Home Cultureଶ୍ରୀମନ୍ଦିର ମହାପ୍ରସାଦର ରହସ୍ୟ: କିପରି ପ୍ରସ୍ତୁତ ହୁଏ ଅବଢ଼ା? କେଉଁ ପରିବା ବ୍ୟବହାର ହୁଏ, କେଉଁଗୁଡ଼ିକ ନିଷିଦ୍ଧ?

ଶ୍ରୀମନ୍ଦିର ମହାପ୍ରସାଦର ରହସ୍ୟ: କିପରି ପ୍ରସ୍ତୁତ ହୁଏ ଅବଢ଼ା? କେଉଁ ପରିବା ବ୍ୟବହାର ହୁଏ, କେଉଁଗୁଡ଼ିକ ନିଷିଦ୍ଧ?

by Lokanath Panigrahi
0 comments

ପୁରୀ: ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ କେବଳ ଭୋଗ ନୁହେଁ, ଏହା ଓଡ଼ିଶାର ଆଧ୍ୟାତ୍ମିକ ପରମ୍ପରା, ସେବା ସଂସ୍କୃତି ଓ ଶତାବ୍ଦୀ ପୁରୁଣା ନୀତିନିୟମର ଏକ ଅନନ୍ୟ ପ୍ରତୀକ। ପ୍ରତିଦିନ ଲକ୍ଷାଧିକ ଭକ୍ତ ଶ୍ରୀକ୍ଷେତ୍ରକୁ ଆସି ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ଗ୍ରହଣ କରନ୍ତି। ଭକ୍ତମାନଙ୍କ ବିଶ୍ୱାସ, ମହାପ୍ରସାଦ ସେବନ କରିବା ଆଧ୍ୟାତ୍ମିକ ପୁଣ୍ୟ ଓ ମୋକ୍ଷ ପ୍ରାପ୍ତିର ପଥକୁ ପ୍ରଶସ୍ତ କରେ।

ମହାପ୍ରସାଦ ପ୍ରସ୍ତୁତିକୁ ନେଇ ପ୍ରଚଳିତ ଧାରଣା

ଦୀର୍ଘ ଦିନ ଧରି ଏକ ଲୋକବିଶ୍ୱାସ ରହିଛି ଯେ, ଶ୍ରୀମନ୍ଦିର ରୋଷଶାଳାରେ ଗୋଟିଏ ଉପରେ ଗୋଟିଏ ମାଟି ହାଣ୍ଡି ରଖି ରୋଷେଇ କରାଯାଏ ଏବଂ ସବୁଠାରୁ ଉପର ହାଣ୍ଡି ପ୍ରଥମେ ସିଝିଯାଏ। ତେବେ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି ଯେ, ଏହା ଏକ ଲୋକପ୍ରଚଳିତ ବିଶ୍ୱାସ ମାତ୍ର। ଏହାକୁ ଆଧିକାରିକ ଭାବେ ସତ୍ୟ ବୋଲି କୁହାଯାଇ ନାହିଁ।

କିପରି ପ୍ରସ୍ତୁତ ହୁଏ ମହାପ୍ରସାଦ?

ଶ୍ରୀମନ୍ଦିରର ବିଶାଳ ରୋଷଶାଳାରେ ପାରମ୍ପରିକ ପଦ୍ଧତିରେ ମହାପ୍ରସାଦ ରନ୍ଧାଯାଏ। ଏଠାରେ ଅନେକ ଚୁଲା ରହିଛି ଏବଂ ପ୍ରତ୍ୟେକ ଚୁଲାରେ ‘ଝିଙ୍କା’ ନାମକ ସ୍ୱତନ୍ତ୍ର ବ୍ୟବସ୍ଥାରେ ମାଟି ହାଣ୍ଡି ବସାଯାଏ। ପ୍ରତ୍ୟେକ ହାଣ୍ଡିକୁ ସିଧାସଳଖ ତାପ ମିଳୁଥିବାରୁ ଖାଦ୍ୟ ସଠିକ୍ ଭାବରେ ସିଝିଥାଏ।

ରୋଷେଇ ପାଇଁ ବ୍ୟବହୃତ ପାଣି ଶ୍ରୀମନ୍ଦିର ପରିସରରେ ଥିବା ଗଙ୍ଗାଯମୁନା ନାମକ ପବିତ୍ର କୂଅରୁ ସଂଗ୍ରହ କରାଯାଏ।

