Home » Blog » ଶକ୍ତି ସଂରକ୍ଷଣ କ୍ଷେତ୍ରରେ ବଡ଼ ନିଷ୍ପତ୍ତି, ୧୪,୫୦୦ କୋଟିର ଯୋଜନାକୁ କେନ୍ଦ୍ରର ମଞ୍ଜୁରି

ଶକ୍ତି ସଂରକ୍ଷଣ କ୍ଷେତ୍ରରେ ବଡ଼ ନିଷ୍ପତ୍ତି, ୧୪,୫୦୦ କୋଟିର ଯୋଜନାକୁ କେନ୍ଦ୍ରର ମଞ୍ଜୁରି

by Sunita Jena
0 comments

ନୂଆଦିଲ୍ଲୀ: ଦେଶର ବିଦ୍ୟୁତ୍ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ଭରସାଯୋଗ୍ୟ କରିବା ପାଇଁ କେନ୍ଦ୍ର ସରକାର ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ଯୋଜନା ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୧୪,୫୦୦ କୋଟି ଟଙ୍କାର ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (VGF) ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ମାଧ୍ୟମରେ ଦେଶରେ ୯୨ ଗିଗାୱାଟ୍ ଆୱାର୍ (GWh) କ୍ଷମତା ବିଶିଷ୍ଟ ଗ୍ରିଡ୍ ସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରକଳ୍ପ ଗଢ଼ି ତୋଳିବାର ଲକ୍ଷ୍ୟ ରହିଛି।

ଏହି ଯୋଜନାରେ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ (BESS), ପମ୍ପଡ୍ ଷ୍ଟୋରେଜ୍ ଏବଂ ଅନ୍ୟାନ୍ୟ ଆଧୁନିକ ଶକ୍ତି ସଂରକ୍ଷଣ ପ୍ରଯୁକ୍ତିକୁ ସାମିଲ କରାଯିବ। ଏହାଦ୍ୱାରା ଆବଶ୍ୟକତା ଅନୁଯାୟୀ ବିଦ୍ୟୁତ୍ ସଂରକ୍ଷଣ ଓ ଯୋଗାଣ କରିବା ସହଜ ହେବ। ବିଶେଷକରି ସୌର ଓ ପବନ ଶକ୍ତି ଉତ୍ପାଦନ ଅଧିକ ଥିବା ସମୟରେ ଅତିରିକ୍ତ ବିଦ୍ୟୁତ୍ ସଂରକ୍ଷଣ କରି ପରବର୍ତ୍ତୀ ସମୟରେ ତାହାର ଉପଯୋଗ କରାଯାଇପାରିବ।

ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ନବୀକରଣୀୟ ଶକ୍ତିର ଉପଯୋଗ ବଢ଼ିବା ସହ ବିଦ୍ୟୁତ୍ ଯୋଗାଣରେ ସ୍ଥିରତା ଆସିବ। ଦିନ ହେଉ କି ରାତି, ଗ୍ରାହକଙ୍କୁ ନିରବଚ୍ଛିନ୍ନ ଓ ସୁଲଭ ମୂଲ୍ୟରେ ବିଦ୍ୟୁତ୍ ଯୋଗାଇବା ଦିଗରେ ଏହା ସହାୟକ ହେବ। ଯୋଜନାରେ ଦେଶୀୟ ଉତ୍ପାଦନକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ବ୍ୟାଟେରୀ ସଂରକ୍ଷଣ ପ୍ରକଳ୍ପରେ ଭାରତରେ ଉତ୍ପାଦିତ ସାମଗ୍ରୀ ଓ ଉପକରଣର ବ୍ୟବହାରକୁ ଉତ୍ସାହିତ କରାଯିବ। ଫଳରେ ଘରୋଇ ବ୍ୟାଟେରୀ ଶିଳ୍ପର ବିକାଶ ସହ ଆମଦାନୀ ଉପରେ ନିର୍ଭରତା କମାଇବାର ସୁଯୋଗ ସୃଷ୍ଟି ହେବ।

ସ୍ୱଚ୍ଛ ଶକ୍ତିର ପ୍ରସାର, ବିଦ୍ୟୁତ୍ ଯୋଗାଣରେ ଆତ୍ମନିର୍ଭରଶୀଳତା ଏବଂ ଆଧୁନିକ ଶକ୍ତି ଭିତ୍ତିଭୂମି ନିର୍ମାଣ ଦିଗରେ ଏହି ଯୋଜନା ଗୁରୁତ୍ୱ ବହନ କରୁଛି। ଏହା ଭାରତର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟ ପୂରଣ ସହ ଭବିଷ୍ୟତର ବିଦ୍ୟୁତ୍ ଆବଶ୍ୟକତା ପାଇଁ ଏକ ସୁଦୃଢ଼ ବ୍ୟବସ୍ଥା ତିଆରି କରିବାରେ ସହାୟକ ହୋଇପାରିବ।

You may also like

Leave a Comment