ଭୁବନେଶ୍ୱର: ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସରଳ କରିବା ପାଇଁ ରାଜ୍ୟ ସରକାର ଏକ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଜାରି କରିଛନ୍ତି। ଏହି SOP ପ୍ରି-ରେରା ଓ ପୋଷ୍ଟ-ରେରା ପ୍ରକଳ୍ପରେ ଥିବା ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପାଇଁ ଲାଗୁ ହେବ।
ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ ମହିଳାଙ୍କ ନାମରେ ଆପାର୍ଟମେଣ୍ଟ ହସ୍ତାନ୍ତର କରାଗଲେ ଷ୍ଟାମ୍ପ ଡ୍ୟୁଟିରେ ମିଳୁଥିବା ୧ ପ୍ରତିଶତ ରିହାତି ପୂର୍ବଭଳି ଜାରି ରହିବ। ସେହିପରି ଆପାର୍ଟମେଣ୍ଟର ସାଧାରଣ ସ୍ଥାନ ଓ ସୁବିଧାଗୁଡ଼ିକୁ ଆଲଟିମାନଙ୍କ ସଂଘ (Association of Allottees) ନାମରେ ହସ୍ତାନ୍ତର କରିବା ପାଇଁ ନାମମାତ୍ର ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ ଫି ଧାର୍ଯ୍ୟ କରାଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଏହି SOP ପ୍ରସ୍ତୁତ କରିଛନ୍ତି। ଏହା ଦ୍ୱାରା ଆପାର୍ଟମେଣ୍ଟ ଆଇନ, ରେରା ଆଇନ ଏବଂ ରେଜିଷ୍ଟ୍ରେସନ ଆଇନକୁ ନେଇ ଥିବା ବିଭିନ୍ନ ଦ୍ୱନ୍ଦ୍ୱ ଦୂର ହେବ ବୋଲି କୁହାଯାଇଛି।
ନୂଆ SOP ଅନୁସାରେ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଉଛି ପ୍ରି-ରେରା ଆପାର୍ଟମେଣ୍ଟର ପୁନଃବିକ୍ରୟ, ଦ୍ୱିତୀୟଟି ପ୍ରି-ରେରା ପ୍ରକଳ୍ପରେ ବିକ୍ରି ହୋଇନଥିବା ଫ୍ଲାଟର ପ୍ରଥମ ବିକ୍ରୟ ଏବଂ ତୃତୀୟଟି ପୋଷ୍ଟ-ରେରା ଆପାର୍ଟମେଣ୍ଟ।
ପ୍ରତ୍ୟେକ ଶ୍ରେଣୀ ପାଇଁ ଆବଶ୍ୟକ ଦଲିଲ, ଯାଞ୍ଚ ପ୍ରକ୍ରିୟା ଓ ରେଜିଷ୍ଟ୍ରେସନ ସର୍ତ୍ତ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।
ଅକ୍ଟୋବର ୫, ୨୦୧୬ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରି-ରେରା ପ୍ରକଳ୍ପର ଅବିକ୍ରିତ ଫ୍ଲାଟଗୁଡ଼ିକର ରେଜିଷ୍ଟ୍ରେସନ ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ-୨୦୨୩ର ବିଶେଷ ବ୍ୟବସ୍ଥା ଅନୁଯାୟୀ ହେବ।
ଏପରି ପ୍ରକଳ୍ପରେ ସେତେବେଳେ ରେଜିଷ୍ଟ୍ରେସନ ଅନୁମତି ମିଳିବ, ଯଦି ୨୦୧୬ ଅକ୍ଟୋବର ୫ ପୂର୍ବରୁ ଅତିକମରେ ୫୦ ପ୍ରତିଶତ ଫ୍ଲାଟ ରେଜିଷ୍ଟ୍ରି ମାଧ୍ୟମରେ ବିକ୍ରି ହୋଇଥିବ ଏବଂ ସମ୍ପୃକ୍ତ ଫ୍ଲାଟ ମୂଳ ବିଲ୍ଡିଂ ପ୍ଲାନର ଅଂଶ ହୋଇଥିବ।
ପୋଷ୍ଟ-ରେରା ଆପାର୍ଟମେଣ୍ଟ କ୍ଷେତ୍ରରେ ରେରା ରେଜିଷ୍ଟ୍ରେସନ, ଅକ୍ୟୁପାନ୍ସି ସାର୍ଟିଫିକେଟ୍, ଆଲଟିମାନଙ୍କ ସଂଘର ରେଜିଷ୍ଟ୍ରେସନ ଏବଂ ସାଧାରଣ ସ୍ଥାନ ହସ୍ତାନ୍ତର ସମ୍ପର୍କିତ ନିୟମ ପାଳନ ବାଧ୍ୟତାମୂଳକ କରାଯାଇଛି। ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ହିଁ ରେଜିଷ୍ଟ୍ରେସନ ହୋଇପାରିବ।
ଭୁବନେଶ୍ୱର ମହାନଗର ନିଗମ, ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରାଜସ୍ୱ ଉପଖଣ୍ଡ ଅଞ୍ଚଳରେ କେଉଁ କର୍ତ୍ତୃପକ୍ଷ କଣ ଦାୟିତ୍ୱ ନେବେ, ତାହା ମଧ୍ୟ SOPରେ ସ୍ପଷ୍ଟ କରାଯାଇଛି।
ସରକାରଙ୍କ ମତରେ, ଏହି ନୂଆ SOP ଦ୍ୱାରା ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପ୍ରକ୍ରିୟା ଅଧିକ ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ଜନସାଧାରଣଙ୍କ ପାଇଁ ସହଜ ହେବ। ଏହା ସହ ଫ୍ଲାଟ କ୍ରେତାଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ସହ ରିଅଲ ଇଷ୍ଟେଟ କ୍ଷେତ୍ରରେ ସୁଶାସନକୁ ଆହୁରି ମଜବୁତ କରିବ।
