Home Featuredରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

ରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

by Lokanath Panigrahi
0 comments

ଭୁବନେଶ୍ୱର: ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ପୂର୍ବରୁ ପୁରୀରେ ସମୀକ୍ଷା କରିଥିବା ବେଳେ, ଏଥର ସମସ୍ତ ବିଭାଗର ପ୍ରସ୍ତୁତିକୁ ପୁନର୍ବାର ଖତିଆନ କରାଯାଇଛି।

ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରଥଯାତ୍ରା ପରି ବିଶ୍ୱପ୍ରସିଦ୍ଧ ଆଧ୍ୟାତ୍ମିକ ଆୟୋଜନର ସଫଳ ପରିଚାଳନା ପାଇଁ ସମସ୍ତ ବିଭାଗ ମଧ୍ୟରେ ନିରନ୍ତର ସହଯୋଗ, ସମନ୍ୱୟ ଏବଂ ସୂଚନାର ଆଦାନ-ପ୍ରଦାନ ଅତ୍ୟନ୍ତ ଜରୁରୀ। କୌଣସି ସ୍ତରରେ ଯୋଗାଯୋଗର ଅଭାବ ନ ରହିବାକୁ ସେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନୀତିକାନ୍ତି ଠିକ୍ ସମୟରେ ସମ୍ପନ୍ନ ହେବା, ରଥ ଓ ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଅଗ୍ନିଶମ ସେବା, ଟ୍ରାଫିକ ପରିଚାଳନା, ମହିଳାଙ୍କ ସୁରକ୍ଷା, ଖାଦ୍ୟ ଓ ପାନୀୟ ଜଳର ଗୁଣବତ୍ତା ଯାଞ୍ଚ, ସନ୍ଦିଗ୍ଧ ଓ ନିଶାସେବୀଙ୍କ ଉପରେ କଡ଼ା ନଜର ଏବଂ ଜରୁରୀକାଳୀନ ସ୍ଥିତିରେ ଉଦ୍ଧାର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସଜାଗ ରଖିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ରଥଯାତ୍ରା ସୁରକ୍ଷା ପାଇଁ ୧୨ ହଜାରରୁ ଅଧିକ ପୁଲିସ ଓ CAPF ଯବାନ ମୁତୟନ କରାଯାଇଛି। ସେମାନଙ୍କ ସହ କୋଷ୍ଟଗାର୍ଡ ଓ ଭାରତୀୟ ନୌସେନା ମଧ୍ୟ ସତର୍କ ଅବସ୍ଥାରେ ରହିବେ। ସମଗ୍ର ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ୧୯ ଜଣ ବରିଷ୍ଠ IPS ଅଧିକାରୀ ନିୟୋଜିତ ହୋଇଛନ୍ତି।

ପ୍ରଯୁକ୍ତିଗତ ବ୍ୟବସ୍ଥାକୁ ମଧ୍ୟ ଏଥର ଅଧିକ ସୁଦୃଢ଼ କରାଯାଇଛି। ୪୭୦ରୁ ଅଧିକ ସିସିଟିଭି କ୍ୟାମେରା, ୬୫ଟି ବୃହତ୍ LED ସ୍କ୍ରିନ୍, ୧୬ଟି ସ୍ଥାୟୀ ଟେଲିକମ୍ ଟାୱାର ସହ ଅସ୍ଥାୟୀ ନେଟୱର୍କ ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କୁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଜରୁରୀ ସୂଚନା ପହଞ୍ଚାଇବା ପାଇଁ ବଲ୍କ ମେସେଜିଂ ସେବା ମଧ୍ୟ ରହିବ।

ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ୧୭୦୦ଟି ବାୟୋ-ଟଏଲେଟ ସ୍ଥାପନ କରାଯାଇଛି। ପ୍ରତ୍ୟେକ ପାଞ୍ଚଟି ଟଏଲେଟ ପାଇଁ ଜଣେ ଲେଖାଏଁ ସ୍ୱେଚ୍ଛାସେବକ ନିୟୋଜିତ ହୋଇଛନ୍ତି। ଏହାସହ ଭକ୍ତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ୮ଟି ଅସ୍ଥାୟୀ ହସ୍ପିଟାଲ ପ୍ରସ୍ତୁତ ରହିଛି।

ଦିବ୍ୟାଙ୍ଗ, ବୟୋଜ୍ୟେଷ୍ଠ ଏବଂ ଅସୁସ୍ଥ ଭକ୍ତଙ୍କ ସୁବିଧା ପାଇଁ ଗୁଣ୍ଡିଚା ମନ୍ଦିରରେ ସ୍ୱତନ୍ତ୍ର ହେଲ୍ପ ଡେସ୍କ ସ୍ଥାପନ କରାଯିବ। ଭିଡ଼ ପରିଚାଳନା ପାଇଁ ଇଭାକ୍ୟୁଏସନ୍ କରିଡର ଏବଂ ଏକ ସମନ୍ୱିତ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ରହିବ।

ଚଳିତ ବର୍ଷ ରଥଯାତ୍ରା ସମୟରେ ପୁରୀକୁ ୩୦୦ରୁ ଅଧିକ ସ୍ୱତନ୍ତ୍ର ଓ ନିୟମିତ ଟ୍ରେନ୍ ଚଳାଚଳ କରିବ। ଏହାକୁ ଦୃଷ୍ଟିରେ ରଖି ଷ୍ଟେସନ୍ ଓ ସହରରେ ଭିଡ଼ ପରିଚାଳନା, ଯାତ୍ରୀଙ୍କୁ ସଠିକ୍ ସୂଚନା ପ୍ରଦାନ ଏବଂ ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁ ରଖିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ, ଗୃହ, ପୂର୍ତ୍ତ, ସ୍ୱାସ୍ଥ୍ୟ, ଅଗ୍ନିଶମ, ପରିବହନ ଏବଂ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ରଥଯାତ୍ରା ପାଇଁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ।

You may also like

Leave a Comment