Home » Blog » ନୂଆପଡ଼ାରେ ଜଳସେଚନର ବଡ଼ ଯୋଜନା, ୭୫୮ କୋଟିରେ ହେବ ୭ଟି ମେଗା ପ୍ରକଳ୍ପ

ନୂଆପଡ଼ାରେ ଜଳସେଚନର ବଡ଼ ଯୋଜନା, ୭୫୮ କୋଟିରେ ହେବ ୭ଟି ମେଗା ପ୍ରକଳ୍ପ

by Sunita Jena
0 comments

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲାରେ ଜଳସେଚନ ବ୍ୟବସ୍ଥାର ବଡ଼ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ୭୫୮ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୭ଟି ମେଗା ଲିଫ୍ଟ ଇରିଗେସନ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି ପ୍ରକଳ୍ପଗୁଡ଼ିକର ଟେଣ୍ଡରକୁ ମଞ୍ଜୁରୀ ମିଳିଥିବା ବେଳେ ଜିଲ୍ଲାର ଚାଷୀଙ୍କୁ ସ୍ଥାୟୀ ଜଳସେଚନ ସୁବିଧା ଯୋଗାଇଦେବା ଏହାର ମୁଖ୍ୟ ଲକ୍ଷ୍ୟ।

ବର୍ଷା ଉପରେ ନିର୍ଭରଶୀଳ ନୂଆପଡ଼ା ଜିଲ୍ଲାରେ ଜଳସେଚନ ସମସ୍ୟା ଦୀର୍ଘଦିନର। ବିଶେଷକରି ଶୁଷ୍କ ଅଞ୍ଚଳର ଚାଷୀମାନେ ପାଣି ଅଭାବରୁ ଚାଷ କାର୍ଯ୍ୟରେ ନାନା ସମସ୍ୟା ଭୋଗୁଛନ୍ତି। ଏହି ସମସ୍ୟା ଦୂର କରିବାକୁ ୭ଟି କ୍ଲଷ୍ଟର ଆଧାରରେ ଜଳସେଚନ ବ୍ୟବସ୍ଥା ବିକଶିତ କରାଯିବ।

ପ୍ରକଳ୍ପ ମାଧ୍ୟମରେ ନଦୀ ଓ ଅନ୍ୟ ଜଳ ଉତ୍ସରୁ ପାଣି ଉତ୍ତୋଳନ କରାଯାଇ ପାଇପ୍‌ଲାଇନ୍ ଯୋଗେ ଚାଷ ଜମିକୁ ଯୋଗାଇ ଦିଆଯିବ। ଏଥିରେ ଆଧୁନିକ ପ୍ରେସରାଇଜଡ୍ ଇରିଗେସନ୍ ବ୍ୟବସ୍ଥା ଲାଗୁ ହେବ। ଫଳରେ ଜଳକୁ ସିଧାସଳଖ ଚାଷ ଜମି ନିକଟରେ ପହଞ୍ଚାଇବା ସମ୍ଭବ ହେବ।

ଏହା ସହ ମାଇକ୍ରୋ ଇରିଗେସନ୍ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଏହାଦ୍ୱାରା ଜଳର ଅପଚୟ ରୋକିବା ସହ ଫସଲର ଆବଶ୍ୟକତା ଅନୁସାରେ ପାଣି ଯୋଗାଇ ଦିଆଯାଇପାରିବ। ଫଳରେ ଜଳସେଚନର ସୁବିଧା ବଢ଼ିବା ସହ କୃଷି ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ।

ପ୍ରକଳ୍ପର ନିର୍ମାଣ ସହ ପରିଚାଳନା ଓ ରକ୍ଷଣାବେକ୍ଷଣ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଏହି ୭ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ନୂଆପଡ଼ାର ଅଧିକ ଚାଷ ଜମି ଜଳସେଚନ ସୁବିଧା ପାଇପାରିବ। ଚାଷୀଙ୍କ ଜଳ ସମସ୍ୟା ଦୂର ହେବା ସହ କୃଷି ଅର୍ଥନୀତିକୁ ମିଳିବ ନୂଆ ଗତି।

You may also like

Leave a Comment