ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ। ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ନଭେମ୍ବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୧୪ ତାରିଖ ସୁଦ୍ଧା ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇପାରେ। ସେହିପରି ୧୫ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ଆଶଙ୍କା ରହିଛି।
ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ନଭେମ୍ବର ୧୪ରୁ ୧୬ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ। ଏପରିକି ଝଟକା ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି। ଅନ୍ୟପଟେ ନଭେମ୍ବର ୧୭ରୁ ୨୦ ତାରିଖ ମଧ୍ୟରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ଆଶଙ୍କା କରାଯାଉଛି।
ପୁଣି ବର୍ଷା ଆଶଙ୍କା ଚାଷୀଙ୍କ ଚିନ୍ତା ବଢ଼ାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ଧାନ ଅମଳ କାର୍ଯ୍ୟ ଜୋରସୋରରେ ଚାଲିଛି। ଚାଷୀମାନେ ବିଲରୁ ଧାନ କାଟି ଖଳାକୁ ଆଣୁଥିବା ବେଳେ ପୁଣି ଅଦିନିଆ ବର୍ଷାର ଆଶଙ୍କା ସେମାନଙ୍କ ନିଦ ହଜାଇ ଦେଇଛି। ବିଶେଷକରି ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଭଳି ଉପକୂଳବର୍ତ୍ତୀ ଜିଲ୍ଲାର ଚାଷୀମାନେ ଅମଳ ହୋଇଥିବା ଧାନକୁ କିପରି ସୁରକ୍ଷିତ ରଖିବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି।
ଅନ୍ୟପଟେ ଲଘୁଚାପ ପ୍ରଭାବ କମିବା ପରେ ରାଜ୍ୟର ପାଣିପାଗରେ ଆଉ ଏକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବର୍ଷା ଓ ମେଘୁଆ ପାଗ ହଟିବା ପରେ ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ଫଳରେ ନଭେମ୍ବର ଶେଷ ସପ୍ତାହ ଆଡ଼କୁ ରାଜ୍ୟରେ ରାତିର ତାପମାତ୍ରା ହ୍ରାସ ପାଇପାରେ। ଏଥିସହ ଶୀତର ପ୍ରକୋପ ମଧ୍ୟ ଧୀରେ ଧୀରେ ବଢ଼ିବାର ସମ୍ଭାବନା ରହିଛି।
