ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷାର ପ୍ରସାର ଓ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଦିଗରେ ଜ୍ଞାନୋଦୟ ଯୋଜନା ସକାରାତ୍ମକ ପ୍ରଭାବ ପକାଇଛି। ଏହି ଯୋଜନା ଲାଗୁ ହେବା ପରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ହାର ବୃଦ୍ଧି ପାଇଛି। ପୂର୍ବ ଶିକ୍ଷାବର୍ଷ ତୁଳନାରେ ଚଳିତ ବର୍ଷ ୧୪ ହଜାର ୭୫୮ ଜଣ ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଆଡ୍ମିଶନ ନେଇଛନ୍ତି।
ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ଏହି ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ତାଙ୍କ ସୂଚନା ଅନୁସାରେ, ପୂର୍ବ ଶିକ୍ଷାବର୍ଷରେ ୧ ଲକ୍ଷ ୬୪ ହଜାର ୧୭୯ ଜଣ ଛାତ୍ରଛାତ୍ରୀ ସ୍ନାତକ ରେଗୁଲାର ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ଚଳିତ ଶିକ୍ଷାବର୍ଷରେ ଏହି ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୭୮ ହଜାର ୯୩୭ରେ ପହଞ୍ଚିଛି।
ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ମଧ୍ୟ ନାମଲେଖା ହାର ଉତ୍ସାହଜନକ ରହିଛି। ଏଥିରେ କଳାହାଣ୍ଡି ୯୯.୦୯ ପ୍ରତିଶତ ସହ ଶୀର୍ଷରେ ରହିଥିବା ବେଳେ କୋରାପୁଟରେ ୯୮.୮୨, ବଲାଙ୍ଗୀରରେ ୯୫.୫୭, ମାଲକାନଗିରିରେ ୯୫.୩୭ ଏବଂ ନୂଆପଡ଼ାରେ ୯୪.୬୪ ପ୍ରତିଶତ ନାମଲେଖା ହୋଇଛି।
ଅନ୍ୟପଟେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକ ଅଭାବ ଦୂର କରିବା ସହ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ରାଜ୍ୟର ୪୮ଟି ସରକାରୀ ଡିଗ୍ରୀ କଲେଜରେ ନୂତନ ଭାବେ ୪୮ଟି ଅଧ୍ୟକ୍ଷ ପଦବୀ ସୃଷ୍ଟି କରାଯାଇଛି। ଫଳରେ ୬୬ଟି ସରକାରୀ ଡିଗ୍ରୀ କଲେଜରେ ଅଧ୍ୟକ୍ଷ ପଦବୀ ସଂଖ୍ୟା ୬୬କୁ ବୃଦ୍ଧି ପାଇଛି।
ସେହିପରି ୬୬ଟି ସରକାରୀ ଡିଗ୍ରୀ କଲେଜରେ ଖାଲି ଥିବା ୩୮୫ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଏହା ସହ ୧୭ଟି ବିଶ୍ୱବିଦ୍ୟାଳୟରେ ଖାଲି ଥିବା ୧୪୩୪ଟି ଶିକ୍ଷକ ପଦବୀ ପୂରଣ ନିମନ୍ତେ ମଧ୍ୟ ପଦକ୍ଷେପ ନିଆଯାଇଛି। ଏହି ଦୁଇ କ୍ଷେତ୍ରକୁ ମିଶାଇ ମୋଟ ୧୮୧୯ଟି ଶିକ୍ଷକ ପଦବୀ ପୂରଣ ପ୍ରକ୍ରିୟା ଜାରି ରହିଛି।
ବିଶ୍ୱବିଦ୍ୟାଳୟଗୁଡ଼ିକର ପରିଚାଳନାକୁ ଅଧିକ ଦକ୍ଷ କରିବା ପାଇଁ ୨୬୨ଟି ନୂତନ ଅଣଶିକ୍ଷକ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି।
ବୈଠକରେ ଷ୍ଟେଟ୍ ସିଲେକ୍ସନ ବୋର୍ଡର ନିଯୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଗତ ଦୁଇ ବର୍ଷ ମଧ୍ୟରେ ୨୮୦୦ରୁ ଅଧିକ ପଦବୀ ପାଇଁ ପରୀକ୍ଷା ଓ ଫଳ ପ୍ରକାଶ ସମ୍ପନ୍ନ ହୋଇଥିବା ବେଳେ ଚଳିତ ବର୍ଷ ବିଭିନ୍ନ ବର୍ଗର ୧୫୫୭ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଛି।
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଜ୍ଞାନୋଦୟ ଯୋଜନା ମାଧ୍ୟମରେ ଉଚ୍ଚଶିକ୍ଷାକୁ ସମସ୍ତଙ୍କ ପାଇଁ ସୁଲଭ ଓ ସମାବେଶୀ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ ସହ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ଉପରେ ପ୍ରାଥମିକତା ଦିଆଯାଉଛି। ଏଥିସହ ବିଭିନ୍ନ ଯୋଜନା ଓ ପ୍ରକଳ୍ପର କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି।
ଉଚ୍ଚଶିକ୍ଷାରେ ଅଧିକ ନାମଲେଖା, ଶିକ୍ଷକ ନିଯୁକ୍ତି ଓ ନୂଆ ପଦବୀ ସୃଷ୍ଟି ମାଧ୍ୟମରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଆଗକୁ ବଢ଼ୁଛି ଉଚ୍ଚଶିକ୍ଷା ବିଭାଗ।
