ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପୂର୍ବତନ ଆଇଏଏସ୍ ଅଧିକାରୀ Sujata Karthikeyan ସୁଜାତା କାର୍ତ୍ତିକେୟନ ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହୋଇଛନ୍ତି। ଦଳର ସଭାପତି Naveen Patnaik ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ନେତା, ବିଧାୟକ ଓ ସାଂସଦ ଯୋଗ ଦେଇଥିଲେ।
ତେବେ କାର୍ଯ୍ୟକ୍ରମରେ କିଛି ପ୍ରମୁଖ ନେତାଙ୍କ ଅନୁପସ୍ଥିତି ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷକରି Pranab Prakash Das ବବି ଦାସଙ୍କ ସହ ରାଜା ସ୍ୱାଇଁ, ଭୁପିନ୍ଦର ସିଂ ଓ ବଦ୍ରି ପାତ୍ର ଉପସ୍ଥିତ ନଥିବା ନେଇ ବିଭିନ୍ନ ମହଳରେ ଆଲୋଚନା ହେଉଛି। ଯଦିଓ ସେମାନଙ୍କ ଅନୁପସ୍ଥିତିର କାରଣ ସମ୍ପର୍କରେ ଦଳ ପକ୍ଷରୁ କୌଣସି ଆଧିକାରିକ ସ୍ପଷ୍ଟୀକରଣ ଆସିନାହିଁ, ତଥାପି ସୁଜାତାଙ୍କ ଦଳରେ ପ୍ରବେଶକୁ ନେଇ କିଛି ନେତା ଅସନ୍ତୁଷ୍ଟ ଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ସୁଜାତା କାର୍ତ୍ତିକେୟନଙ୍କ ଯୋଗଦାନ ବିଜେଡିକୁ କେତେଦୂର ସଂଗଠନାତ୍ମକ ଭାବେ ସୁଦୃଢ଼ କରିବ ଓ ଦଳର ଭବିଷ୍ୟତ ରଣନୀତିରେ କିପରି ପ୍ରଭାବ ପକାଇବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ବିଜେଡିରେ ଯୋଗଦେବା ପରେ ସୁଜାତା କହିଥିଲେ, “ଆଜି ବିଜୁ ଜନତା ଦଳରେ ସାମିଲ ହୋଇ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ଆନନ୍ଦିତ। ପ୍ରଭୁ ଜଗନ୍ନାଥଙ୍କ କୃପା, ଦଳର ନେତୃବୃନ୍ଦ ଓ ଲକ୍ଷ ଲକ୍ଷ କର୍ମୀଙ୍କ ଆଶୀର୍ବାଦରେ ମୁଁ ନିଷ୍ଠା ଓ ସମର୍ପଣ ସହ ଓଡ଼ିଶାବାସୀଙ୍କ ପାଇଁ କାମ କରିବି।”
ଏହି ଅବସରରେ ନବୀନ ପଟ୍ଟନାୟକ କହିଥିଲେ ଯେ ସୁଜାତା କାର୍ତ୍ତିକେୟନ ଜଣେ ସାଧାରଣ କର୍ମୀ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ ଭାବେ ପ୍ରଶାସନିକ କ୍ଷେତ୍ରରେ ଅନୁଭବୀ ଥିବାରୁ ଦଳ ତାଙ୍କ ଅଭିଜ୍ଞତାର ଲାଭ ପାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ସେହିପରି ନବୀନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସନ୍ଦେଶ ଦେଇ କହିଥିଲେ ଯେ ଆଗାମୀ ନିର୍ବାଚନରେ ମଧ୍ୟ ବିଜେଡି ତାଙ୍କ ନେତୃତ୍ୱରେ ଲଢ଼ିବ। ଏହା ମାଧ୍ୟମରେ ସେ ଦଳର ନେତୃତ୍ୱକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇବାକୁ ଚେଷ୍ଟା କରିଥିବା ମନେ କରାଯାଉଛି।
