Home Featuredଅଙ୍ଗୁଳରେ ବଡ଼ ଡକାୟତି ଘଟଣାର ପର୍ଦ୍ଦାଫାସ, ୪ ଅଭିଯୁକ୍ତ ଗିରଫ, ପୋଲିସ ଏନକାଉଣ୍ଟରରେ ୨ ଆହତ

ଅଙ୍ଗୁଳରେ ବଡ଼ ଡକାୟତି ଘଟଣାର ପର୍ଦ୍ଦାଫାସ, ୪ ଅଭିଯୁକ୍ତ ଗିରଫ, ପୋଲିସ ଏନକାଉଣ୍ଟରରେ ୨ ଆହତ

by Gulshan Pandey
0 comments

ତାଳଚେରର ଶ୍ରୀ ବାଲାଜୀ ଗୋଲ୍ଡ ରିଫାଇନେରୀରେ ହୋଇଥିବା ଚାଞ୍ଚଲ୍ୟକର ଡକାୟତି ଘଟଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ କରିଛି ଅଙ୍ଗୁଳ ପୋଲିସ। ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ପ୍ରାୟ ସମସ୍ତ ଲୁଟ୍ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ପୋଲିସ ସହ ମୁହାଁମୁହିଁ ସଂଘର୍ଷ ବେଳେ ଗୁଳିବିଦ୍ଧ ହୋଇ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ୧୦ ମିନିଟ୍ ସମୟରେ ଏକ ଧଳା ରଙ୍ଗର ହ୍ୟୁଣ୍ଡାଇ ଭର୍ନା କାରରେ ୪ ଜଣ ବ୍ୟକ୍ତି ଶ୍ରୀ ବାଲାଜୀ ଗୋଲ୍ଡ ରିଫାଇନେରୀରେ ପହଞ୍ଚିଥିଲେ। ସେମାନେ ନିଜକୁ ପୋଲିସ ଓ ଆୟକର ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ ରିଫାଇନେରୀ ଭିତରକୁ ପ୍ରବେଶ କରିଥିଲେ।

ଭିତରକୁ ଯିବା ପରେ ସେମାନେ ସମ୍ପୂର୍ଣ୍ଣ ସ୍ଥାନକୁ ଯାଞ୍ଚ କରିଥିଲେ ଏବଂ ପରେ ପ୍ରାୟ ୨୩୦ ଗ୍ରାମ ସୁନା, ୬୦ ଗ୍ରାମ ସୁନା ଅଳଙ୍କାର ଏବଂ ୭୦୦ ଗ୍ରାମ ରୂପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଡକାୟତି ପରେ ଅଭିଯୁକ୍ତମାନେ ରିଫାଇନେରୀର ଜଣେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଅପହରଣ କରି ନିଜ କାରରେ ନେଇ ପଳାଇଥିଲେ। ପରେ ଅଙ୍ଗୁଳ ନିକଟରେ ତାଙ୍କୁ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ। ମୁକ୍ତି ପାଇବା ପରେ କର୍ମଚାରୀ ଜଣକ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ।

ଘଟଣାର ସୂଚନା ମିଳିବା ପରେ ତାଳଚେର ପୋଲିସ ମାମଲା ରୁଜୁ କରି ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଅଙ୍ଗୁଳ ଏସପି ରାହୁଲ ଜୈନଙ୍କ ତତ୍ତ୍ୱାବଧାନରେ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଜିଲ୍ଲା ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ନାକାବନ୍ଦୀ କରାଯାଇଥିଲା ଏବଂ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା।

ପୋଲିସ କହିଛି ଯେ, ଏଆଇ ଆଧାରିତ ସିସିଟିଭି କ୍ୟାମେରାର ସହାୟତାରେ ଅଭିଯୁକ୍ତମାନଙ୍କ ଗାଡ଼ିକୁ ଟ୍ରାକ୍ କରାଯାଇଥିଲା। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ କାରଟି ଏନଏଚ-୫୫ ଦେଇ ସମ୍ବଲପୁର ଆଡ଼କୁ ଯାଉଥିଲା।

ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ହଣ୍ଡପା ଥାନା ଅଞ୍ଚଳର ଚୁଲିଆପୁର ଜଙ୍ଗଲ ନିକଟରେ କାର ଛାଡ଼ି ପାଦରେ ପଳାଇବାକୁ ଚେଷ୍ଟା କରିଥିଲେ। ପୋଲିସ ଜଙ୍ଗଲ ଭିତରେ ସେମାନଙ୍କୁ ଧାଉଁଥିବା ବେଳେ ଅଭିଯୁକ୍ତମାନେ ପୋଲିସ ଉପରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି।

ଏହାପରେ ପୋଲିସ ପାଲଟା କାର୍ଯ୍ୟାନୁଷ୍ଠାନ କରିଥିଲା। ଏହି ସମୟରେ ୨ ଜଣ ଅଭିଯୁକ୍ତ ଗୁଳିବିଦ୍ଧ ହୋଇ ଆହତ ହୋଇଥିଲେ। ପରେ ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା।

ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ପ୍ରାୟ ସମସ୍ତ ଲୁଟ୍ ହୋଇଥିବା ସୁନା ଓ ରୂପା ସାମଗ୍ରୀ ଜବତ କରିଛି। ଘଟଣାରେ ଆହୁରି କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ବଡ଼ ଡକାୟତି ଘଟଣାର ପର୍ଦ୍ଦାଫାସ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବାରୁ ଅଙ୍ଗୁଳ ପୋଲିସର ତତ୍ପରତାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି।

You may also like

Leave a Comment