ଭୁବନେଶ୍ୱର, ୧୩ ଜୁଲାଇ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଚିକିତ୍ସା ଓ ଜରୁରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କରାଯାଇଛି। ଭିଡ଼ ଭିତରେ କୌଣସି ଅସୁସ୍ଥତା, ଦୁର୍ଘଟଣା କିମ୍ବା ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିବା ବିଭାଗ ସୂଚନା ଦେଇଛି।
ରଥଯାତ୍ରା ସମୟରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ, ୧୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ୟୁନିଟ୍, ୧୦ ଶଯ୍ୟା ବିଶିଷ୍ଟ ବର୍ଣ୍ଣ ୱାର୍ଡ ଏବଂ ସ୍ୱତନ୍ତ୍ର ଅସ୍ତ୍ରୋପଚାର କକ୍ଷ ପ୍ରସ୍ତୁତ ରହିବ। ଏହା ସହ ନବନିର୍ମିତ ହସ୍ପିଟାଲ ଭବନରେ ଅତିରିକ୍ତ ୧୫୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି, ଯାହା ଜରୁରୀ ପରିସ୍ଥିତିରେ ରୋଗୀଙ୍କ ଚିକିତ୍ସାରେ ସହାୟକ ହେବ।
ସ୍ୱାସ୍ଥ୍ୟସେବାକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ପ୍ରାୟ ୨୩୦ ଜଣ ଡାକ୍ତର, ୬୬ ଜଣ ବିଶେଷଜ୍ଞ, ୨ ଜଣ ହୃଦରୋଗ ବିଶେଷଜ୍ଞ, ୨ ଜଣ ସ୍ନାୟୁରୋଗ ବିଶେଷଜ୍ଞ, ୨ ଜଣ ପ୍ଲାଷ୍ଟିକ ସର୍ଜନ, ୨୦୦ ନର୍ସିଂ ଅଫିସର ଏବଂ ୨୨୯ ଜଣ ପାରାମେଡିକାଲ କର୍ମଚାରୀ ମୁତୟନ ହେବେ। ବଡ଼ ଭିଡ଼ ମଧ୍ୟରେ କୌଣସି ଜରୁରୀ ଚିକିତ୍ସା ଆବଶ୍ୟକ ହେଲେ ଏହି ଟିମ୍ ତୁରନ୍ତ ସେବା ଯୋଗାଇବେ।
ଗ୍ରାଣ୍ଡ ରୋଡ୍ ତଥା ବଡଦାଣ୍ଡର ଉଭୟ ପାର୍ଶ୍ୱରେ ୮ଟି ୧୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଡାକ୍ତରଖାନା ସ୍ଥାପନ କରାଯିବ। ଏଥିସହ ପୁରୀ ସହର ଓ ବଡଦାଣ୍ଡର ବିଭିନ୍ନ ସ୍ଥାନରେ ମୋଟ ୩୦ଟି ଆଶୁ ଚିକିତ୍ସା କେନ୍ଦ୍ର କାର୍ଯ୍ୟକ୍ଷମ ରହିବ। ସେଥିମଧ୍ୟରୁ ବଡଦାଣ୍ଡରେ ଥିବା ୧୧ଟି କେନ୍ଦ୍ର ୨୪ ଘଣ୍ଟା ଖୋଲା ରହି ଶ୍ରଦ୍ଧାଳୁଙ୍କୁ ଚିକିତ୍ସା ସେବା ଯୋଗାଇବ।
ରଥଯାତ୍ରା ସମୟରେ ରୋଗୀଙ୍କୁ ଶୀଘ୍ର ହସ୍ପିଟାଲ ପହଞ୍ଚାଇବା ପାଇଁ ୪୬ଟି ଆମ୍ବୁଲାନ୍ସ ପୁରୀର ବିଭିନ୍ନ ସ୍ଥାନରେ ମୁତୟନ ହେବ। ଏହା ସହ ୨ଟି ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ (ALS) ଆମ୍ବୁଲାନ୍ସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସ୍ତୁତ ରହିବ, ଯାହା ଗୁରୁତର ରୋଗୀଙ୍କୁ ଜୀବନରକ୍ଷାକାରୀ ଚିକିତ୍ସା ସହିତ ତୁରନ୍ତ ସ୍ଥାନାନ୍ତର କରିବାରେ ସହାୟକ ହେବ।
ଗ୍ରୀଷ୍ମ ଋତୁ ଓ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ଅଂଶୁଘାତ ମୁକାବିଲା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ଟି ଶୀତତାପ ନିୟନ୍ତ୍ରିତ ଶଯ୍ୟା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ଟି ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଲେଖାଏଁ ଶଯ୍ୟା ସଂରକ୍ଷିତ ରଖାଯିବ।
ଖାଦ୍ୟ ସୁରକ୍ଷା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ରଥଯାତ୍ରା ସମୟରେ ବିକ୍ରି ହେଉଥିବା ଖାଦ୍ୟର ମାନ ଯାଞ୍ଚ ପାଇଁ ଅତିରିକ୍ତ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ମୁତୟନ କରାଯାଇଛି। ଏହାସହ ୩୦ ଜଣ ପ୍ରଶିକ୍ଷିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଅମ୍ଳଜାନ କ୍ୟାନିଷ୍ଟର ସହ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯିବ, ଯାହାଦ୍ୱାରା ଶ୍ୱାସକଷ୍ଟ କିମ୍ବା ଅନ୍ୟ ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ଘଟଣାସ୍ଥଳରେ ତୁରନ୍ତ ସହାୟତା ମିଳିପାରିବ।
ସ୍ୱାସ୍ଥ୍ୟ ବିଭାଗର କହିବାନୁସାରେ, ରଥଯାତ୍ରାରେ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଓ ଶୀଘ୍ର ଚିକିତ୍ସା ସେବା ଯୋଗାଇବା ପାଇଁ ସମସ୍ତ ବ୍ୟବସ୍ଥାକୁ ସଜାଗ ଓ ସମନ୍ୱିତ ଭାବରେ କାର୍ଯ୍ୟକ୍ଷମ କରାଯାଇଛି।
