Home Featuredନବମ ଓ ଦଶମ ଶ୍ରେଣୀରେ ବି ମଧ୍ୟାହ୍ନ ଭୋଜନ, ୫ ବର୍ଷ ପାଇଁ ୪୨୨୪ କୋଟିର ଯୋଜନା

ନବମ ଓ ଦଶମ ଶ୍ରେଣୀରେ ବି ମଧ୍ୟାହ୍ନ ଭୋଜନ, ୫ ବର୍ଷ ପାଇଁ ୪୨୨୪ କୋଟିର ଯୋଜନା

by Gulshan Pandey
0 comments

ଭୁବନେଶ୍ୱର: ରାଜ୍ୟର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଆଉ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ଏବେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମଧ୍ୟ ମଧ୍ୟାହ୍ନ ଭୋଜନ ସୁବିଧା ପାଇବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ମିଳିଛି।

ଏହି ନିଷ୍ପତ୍ତି ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସୀମିତ ଥିବା ମଧ୍ୟାହ୍ନ ଭୋଜନ ଯୋଜନାର ପରିସରକୁ ବଢ଼ାଇଛି। ଏହା ଲାଗୁ ହେବା ପରେ ବିଦ୍ୟାଳୟରେ ପଢ଼ୁଥିବା ୫୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହାର ସୁବିଧା ପାଇବେ। ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୪,୨୨୪ କୋଟି ଟଙ୍କା ବ୍ୟୟ କରିବାକୁ ସରକାର ଯୋଜନା କରିଛନ୍ତି।

କ୍ୟାବିନେଟ ବୈଠକରେ ‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’ ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି। ଏହା ଅଧୀନରେ ୨୦୨୬-୨୭ ଶିକ୍ଷାବର୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ମାଗଣା ରହିବ।

ଏହି ଯୋଜନାରେ ସରକାରୀ ବିଦ୍ୟାଳୟର ନବମ ଶ୍ରେଣୀରୁ ଆରମ୍ଭ କରି ସରକାରୀ ବିଶ୍ୱବିଦ୍ୟାଳୟ, କଲେଜ ଏବଂ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ସାମିଲ ହେବେ। ଏହା ଫଳରେ ଆର୍ଥିକ ସମସ୍ୟା କାରଣରୁ କୌଣସି ଶିକ୍ଷାର୍ଥୀ ପାଠପଢ଼ା ବନ୍ଦ କରିବାକୁ ବାଧ୍ୟ ହେବେ ନାହିଁ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

ଏହି ମାଗଣା ଶିକ୍ଷା ଯୋଜନା ପାଇଁ ପ୍ରଥମ ବର୍ଷରେ ୮୯୫.୫୭ କୋଟି ଟଙ୍କା ବ୍ୟୟ ହେବାର ଆକଳନ କରାଯାଇଛି। ପାଞ୍ଚ ବର୍ଷରେ ଏହାର ମୋଟ ବ୍ୟୟ ପ୍ରାୟ ୫,୪୬୭.୫୫ କୋଟି ଟଙ୍କା ହେବ। ପ୍ରତିବର୍ଷ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହାର ସିଧାସଳଖ ଲାଭ ପାଇବେ ବୋଲି ସରକାରଙ୍କ ଆକଳନ।

ସରକାରଙ୍କ ମତରେ, ଶିକ୍ଷା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ ହୋଇଥିବାବେଳେ ଏହା ରାଜ୍ୟର ମାନବ ସମ୍ପଦ ବିକାଶ ସହ ଜାତୀୟ ଶିକ୍ଷା ନୀତି–୨୦୨୦ ଏବଂ ଓଡ଼ିଶାର ଦୀର୍ଘମିଆଦି ବିକାଶ ଲକ୍ଷ୍ୟ ପୂରଣରେ ସହାୟକ ହେବ।

You may also like

Leave a Comment