ରଥଯାତ୍ରାକୁ କେନ୍ଦ୍ର କରି ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରି ସାଇବର୍ ଠକମାନେ ସକ୍ରିୟ ହୋଇପଡ଼ିଛନ୍ତି। ପୁରୀର ବିଭିନ୍ନ ହୋଟେଲର ନାମ ବ୍ୟବହାର କରି ନକଲି ୱେବସାଇଟ୍ ଓ ସୋସିଆଲ ମିଡିଆ ପେଜ୍ ସୃଷ୍ଟି କରି ଭୁଆ ରୁମ୍ ବୁକିଂ ନାଁରେ ଟଙ୍କା ଠକାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରାଇମବ୍ରାଞ୍ଚ ସତର୍କତା ବଢ଼ାଇବା ସହ ପୁରୀର ପ୍ରାୟ ୧୨୦୦ଟି ହୋଟେଲକୁ ସ୍ୱତନ୍ତ୍ର ନଜରଦାରିରେ ରଖିବାକୁ ନିଷ୍ପତ୍ତି ନେଇଛି।
ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ, ଅପରାଧୀମାନେ ଆକର୍ଷଣୀୟ ଅଫର, କମ୍ ଦରରେ ବିଳାସପୂର୍ଣ୍ଣ ରୁମ୍ ଏବଂ ନିଶ୍ଚିତ ବୁକିଂର ପ୍ରଲୋଭନ ଦେଇ ସୋସିଆଲ ମିଡିଆ ଓ ସର୍ଚ୍ଚ ଇଞ୍ଜିନ୍ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଫସାଉଛନ୍ତି। ବୁକିଂ ନିଶ୍ଚିତ କରିବା ନାଁରେ ୟୁପିଆଇ, ବ୍ୟାଙ୍କ ଟ୍ରାନ୍ସଫର୍ କିମ୍ବା ଡିଜିଟାଲ ୱାଲେଟ୍ ମାଧ୍ୟମରେ ଅଗ୍ରିମ ଟଙ୍କା ନେଇ ପରେ ସମ୍ପର୍କ ବିଚ୍ଛିନ୍ନ କରିଦେଉଛନ୍ତି। ଅନେକ କ୍ଷେତ୍ରରେ ଭୁଆ ରସିଦ୍ ଓ ନକଲି କଷ୍ଟମର୍ କେୟାର୍ ନମ୍ବର ମଧ୍ୟ ଯୋଗାଇ ଦିଆଯାଉଛି।
ଚଳିତ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ କ୍ରାଇମବ୍ରାଞ୍ଚ ୨୧୨ଟି ନକଲି ହୋଟେଲ ୱେବସାଇଟ୍ ଏବଂ ୨୬ଟି ଭୁଆ ୱେବପେଜ୍ ଚିହ୍ନଟ କରି ବନ୍ଦ କରିଛି। କେବଳ ଜୁନ୍ ମାସରେ ମଧ୍ୟ ବହୁ ସଂଖ୍ୟକ ଜାଲିଆତି ୱେବସାଇଟ୍ ଚିହ୍ନଟ ହୋଇଥିବାରୁ ଏହାକୁ ନେଇ ସତର୍କତା ଆହୁରି ବଢ଼ାଯାଇଛି। ବର୍ତ୍ତମାନ ସୁଦ୍ଧା ଠକେଇର ଶିକାର ହୋଇଥିବା ଅନେକ ପର୍ଯ୍ୟଟକ ଅଭିଯୋଗ କରିଥିବା ଜଣାପଡ଼ିଛି।
ଏହି ପରିସ୍ଥିତିକୁ ମୁକାବିଲା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ରଥଯାତ୍ରା ସମୟରେ ଏହି ଟିମ୍ ୨୪ ଘଣ୍ଟା କାର୍ଯ୍ୟ କରି ପୁରୀର ବିଭିନ୍ନ ହୋଟେଲର ଅନଲାଇନ୍ ଉପସ୍ଥିତି ଯାଞ୍ଚ କରିବ। ବିଶେଷକରି ସମୁଦ୍ରକୂଳ ଅଞ୍ଚଳର ହୋଟେଲଗୁଡ଼ିକୁ ପ୍ରାଥମିକତା ଦିଆଯିବ ଏବଂ ସେମାନଙ୍କ ନାମରେ କୌଣସି ନକଲି ୱେବସାଇଟ୍ କିମ୍ବା ପେଜ୍ ଚାଲୁଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।
କ୍ରାଇମବ୍ରାଞ୍ଚ ପକ୍ଷରୁ ପର୍ଯ୍ୟଟକଙ୍କୁ ଅନଲାଇନ୍ ବୁକିଂ ପୂର୍ବରୁ ୱେବସାଇଟ୍ର ସୁରକ୍ଷା, ହୋଟେଲର ଯୋଗାଯୋଗ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ଭଲଭାବେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଅଜଣା ଲିଙ୍କ୍, ଅତ୍ୟଧିକ ରିହାତି କିମ୍ବା ସନ୍ଦେହଜନକ ଅଫର ଦେଖି ତୁରନ୍ତ ଟଙ୍କା ପଠାଇବା ପରିବର୍ତ୍ତେ ସତର୍କ ରହିବାକୁ ମଧ୍ୟ ଅନୁରୋଧ କରାଯାଇଛି। ରଥଯାତ୍ରା ଭଳି ବୃହତ୍ ଧାର୍ମିକ ସମାବେଶ ସମୟରେ ସାଇବର୍ ସୁରକ୍ଷା ପ୍ରତି ସଚେତନତା ହିଁ ଠକେଇରୁ ରକ୍ଷା ପାଇବାର ସବୁଠାରୁ ବଡ଼ ଉପାୟ ବୋଲି କ୍ରାଇମବ୍ରାଞ୍ଚ କହିଛି।
