Home Featuredଆବୁଧାବିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ୟୁଏଇରୁ ଓଡ଼ିଶାକୁ ନିବେଶ ଆଣିବା ପାଇଁ ଆରମ୍ଭ ହେଲା ବଡ଼ ଅଭିଯାନ

ଆବୁଧାବିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ୟୁଏଇରୁ ଓଡ଼ିଶାକୁ ନିବେଶ ଆଣିବା ପାଇଁ ଆରମ୍ଭ ହେଲା ବଡ଼ ଅଭିଯାନ

by Sunita Jena
0 comments

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଜି ଆବୁଧାବିରେ ପହଞ୍ଚିଛନ୍ତି। ଏହାସହ ସଂଯୁକ୍ତ ଅରବ ଏମିରେଟ୍ସ (ୟୁଏଇ)ରେ ଓଡ଼ିଶାର ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ ହୋଇଛି। ସେପ୍ଟେମ୍ବର ୯ ରୁ ୧୧ ପର୍ଯ୍ୟନ୍ତ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ସେପ୍ଟେମ୍ବର ୧୨ରେ ସେ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି। ୟୁଏଇ ସହିତ ଓଡ଼ିଶାର ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ନିବେଶ, ମାନୁଫ୍ୟାକଚରିଂ, ଭିତ୍ତିଭୂମି, ଶକ୍ତି ଓ ଏମର୍ଜିଂ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ଭାଗିଦାରୀ ଗଢ଼ି ତୋଳିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗଠିତ ଏହି ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଶିଳ୍ପ ବିଭାଗ ଓ ଇପିକଲର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। ଆବୁଧାବିରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ହେମନ୍ତ ଶର୍ମା, ୟୁଏଇରେ ଥିବା ଅଧିକାରୀ ଏବଂ ପ୍ରତିନିଧିମାନେ ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ ସ୍ବାଗତ କରିଥିଲେ। ୟୁଏଇରେ ଥିବା ଭାରତୀୟ ଦୂତାବାସର ପ୍ରତିନିଧିମାନେ ମଧ୍ୟ ପ୍ରତିନିଧି ଦଳକୁ ସ୍ୱାଗତ ଜଣାଇଥିଲେ। ସେଠାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଆବୁଧାବି ଗସ୍ତ ସମୟରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବ୍ୟବସାୟିକ ଏବଂ ନିବେଶକ ଆଲୋଚନାର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ। ୟୁଏଇର ନିବେଶକ, ଅନୁଷ୍ଠାନ ଏବଂ ଶିଳ୍ପପତିମାନଙ୍କ ସହ ହେବାକୁ ଥିବା ବୈଠକଗୁଡ଼ିକ ଯେପରି ଫଳପ୍ରଦ ହେବ, ସେଥିପାଇଁ ସେ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଆର୍ଥିକ ଏବଂ ଜନସାଧାରଣଙ୍କ ସ୍ତରରେ ସମ୍ପର୍କକୁ ଆହୁରି ମଜବୁତ କରିବାର ସୁଯୋଗଗୁଡ଼ିକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ସେଠାରେ ରହୁଥିବା ଏବଂ କାର୍ଯ୍ୟରତ ଓଡ଼ିଆମାନଙ୍କୁ ଓଡ଼ିଶା ଏବଂ ୟୁଏଇରେ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ସଂଯୋଗ ସେତୁ ବୋଲି କହିଥିଲେ। ସେହି ଓଡ଼ିଆମାନଙ୍କ ପାଇଁ ନିରନ୍ତର ସହାୟତା, ସୁବିଧା ସୁଯୋଗ ଏବଂ ଇଜ୍ ଅଫ୍ ଲିଭିଂ ସୁନିଶ୍ଚିତ କରିବା ଉପରେ ସେ ବିଶେଷ ଗୁରୁତ୍ବ ଦେଇଥିଲେ।

