Home Featuredରାସ୍ତାକଡ଼ରେ ଠିଆ ଥିବା ଟ୍ରକକୁ ପିଟିଲା ବାଇକ୍, ଘଟଣାସ୍ଥଳରେ ଦୁଇ ଭାଇଙ୍କ ମୃତ୍ୟୁ

ରାସ୍ତାକଡ଼ରେ ଠିଆ ଥିବା ଟ୍ରକକୁ ପିଟିଲା ବାଇକ୍, ଘଟଣାସ୍ଥଳରେ ଦୁଇ ଭାଇଙ୍କ ମୃତ୍ୟୁ

by Gulshan Pandey
0 comments

ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଥାନା ଅଧୀନ ଦିଘିରି ନିକଟ ଜାତୀୟ ରାଜପଥ-୫୭ରେ ସୋମବାର ବିଳମ୍ବିତ ରାତିରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଠିଆ ଥିବା ଟ୍ରକ ପଛରେ ବାଇକ୍ ପିଟି ହୋଇଯିବାରୁ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି।

ମୃତକ ଦୁଇଜଣ ହେଲେ ଦିଘିରି ଗାଁର ଆକାଶ ପ୍ରଧାନ ଓ ବିକାଶ ପ୍ରଧାନ। ଉଭୟ ଭାଇ ବାଇକରେ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଏକ ଟ୍ରକ ଖରାପ ହୋଇଯିବା ପରେ ଦିଘିରି ନିକଟରେ ଜାତୀୟ ରାଜପଥ କଡ଼ରେ ଠିଆ କରାଯାଇଥିଲା। ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଭାଇ ଦୁଇଜଣଙ୍କ ବାଇକ୍ ଟ୍ରକର ପଛପଟରେ ଜୋରଦାର ଧକ୍କା ଦେଇଥିଲା।

ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଟ୍ରକର ପଛ ଟ୍ରଲିରେ ବାଇକ୍ ପିଟି ହୋଇଥିବାରୁ ଦୁଇ ଭାଇ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ଟ୍ରକକୁ ଜବତ କରିଛି। ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସୂଚନା ମିଳିଛି ଯେ ଦୁର୍ଘଟଣା ସମୟରେ ଟ୍ରକ ଚାଳକ ସେଠାରେ ଉପସ୍ଥିତ ନଥିଲେ। ସେ ଟ୍ରକକୁ ଛାଡ଼ି ଅନ୍ୟତ୍ର ଚାଲିଯାଇଥିବା କୁହାଯାଉଛି। ଘଟଣା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନାହିଁ। ପୋଲିସ ତାଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ପରେ ଜାତୀୟ ରାଜପଥ ଓ ରାସ୍ତା କଡ଼ରେ ଦୀର୍ଘ ସମୟ ଧରି ଟ୍ରକ ଓ ହାଇୱା ଭଳି ଭାରୀ ଯାନ ଠିଆ କରି ରଖିବା ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅନେକ ସମୟରେ କୌଣସି ସତର୍କ ସଙ୍କେତ ନ ଥାଇ ରାସ୍ତା କଡ଼ରେ ଭାରୀ ଯାନ ଠିଆ କରାଯାଉଛି, ଯାହା ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ନିକଟ ଅତୀତରେ ଏଭଳି ଅନେକ ଦୁର୍ଘଟଣା ଘଟିଥିବାରୁ ରାଜପଥରେ ବେଆଇନ ପାର୍କିଂ ଉପରେ କଡ଼ା ନଜର ରଖିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

You may also like

Leave a Comment