଓ ବୋନସ୍ ସମ୍ପର୍କିତ ଦାବିକୁ ମଧ୍ୟ ସରକାର ଗ୍ରହଣ କରିଥିବା କହିଛନ୍ତି। କିନ୍ତୁ ୧୯୨ ଜଣ କଷ୍ଟମର କେୟାର ଆସିଷ୍ଟାଣ୍ଟ (CCA)ଙ୍କୁ ପୁନଃନିଯୁକ୍ତି ଦେବା ପ୍ରସ୍ତାବରେ ସହମତ ହୋଇନାହାନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେଭି ସିଂହଦେଓ।

ମାର୍ଚ୍ଚରୁ ଆରମ୍ଭ ହୋଇଥିଲା ବିବାଦ

ସୂଚନା ଅନୁସାରେ, ଏହି ବିବାଦର ମୂଳ ମାର୍ଚ୍ଚ ୨୦୨୬ରେ ରହିଛି। ଗ୍ରାମାଞ୍ଚଳରେ ଦ୍ୱିତୀୟ ସିଫ୍ଟ ମେଣ୍ଟେନାନ୍ସ କାମ ବନ୍ଦ କରିବାକୁ OERC ନିର୍ଦ୍ଦେଶ ଦେବା ପରେ ଟାଟା ପାୱାରର ଚାରିଟି ଡିସକମ୍ ଅଧୀନରେ ବିଜନେସ୍ ଆସୋସିଏଟ୍‌ଙ୍କ ଜରିଆରେ କାମ କରୁଥିବା ୩,୧୫୫ କର୍ମଚାରୀଙ୍କୁ କାର୍ଯ୍ୟରୁ ବାଦ୍ ଦେବା ନୋଟିସ୍ ଜାରି ହୋଇଥିଲା।

ଏହାର ପ୍ରତିବାଦରେ ମେ’ ମାସରେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା ପରେ ଛଟେଇ ନୋଟିସ୍ ଫେରାଇ ନିଆଯାଇଥିବା ସରକାର କହିଛନ୍ତି।

ଏହି ୩,୧୫୫ କର୍ମଚାରୀଙ୍କୁ ମେଣ୍ଟେନାନ୍ସ, ପ୍ରୋଜେକ୍ଟ, ମିଟର ରିଡିଂ ଓ ବିଲ୍ କଲେକ୍ସନ ଭଳି କାମରେ ନିୟୋଜିତ କରାଯିବ। ଏଥିସହ ମାନବିକତା ଦୃଷ୍ଟିରୁ ସେମାନଙ୍କୁ ନିଜ ନିଜ ଡିଭିଜନରେ ରଖିବାକୁ ନିଷ୍ପତ୍ତି ହୋଇଛି।

୧୯୨ CCAଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା

୩,୧୫୫ କର୍ମଚାରୀଙ୍କ ସମସ୍ୟାର ସମାଧାନ ହୋଇଥିବା ସରକାର ଦାବି କରୁଥିବାବେଳେ ୧୯୨ ଜଣ CCAଙ୍କ ପୁନଃନିଯୁକ୍ତି ପ୍ରସଙ୍ଗ ଏବେ ମଧ୍ୟ ଅସମାହିତ ରହିଛି। ଅକ୍ଟୋବର ୨୦୨୫ରେ କାର୍ଯ୍ୟରୁ ବାଦ୍ ପଡ଼ିଥିବା ଏହି କର୍ମଚାରୀଙ୍କୁ ପୁଣି ନିଯୁକ୍ତି ଦେବାକୁ ଆନ୍ଦୋଳନକାରୀ ଦାବି କରୁଛନ୍ତି।

ତେବେ ଶକ୍ତିମନ୍ତ୍ରୀ ଏହି ଦାବିକୁ ଗ୍ରହଣ କରିନାହାନ୍ତି। ତାଙ୍କ କହିବା ଅନୁସାରେ, ମେ’ ମାସରେ ସରକାରଙ୍କ ସହ ହୋଇଥିବା ଆଲୋଚନାରେ ୧୯୨ CCAଙ୍କ ପ୍ରସଙ୍ଗ ଉଠିନଥିଲା। ବର୍ତ୍ତମାନ ଡିସକମ୍‌ଗୁଡ଼ିକରେ ୨୪ ଘଣ୍ଟିଆ ଆଧୁନିକ କଲ୍ ସେଣ୍ଟର ଓ ଅନଲାଇନ୍ ଅଭିଯୋଗ ସମାଧାନ ବ୍ୟବସ୍ଥା ରହିଛି। ତେଣୁ ପୂର୍ବରୁ ଏହି କର୍ମଚାରୀମାନେ କରୁଥିବା କାମ ପାଇଁ ପୁନଃନିଯୁକ୍ତିର ଆବଶ୍ୟକତା ନଥିବା ସରକାରଙ୍କ ମତ।

ସର୍ବନିମ୍ନ ମଜୁରି ଓ ବୋନସ୍ ଦାବିକୁ ସ୍ୱୀକୃତି

କର୍ମଚାରୀଙ୍କ ଦାବି କେବଳ ଚାକିରି ସୁରକ୍ଷା ମଧ୍ୟରେ ସୀମିତ ନାହିଁ। ଉପଯୁକ୍ତ ଦରମା, ବୋନସ୍ ଓ ସାମାଜିକ ସୁରକ୍ଷା ମଧ୍ୟ ସେମାନଙ୍କ ଦାବି ତାଲିକାରେ ରହିଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, Code on Wages, 2019 ଅନୁଯାୟୀ ସର୍ବନିମ୍ନ ମଜୁରି ଓ ବୋନସ୍ ସମ୍ପର୍କିତ ଦାବିକୁ ଗ୍ରହଣ କରାଯାଇଛି। ନଭେମ୍ବର ୪ରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ରରେ ମଧ୍ୟ ନିଯୁକ୍ତି ସୁରକ୍ଷା, ସାମାଜିକ ସୁରକ୍ଷା ଓ ଶ୍ରମିକଙ୍କ ଅଧିକାର ଉପରେ ଗୁରୁତ୍ୱ ଦିଆଯାଇଥିଲା।

୨୦୨୧ ପରଠାରୁ ବଢ଼ିନି ବିଦ୍ୟୁତ୍ ଶୁଳ୍କ: ସରକାର

ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନ ସହ ବିଦ୍ୟୁତ୍ ଦର ବୃଦ୍ଧି ପ୍ରସଙ୍ଗରେ ମଧ୍ୟ ବିଧାନସଭାରେ ସରକାର ନିଜ ମତ ରଖିଛନ୍ତି।

ଶକ୍ତିମନ୍ତ୍ରୀଙ୍କ କହିବା ଅନୁଯାୟୀ, ୨୦୨୧ ପରଠାରୁ ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରାଯାଇନାହିଁ। ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ବିଦ୍ୟୁତ୍ ଦର ମଧ୍ୟ ତୁଳନାତ୍ମକ ଭାବେ କମ୍ ରହିଥିବା ସରକାର ଦାବି କରିଛନ୍ତି।

ଏବେ ମୁଖ୍ୟ ପ୍ରଶ୍ନ ହେଉଛି, ୩,୧୫୫ କର୍ମଚାରୀଙ୍କ ସମସ୍ୟାର ସମାଧାନ ଘୋଷଣା ପରେ ୧୯୨ CCAଙ୍କ ଦାବି ଉପରେ ସରକାର କି ପଦକ୍ଷେପ ନେବେ?

You may also like

Leave a Comment