ବଦଳିବ କ୍ରିକେଟ୍ର ରୂପରେଖ। ଏଣିକି ଗୋଟିଏ ଟିମ୍ରେ ଏକାଠି ପଡ଼ିଆକୁ ଓହ୍ଲାଇବେ ମହିଳା ଓ ପୁରୁଷ ଖେଳାଳି। କ୍ରିକେଟ୍ ଜଗତରେ ଏଭଳି ଏକ ନିଆରା ପରୀକ୍ଷଣ ପାଇଁ ଆରମ୍ଭ ହେବାକୁ ଯାଉଛି ମିକ୍ସଡ୍ ଜେଣ୍ଡର ଟି-୨୦ ଲିଗ୍। ଏହି ନୂଆ ଲିଗ୍ର ନାଁ ରଖାଯାଇଛି ‘ଇକ୍ୱାଲ୍’।
ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ୍ଙ୍କ ସହ-ମାଲିକାନାରେ ଥିବା ଆଙ୍କର ସ୍ପୋର୍ଟସ ଏବି ଏବଂ ଜର୍ମାନ କ୍ରିକେଟ୍ ଫେଡେରେସନ୍ ମିଳିତ ଭାବେ ଏହି ଲିଗ୍ ଆୟୋଜନ କରିବାକୁ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ଅଗଷ୍ଟ ମାସରେ ଆୟୋଜିତ ହେବ ଏହି ନିଆରା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ।
ପେସାଦାର ମହିଳା ଓ ପୁରୁଷ କ୍ରିକେଟର୍ଙ୍କୁ ଗୋଟିଏ ମଞ୍ଚରେ ଖେଳିବାର ସୁଯୋଗ ଦେବା ହେଉଛି ଏହି ଲିଗ୍ର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ୟୁରୋପୀୟ ଦେଶଗୁଡ଼ିକରେ କ୍ରିକେଟ୍ର ଲୋକପ୍ରିୟତା ବଢ଼ାଇବା ଉପରେ ମଧ୍ୟ ରହିଛି ଫୋକସ୍।
ତେବେ କେମିତି ରହିବ ଏହି ନୂଆ ଲିଗ୍ର ଫର୍ମାଟ୍?
ପ୍ରାରମ୍ଭିକ ଯୋଜନା ଅନୁସାରେ, ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୫ଟି ଟିମ୍ ଭାଗ ନେବେ। ଖେଳାଯିବ ୧୨ଟି ଟି-୨୦ ମ୍ୟାଚ୍। ପ୍ରତ୍ୟେକ ଟିମ୍ରେ ୧୮ ଜଣ ଖେଳାଳି ରହିବେ। ତେବେ ସବୁଠାରୁ ରୋଚକ କଥା ହେଉଛି, ପ୍ଲେଇଂ ଇଲେଭେନ୍ରେ ୬ ଜଣ ମହିଳା ଓ ୫ ଜଣ ପୁରୁଷ ଖେଳାଳି ସାମିଲ ହେବେ।
ଅର୍ଥାତ୍ ଗୋଟିଏ ଦଳ, ଗୋଟିଏ ପଡ଼ିଆ ଆଉ ବିଜୟ ପାଇଁ ଏକାଠି ଲଢ଼ିବେ ମହିଳା ଓ ପୁରୁଷ କ୍ରିକେଟର୍।
ଏହି ଅଭିନବ ପଦକ୍ଷେପକୁ ନେଇ ଜାହିର ଖାନ୍ କହିଛନ୍ତି, କ୍ରିକେଟ୍ରେ ଲୋକଙ୍କୁ ଏକାଠି କରିବାର କ୍ଷମତା ରହିଛି। ୟୁରୋପ ଭଳି ଅଞ୍ଚଳରେ କ୍ରିକେଟ୍ର ପ୍ରସାର ପାଇଁ ଏହି ଖେଳକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ। ଏ ଦିଗରେ ‘ଇକ୍ୱାଲ୍’ ଲିଗ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ତେବେ କ୍ରିକେଟ୍ ଜଗତରେ ଏହି ନୂଆ ପରୀକ୍ଷଣକୁ ଦର୍ଶକ କେତେ ପସନ୍ଦ କରିବେ? ମହିଳା ଓ ପୁରୁଷ ଖେଳାଳିଙ୍କୁ ସମାନ ସୁଯୋଗ ଦେବାରେ କେତେ ସଫଳ ହେବ ଏହି ଲିଗ୍? ତାହା ଉପରେ ଏବେ ରହିବ କ୍ରିକେଟ୍ପ୍ରେମୀଙ୍କ ନଜର।