ରୋଷେଇ ସମୟରେ କଠୋର ନିୟମ

ମହାପ୍ରସାଦ ପ୍ରସ୍ତୁତିକୁ ଏକ ପବିତ୍ର ସେବା ଭାବେ ଦେଖାଯାଏ। ରୋଷେଇ ସମୟରେ ସୁଆର ଓ ମହାସୁଆରମାନେ କଠୋର ନୀତିନିୟମ ପାଳନ କରନ୍ତି।

ରୋଷେଇ ବେଳେ—

  • ପାନ କିମ୍ବା ଅନ୍ୟ କୌଣସି ଖାଦ୍ୟ ଗ୍ରହଣ କରିବା,
  • ଗୀତ ଗାଇବା,
  • କଳହ କରିବା,
  • ଗାଳି ଦେବା,
  • କାନ୍ଦିବା

ଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ବାରଣ ରହିଥାଏ।

ମାଟି ହାଣ୍ଡିର ମଧ୍ୟ ରହିଛି ସ୍ୱତନ୍ତ୍ର ନାମ

ରୋଷଶାଳାରେ ବ୍ୟବହୃତ ମାଟି ହାଣ୍ଡିଗୁଡ଼ିକର ନିଜସ୍ୱ ନାମ ରହିଛି। ସେଥିମଧ୍ୟରେ ବାଇ ହାଣ୍ଡି, ସମାଧି ହାଣ୍ଡି, ଦାଇଆ ହାଣ୍ଡି, ଏମାର ହାଣ୍ଡି, ବଡ଼ମଠ ହାଣ୍ଡି ଓ ସାନମଠ ହାଣ୍ଡି ପ୍ରମୁଖ।

ଅବଢ଼ାରେ କେଉଁ ପରିବା ବ୍ୟବହାର ହୁଏ?

ମହାପ୍ରସାଦ ପ୍ରସ୍ତୁତିରେ ପାରମ୍ପରିକ ଦେଶୀ ପନିପରିବାକୁ ପ୍ରାଧାନ୍ୟ ଦିଆଯାଏ। ସାଧାରଣତଃ—

  • ବାଇଗଣ
  • ସଜନା ଛୁଇଁ
  • ଲାଉ
  • ଅମୃତଭଣ୍ଡା
  • ଭେଣ୍ଡି
  • ଝୁଡ଼ଙ୍ଗ
  • ପୋଇ ଶାଗ
  • ଫୁଲକୋବି
  • ପତ୍ରକୋବି
  • ବିନ୍ସ
  • ବିଟ୍
  • ଗାଜର

ଭଳି ପନିପରିବା ବ୍ୟବହୃତ ହୁଏ। ରୋଷେଇରେ ଶୁଦ୍ଧ ଘିଅ ବ୍ୟବହାର କରାଯାଏ।

କେଉଁ ସାମଗ୍ରୀ ସମ୍ପୂର୍ଣ୍ଣ ନିଷିଦ୍ଧ?

ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ—

  • ପିଆଜ
  • ରସୁଣ

ରୋଷେଇରେ ବ୍ୟବହାର କରାଯାଏ ନାହିଁ। ଏହାଛଡ଼ା ପରମ୍ପରା ଅନୁଯାୟୀ କେତେକ ପନିପରିବା ଓ ମସଲା ମଧ୍ୟ ବର୍ଜନ କରାଯାଏ।

ମହାପ୍ରସାଦରେ ଆଳୁ କାହିଁକି ନଥାଏ?

ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରା ଅନୁଯାୟୀ, ମହାପ୍ରସାଦରେ ପ୍ରାୟତଃ ଦେଶୀ ଉତ୍ପାଦିତ ସାମଗ୍ରୀ ବ୍ୟବହୃତ ହୁଏ। ଏହି ପରମ୍ପରା ଅନୁସାରେ ଆଳୁ ଭଳି ବିଦେଶୀ ଉତ୍ପତ୍ତିର ପନିପରିବାକୁ ମହାପ୍ରସାଦରେ ସ୍ଥାନ ଦିଆଯାଏ ନାହିଁ।

You may also like

Leave a Comment