Home Odishaଅନ୍ତଃରାଜ୍ୟ ଆଥଲେଟିକ୍ସ: ପ୍ରଜ୍ଞାଙ୍କ କାଂସ୍ୟ ସହ ଓଡ଼ିଶାର ପଦକ ଖାତା ଖୋଲିଲା, ଜ୍ୟୋତିଙ୍କ ଜବରଦସ୍ତ ପ୍ରତ୍ୟାବର୍ତ୍ତନ

ଅନ୍ତଃରାଜ୍ୟ ଆଥଲେଟିକ୍ସ: ପ୍ରଜ୍ଞାଙ୍କ କାଂସ୍ୟ ସହ ଓଡ଼ିଶାର ପଦକ ଖାତା ଖୋଲିଲା, ଜ୍ୟୋତିଙ୍କ ଜବରଦସ୍ତ ପ୍ରତ୍ୟାବର୍ତ୍ତନ

by Gulshan Pandey
0 comments

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ବୁଧବାରଠାରୁ ଆରମ୍ଭ ହୋଇଥିବା ୬୫ତମ ଜାତୀୟ ଅନ୍ତଃରାଜ୍ୟ ଆଥଲେଟିକ୍ସ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶାକୁ ପ୍ରଥମ ପଦକ ଉପହାର ଦେଇଛନ୍ତି ପ୍ରଜ୍ଞା ପ୍ରଶାନ୍ତୀ ସାହୁ। ମହିଳା ୧୦୦ ମିଟର ବାଧାଦୌଡ଼ରେ ୧୩.୪୮ ସେକେଣ୍ଡ ସମୟ ନେଇ ସେ କାଂସ୍ୟ ପଦକ ଜିତି ଆୟୋଜକ ଓଡ଼ିଶାର ପଦକ ଖାତା ଖୋଲିଛନ୍ତି।

ଏହି ପ୍ରତିଯୋଗିତାରେ ଜାତୀୟ ରେକର୍ଡଧାରୀ ଜ୍ୟୋତି ୟାରାଜୀ ଦୀର୍ଘ ଏକ ବର୍ଷର ବିରତି ପରେ ଟ୍ରାକ୍‌କୁ ଫେରି ଚମତ୍କାର ପ୍ରଦର୍ଶନ କରିଥିଲେ। ଆଘାତଜନିତ ସମସ୍ୟାରୁ ସୁସ୍ଥ ହୋଇ ଫେରିଥିବା ଜ୍ୟୋତି ମହିଳା ୧୦୦ ମିଟର ବାଧାଦୌଡ଼ରେ ୧୩.୧୪ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ଜିତିବା ସହ ଏସୀୟ କ୍ରୀଡ଼ା ପାଇଁ ନିର୍ଦ୍ଧାରିତ ୧୩.୩୪ ସେକେଣ୍ଡର ଯୋଗ୍ୟତା ମାନଦଣ୍ଡକୁ ଅତିକ୍ରମ କରିଛନ୍ତି।

୨୦୨୨ ଏସୀୟ କ୍ରୀଡ଼ାର ରୌପ୍ୟ ପଦକ ବିଜେତା ଜ୍ୟୋତି ଗତ ବର୍ଷ ଲିଗାମେଣ୍ଟ ଅସ୍ତ୍ରୋପଚାର ପରେ ପ୍ରଥମ ଥର ପାଇଁ ବଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଦୁଇ ଗୋଡ଼ରେ ଟେପ୍ ବାନ୍ଧି ଦୌଡ଼ିଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନ ଦର୍ଶକ ଓ କ୍ରୀଡ଼ାପ୍ରେମୀଙ୍କୁ ମୁଗ୍ଧ କରିଥିଲା। ତାମିଲନାଡୁର କେ. ନନ୍ଦିନୀ ୧୩.୨୨ ସେକେଣ୍ଡ ସମୟ ସହ ରୌପ୍ୟ ପଦକ ଜିତିଥିଲେ।

ଅନ୍ୟପକ୍ଷରେ, ଓଡ଼ିଶାର ଆଉ ଜଣେ ପ୍ରତିଭାଶାଳୀ ଧାବିକା ସବିତା ଟପ୍ପୋ ୧୩.୭୮ ସେକେଣ୍ଡ ସମୟ ସହ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ।

୬୩୦ରୁ ଅଧିକ ଆଥଲେଟ୍‌ ଅଂଶଗ୍ରହଣ କରୁଥିବା ଏହି ଜାତୀୟ ପ୍ରତିଯୋଗିତା ଭାରତୀୟ ଆଥଲେଟ୍‌ମାନଙ୍କ ପାଇଁ ଏସୀୟ କ୍ରୀଡ଼ା ଯୋଗ୍ୟତା ହାସଲ କରିବାର ଶେଷ ସୁଯୋଗ ହୋଇଥିବାରୁ ଏହାର ଗୁରୁତ୍ୱ ବଢ଼ିଯାଇଛି। ଆୟୋଜକ ଓଡ଼ିଶାରୁ ୨୮ ଜଣ ଆଥଲେଟ୍‌ ଏଥିରେ ଭାଗ ନେଉଥିବା ବେଳେ ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ ଓ ସ୍ପ୍ରିଣ୍ଟର ଅନିମେଷ କୁଜୁରଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

ପୂର୍ବାହ୍ନରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ। ଦେଶର ଶ୍ରେଷ୍ଠ ଆଥଲେଟ୍‌ମାନଙ୍କୁ ସ୍ୱାଗତ କରି ସେ ଓଡ଼ିଶାର ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପ୍ରଶଂସା କରିବା ସହ ଏହି ପ୍ରତିଯୋଗିତା ରାଜ୍ୟର କ୍ରୀଡ଼ା ଇତିହାସରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିବ ବୋଲି କହିଥିଲେ।

You may also like

Leave a Comment