ଏହି ଆବୁଧାବି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ପ୍ରତିନିଧି ମଣ୍ଡଳୀ ୟୁଏଇର ପ୍ରମୁଖ ଅନୁଷ୍ଠାନ, ନିବେଶକ ଏବଂ ବ୍ୟବସାୟିକ ଗୋଷ୍ଠୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏହି ଆଲୋଚନାଗୁଡ଼ିକ କେବଳ ନିବେଶ ଆକୃଷ୍ଟ କରିବାରେ ସୀମିତ ନରହି, ଓଡ଼ିଶାରେ ନିର୍ଦ୍ଦିଷ୍ଟ ଭାଗିଦାରୀ, ପ୍ରଯୁକ୍ତିବିଦ୍ୟାର ସହଯୋଗ ଏବଂ ଦୀର୍ଘକାଳୀନ ଶିଳ୍ପ ଭାଗିଦାରୀ ପାଇଁ ନୂଆ ସୁଯୋଗ ଚିହ୍ନଟ କରିବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି। ଏହି UAE ଅଭିଯାନ ଓଡ଼ିଶାର ଶିଳ୍ପ ରୂପାନ୍ତରଣର ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଆରମ୍ଭ ହୋଇଛି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାକୃତିକ ସମ୍ପଦ, ଶିଳ୍ପ ଭିତ୍ତିଭୂମି, ବନ୍ଦର, ସୁଲଭ ବିଦ୍ୟୁତ୍ ସେବା, ଦକ୍ଷ ମାନବସମ୍ବଳ ଏବଂ ଭାରତୀୟ ଓ ଅନ୍ତର୍ଜାତୀୟ ବଜାର ସହ ଥିବା ସହଜ ସଂଯୋଗର ସୁବିଧାଗୁଡ଼ିକୁ ପ୍ରମୁଖ ଭାବରେ ଉପସ୍ଥାପନ କରିବେ।

ଆଗାମୀ ନିବେଶକ ଆଲୋଚନା ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି

“ଓଡ଼ିଶା ଶିଳ୍ପ ବିକାଶର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି, ଏବଂ ୟୁଏଇ ସହ ଆମର ଆଲୋଚନା ଏହି ଯାତ୍ରାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଆମେ ଏଠାକୁ କେବଳ ନିବେଶ ଆମନ୍ତ୍ରଣ କରିବାକୁ ଆସିନାହୁଁ, ବରଂ ବିଶ୍ବାସ, ପ୍ରଯୁକ୍ତିବିଦ୍ୟା, ମୂଲ୍ୟ ବୃଦ୍ଧି ଏବଂ ରୋଜଗାର ଉପରେ ଆଧାରିତ ଦୀର୍ଘକାଳୀନ ଭାଗିଦାରୀ ଗଢ଼ିବାକୁ ଆସିଛୁ। ୟୁଏଇ ଏକ ଗୁରୁତ୍ବପୂର୍ଣ୍ଣ ବିଶ୍ବସ୍ତରୀୟ ଆର୍ଥିକ ଭାଗିଦାର, ଏବଂ ନିର୍ଦ୍ଦିଷ୍ଟ ନିବେଶ ଓ ଶିଳ୍ପ ସୁଯୋଗ ମାଧ୍ୟମରେ ଓଡ଼ିଶା-ୟୁଏଇ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଆମେ ଆଶାବାଦୀ।”
ନିବେଶକଙ୍କ ଆଗ୍ରହକୁ ପ୍ରକୃତ ପ୍ରକଳ୍ପରେ ରୂପାନ୍ତରିତ କରିବା, କର୍ମସଂସ୍ଥାନ ସୃଷ୍ଟି କରିବା ଏବଂ ବିଶ୍ବସ୍ତରୀୟ ବ୍ୟବସାୟ ପାଇଁ ଓଡ଼ିଶାକୁ ଏକ ଆକର୍ଷଣୀୟ ଓ ପ୍ରତିଯୋଗିତାମୂଳକ ଗନ୍ତବ୍ୟସ୍ଥଳ ଭାବେ ଗଢ଼ିତୋଳିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେପ୍ଟେମ୍ବର ୯ରେ ଉଚ୍ଚସ୍ତରୀୟ ବ୍ୟବସାୟିକ ଆଲୋଚନା
ଓଡ଼ିଶାର ୟୁଏଇ ନିବେଶ ଅଭିଯାନ ଆସନ୍ତାକାଲି ଆବୁଧାବିରେ ଆରମ୍ଭ ହେବ। ଏହି ଅବସରରେ ୟୁଏଇ ର ବିଭିନ୍ନ ଅନୁଷ୍ଠାନ, ନିବେଶକ ଏବଂ ବ୍ୟବସାୟିକ ନେତାମାନଙ୍କ ସହ ଅନେକ ଗୁରୁତ୍ବପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଓ ଆଲୋଚନା ଅନୁଷ୍ଠିତ ହେବ।

