ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବା ନେଇ ସତର୍କ ସୂଚନା ପରେ ଓଡ଼ିଶା ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ଓ କୃଷି ଏବଂ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଭୟ ବିଭାଗର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଟାଟା ପାୱାରକୁ ଆଡଭାଇଜରି ଜାରି କରାଯାଇଛି। ପ୍ରବଳ ପବନ ଯୋଗୁଁ ବିଦ୍ୟୁତ୍ ଖୁଣ୍ଟ ଓ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହେଲେ ତୁରନ୍ତ ମରାମତି କରି ବିଦ୍ୟୁତ୍ ସେବା ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସମସ୍ତ ସମ୍ପୃକ୍ତ ଟିମ୍କୁ ପ୍ରସ୍ତୁତ ରଖାଯାଇଥିବା ବେଳେ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
କୃଷି ବିଭାଗକୁ ଜିଲ୍ଲାପାଳମାନଙ୍କ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକ ପ୍ରସ୍ତୁତି କରିବାକୁ କୁହାଯାଇଛି। ବର୍ଷା ପରେ ଫସଲରେ କୀଟପତଙ୍ଗଙ୍କ ଆକ୍ରମଣ ଆଶଙ୍କା ଥିବାରୁ ଆବଶ୍ୟକ କୀଟନାଶକ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଉପମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଅପିଲ କରି କହିଛନ୍ତି ଯେ, ଯେଉଁମାନଙ୍କର ଧାନ ପାଚିଯାଇଛି, ସେମାନେ ଧାନ କାଟି ସୁରକ୍ଷିତ ସ୍ଥାନରେ ଘୋଡ଼ାଇ ରଖନ୍ତୁ। ଅନ୍ୟପକ୍ଷରେ ଯେଉଁମାନଙ୍କ ଧାନ ଏପର୍ଯ୍ୟନ୍ତ ପାଚିନାହିଁ, ସେମାନେ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟର ଜଳଭଣ୍ଡାରଗୁଡ଼ିକରେ ପ୍ରାୟ ୭୦ ପ୍ରତିଶତ ଜଳ ରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖି ବନ୍ୟା ନିୟନ୍ତ୍ରଣ ପାଇଁ ଅତିରିକ୍ତ ଜଳ ଛାଡ଼ିବାର ଆବଶ୍ୟକତା ପଡ଼ିବ ନାହିଁ ବୋଲି ସେ କହିଛନ୍ତି।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ‘ଶୂନ୍ୟ ଜୀବନହାନି’। ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ଯେପରି କୌଣସି ବ୍ୟକ୍ତିଙ୍କ ଜୀବନହାନି ନଘଟେ, ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି।
ସେ କହିଛନ୍ତି ଯେ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ସତର୍କ କରାଯାଇଛି। ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ପ୍ରଶାସନକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହିତ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୪ ମସିହାରୁ କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ପାଇଁ ପ୍ରଭାବିତ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାଜ୍ୟ ସରକାର ସବୁ ପରିସ୍ଥିତିରେ ଜନସାଧାରଣ ଓ ଚାଷୀମାନଙ୍କ ସହ ରହିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଆବଶ୍ୟକ ସହାୟତା ଜାରି ରହିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
