Home Cultureରଥଯାତ୍ରା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ: ସମନ୍ୱୟ ଓ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ରଥଯାତ୍ରା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ: ସମନ୍ୱୟ ଓ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

by Lokanath Panigrahi
0 comments

ଭୁବନେଶ୍ୱର, ଜୁଲାଇ ୭: ଚଳିତ ବର୍ଷର ଶ୍ରୀଜଗନ୍ନାଥ ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ପୁରୀ ଟାଉନ୍ ହଲ୍‌ରେ ଆୟୋଜିତ ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ଅଧିକାରୀ, କର୍ମଚାରୀ ଓ ସେବକମାନଙ୍କୁ ସମର୍ପଣ ମନୋଭାବ ନେଇ ଦାୟିତ୍ୱ ତୁଲାଇବାକୁ ଆହ୍ୱାନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ବୁଦ୍ଧି, ଜ୍ଞାନ, ଦକ୍ଷତା ଓ ଅଭିଜ୍ଞତାକୁ ଏକାଠି କରି ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କଲେ ରଥଯାତ୍ରା ତ୍ରୁଟିଶୂନ୍ୟ ଭାବେ ସମ୍ପନ୍ନ ହେବ। ସମସ୍ତେ ନିଜ କର୍ତ୍ତବ୍ୟକୁ ମହାପ୍ରଭୁଙ୍କ ସେବା ବୋଲି ମନେ କରି ନିଷ୍ଠାର ସହ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ।

ସେ କହିଥିଲେ ଯେ, ରଥଯାତ୍ରା କେବଳ ପୁରୀ କିମ୍ବା ଓଡ଼ିଶାର ପର୍ବ ନୁହେଁ, ବରଂ ସମଗ୍ର ବିଶ୍ୱର ଜଗନ୍ନାଥ ଭକ୍ତଙ୍କ ପାଇଁ ଏହା ଏକ ପବିତ୍ର ଅବସର। ତେଣୁ ଏକ ସୁରକ୍ଷିତ ଓ ସୁଶୃଙ୍ଖଳ ରଥଯାତ୍ରା କେବଳ ପ୍ରଶାସନିକ କର୍ତ୍ତବ୍ୟ ନୁହେଁ, ବରଂ ସମସ୍ତଙ୍କର ନୈତିକ ଦାୟିତ୍ୱ।

ରଥଯାତ୍ରାକୁ ଦୃଷ୍ଟିରେ ରଖି ସୁରକ୍ଷା ଓ ଭିଡ଼ ପରିଚାଳନା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବାବେଳେ ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ଗମନାଗମନ ଓ ଟ୍ରାଫିକ ନିୟନ୍ତ୍ରଣ ସମେତ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଗତ ଦୁଇ ବର୍ଷର ଅଭିଜ୍ଞତାକୁ ଆଧାର କରି ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ସହ ପ୍ରତ୍ୟେକ କାର୍ଯ୍ୟର ନିୟମିତ ମନିଟରିଂ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ମହାପ୍ରଭୁଙ୍କ ନୀତିକାନ୍ତି ସମୟାନୁବର୍ତ୍ତୀ ଭାବେ ସମ୍ପନ୍ନ କରୁଥିବା ସେବକମାନଙ୍କର ସେ ପ୍ରଶଂସା କରିବା ସହ ସଚେତନତା ସୃଷ୍ଟି ପାଇଁ ଗଣମାଧ୍ୟମ, ଡାକବାଜି ଯନ୍ତ୍ର ଓ ସାମାଜିକ ଗଣମାଧ୍ୟମର ଅଧିକ ବ୍ୟବହାର ଉପରେ ଜୋର ଦେଇଥିଲେ। ଏଫ୍‌.ଏମ୍. ରେଡିଓ, ସୋସିଆଲ୍ ମିଡିଆ, ବିଭାଗୀୟ ୱେବସାଇଟ୍ ଓ ଟେଲିଭିଜନ ମାଧ୍ୟମରେ ନୀତିକାନ୍ତି, ଟ୍ରାଫିକ ଓ ଅନ୍ୟାନ୍ୟ ଜରୁରୀ ସୂଚନା ନିୟମିତ ପ୍ରସାରଣ କରାଗଲେ ଅନେକ ସମସ୍ୟାକୁ ଏଡ଼ାଇ ହେବ ବୋଲି ସେ କହିଥିଲେ। ସେହିପରି ଗୁଜବ ପ୍ରଚାରକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ସମସ୍ତ ଭକ୍ତ ଯେପରି ସୁଖଦ ଆଧ୍ୟାତ୍ମିକ ଅନୁଭବ ସହ ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ, ସେଥିରେ ହିଁ ପ୍ରଶାସନର ପ୍ରକୃତ ସଫଳତା ନିହିତ ରହିଛି।

ଏହି ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ‘ରୂପରେଖ–ରଥଯାତ୍ରା ୨୦୨୬’ ପୁସ୍ତିକାର ଉନ୍ମୋଚନ କରାଯାଇଥିଲା।

ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ବରିଷ୍ଠ ମନ୍ତ୍ରୀମାନେ, ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ରଥଯାତ୍ରା ପାଇଁ ସାମଗ୍ରିକ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିବାବେଳେ ପୋଲିସ ମହାନିର୍ଦ୍ଦେଶକ ସୁରକ୍ଷା ବ୍ୟବସ୍ଥାର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ।

You may also like

Leave a Comment