ସେପ୍ଟେମ୍ବର ୯ର କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ ( ଆଇଏଚସି ) ଏବଂ ଏହାର ବିଭିନ୍ନ ବ୍ୟବସାୟିକ ଶାଖା, ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରୋଫେସନାଲ୍ ଗ୍ରୁପ୍ ( ଆଇବିପିଜି), ୟୁଏଇ ର ନିବେଶ ମନ୍ତ୍ରୀ ଓ ବରିଷ୍ଠ ନିବେଶକମାନଙ୍କ ସହ ଆଲୋଚନା ସାମିଲ ରହିଛି। ଏହାପରେ ପେଟ୍ରୋକେମିକାଲ୍ସ ଏବଂ କେମିକାଲ୍ସ କ୍ଷେତ୍ର ଉପରେ ଆଧାରିତ ଆଲୋଚନା ଅନୁଷ୍ଠିତ ହେବ। ଏହି ବୈଠକଗୁଡ଼ିକ ନିର୍ଦ୍ଦିଷ୍ଟ ନିବେଶ ସୁଯୋଗ, ଶିଳ୍ପ ଭାଗିଦାରୀ, ପ୍ରଯୁକ୍ତିବିଦ୍ୟା ସହଯୋଗ ଏବଂ ଓଡ଼ିଶା-ୟୁଏଇ ଆର୍ଥିକ ସମ୍ପର୍କକୁ ଅଧିକ ମଜବୁତ କରିବାର ମାର୍ଗ ସମ୍ପର୍କରେ ଆଲୋଚନା ପାଇଁ ମଞ୍ଚ ପ୍ରଦାନ କରିବ।

ଏହି ନିବେଶ ଅଭିଯାନ ୟୁଏଇ ଏବଂ ସମଗ୍ର ‘ଏମଇଏନଏ’ ଅଞ୍ଚଳ ସହ ଏକ ସୁଦୃଢ଼ ଆର୍ଥିକ ସମ୍ପର୍କ ଗଢ଼ିତୋଳିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟାରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହା ନିବେଶକଙ୍କ ଆଗ୍ରହକୁ ପ୍ରକୃତ ଫଳାଫଳରେ ରୂପାନ୍ତରିତ କରି ରାଜ୍ୟର ଶିଳ୍ପ ବିକାଶ, କର୍ମସଂସ୍ଥାନ ସୃଷ୍ଟି ଏବଂ ଦୀର୍ଘମିଆଦୀ ଆର୍ଥିକ ପ୍ରଗତିକୁ ସୁନିଶ୍ଚିତ କରିବ। ସେପ୍ଟେମ୍ବର ୯ରୁ ଉଚ୍ଚସ୍ତରୀୟ ବ୍ୟବସାୟିକ ଏବଂ ଅନୁଷ୍ଠାନିକ ଆଲୋଚନା ନିର୍ଦ୍ଧାରିତ ହୋଇଥିବା ବେଳେ, ଓଡ଼ିଶା ୟୁଏଇ ସହିତ ନିବେଶ, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଏବଂ ଶିଳ୍ପ ଭାଗିଦାରୀ କ୍ଷେତ୍ରରେ ସମ୍ପର୍କକୁ ଆହୁରି ନିବିଡ଼ କରିବା ସହ ନୂତନ ସୁଯୋଗର ସନ୍ଧାନ କରିବ।

You may also like

Leave a Comment