ଓଡ଼ିଶାରେ ସହରୀୟ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ପରିବେଶବନ୍ଧବ କରିବା ଲକ୍ଷ୍ୟରେ କ୍ୟାପିଟାଲ୍ ରିଜିଅନ୍ ଅର୍ବନ୍ ଟ୍ରାନ୍ସପୋର୍ଟ (CRUT) ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ୪୦୦ରୁ ଅଧିକ ନୂଆ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବାକୁ ଯୋଜନା କରିଛି।
CRUTର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍ ଆଲମ କହିଛନ୍ତି ଯେ, ନବୀକରଣଯୋଗ୍ୟ ଓ ନୂତନ ଶକ୍ତି ମନ୍ତ୍ରଣାଳୟର ସହଯୋଗରେ ରାଜ୍ୟରେ ୩ଟି ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ବସ୍ ମଧ୍ୟ ଚଳାଚଳ କରାଯିବ।
୨୦୧୮ରେ CRUT ଆରମ୍ଭ ହେବା ପରଠାରୁ ଏହାର ବସ୍ ସଂଖ୍ୟା ବୃଦ୍ଧି ପାଇ ୨୦୨୬ ଏପ୍ରିଲ ସୁଦ୍ଧା ୭୬୦ରେ ପହଞ୍ଚିଛି। ୨୦୨୪ରେ ସମ୍ବଲପୁର ଓ ବ୍ରହ୍ମପୁରରେ ଇଲେକ୍ଟ୍ରିକ୍ ବସ୍ ସେବା ଆରମ୍ଭ ହୋଇଥିବାବେଳେ ୨୦୨୫ରେ ବହୁ ସଂଖ୍ୟକ ନୂଆ ବସ୍ ଯୋଡ଼ାଯାଇଥିଲା।
ବସ୍ ସେବା ବିସ୍ତାର ପାଇଁ ଗଡକଣା, ନରାଜ, ପୁରୀ, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝରରେ ଆଧୁନିକ ଡିପୋ କାର୍ଯ୍ୟକ୍ଷମ ହୋଇଛି। ସେହିପରି ଚନ୍ଦ୍ରଶେଖରପୁର ଓ ମାଷ୍ଟର କ୍ୟାଣ୍ଟିନରେ ସ୍ୱତନ୍ତ୍ର ଇଭି ଟର୍ମିନାଲ୍ ସ୍ଥାପନ ସହ କଟକରେ ୧୫୩ଟି ନୂଆ ବସ୍ ପୋଲ୍ ଲଗାଯାଇଛି।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସୁରକ୍ଷିତ, ସୁଲଭ ଏବଂ ପ୍ରଯୁକ୍ତିନିର୍ଭର ଜନସାଧାରଣ ପରିବହନ ସେବା ଯୋଗାଇବାକୁ ସରକାର ପ୍ରତିବଦ୍ଧ। CRUTର ଅଗ୍ରଗତି ରାଜ୍ୟର ସବୁଜ ଓ ସ୍ମାର୍ଟ ସହର ଗଠନ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି ଯେ, ନବୀନତା ଓ କାର୍ଯ୍ୟକ୍ଷମ ପରିଚାଳନା ମାଧ୍ୟମରେ ଭବିଷ୍ୟତମୁଖୀ, ସମାବେଶୀ ଓ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଗଢ଼ି ତୋଳିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।
ମାନବ ସମ୍ପଦ ବିକାଶ କ୍ଷେତ୍ରରେ ମଧ୍ୟ CRUT ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ୨୦୨୪ ପରଠାରୁ ୬,୦୦୦ରୁ ଅଧିକ କର୍ମଚାରୀଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଇଛି। ମହିଳା ସଶକ୍ତିକରଣ ଦିଗରେ ୨୦ ଜଣ ମହିଳାଙ୍କୁ ଇଲେକ୍ଟ୍ରିକ୍ ବସ୍ ଚାଳନା ପାଇଁ ପ୍ରଶିକ୍ଷିତ କରାଯାଇଛି। କର୍ମଚାରୀଙ୍କ ଉତ୍କୃଷ୍ଟ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ସ୍ୱୀକୃତି ଓ ପୁରସ୍କାର ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯାଇଛି।
