ପୁରୀ: ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା ଅବସରରେ ପୁରୀ ବଡ଼ଦାଣ୍ଡରେ ଏକ ଦୁଃଖଦ ଅଘଟଣ ଘଟିଛି। ଭକ୍ତମାନଙ୍କ ମଧ୍ୟରେ ହୋଇଥିବା ଠେଲାପେଲାରେ ଦୁଇ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ନୀତି ଶେଷ ହେବା ପରେ ଚାରମାଳ ଖୋଲାଯାଇଥିଲା। ଏହାପରେ ହଠାତ୍ ଭକ୍ତଙ୍କ ଭିଡ଼ ବଢ଼ିଯିବାରୁ ବଡ଼ଦାଣ୍ଡରେ ହସ୍ପିଟାଲ୍ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଏକ ଛକ ନିକଟରେ ଠେଲାପେଲା ସୃଷ୍ଟି ହୋଇଥିଲା। ଏହି ସମୟରେ ଜଣେ ପୁରୁଷ ଓ ଜଣେ ମହିଳା ଭକ୍ତ ତଳେ ପଡ଼ିଯାଇଥିଲେ। ସେମାନଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଭକ୍ତମାନେ ମଧ୍ୟ ଭିଡ଼ ମଧ୍ୟରେ ଚାପି ହୋଇଯାଇଥିଲେ, ଫଳରେ ଅନେକେ ଆହତ ହୋଇଥିଲେ।
ଗୁରୁତର ଆହତ ଭକ୍ତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ କଟକ ଜିଲ୍ଲାର ଅନିଳ ଦାସଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟ ଜଣେ ଭକ୍ତଙ୍କ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ତେବେ ଏହି ଘଟଣା ସମ୍ପର୍କରେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।
ଘଟଣା ପରେ ହସ୍ପିଟାଲ୍ ପରିସରରେ ଆହତଙ୍କ ପରିବାର ଓ ସମ୍ପର୍କୀୟଙ୍କ ଭିଡ଼ ଜମିଥିବାବେଳେ ପୁଲିସ ଓ ପ୍ରଶାସନ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି। ସୁରକ୍ଷାକର୍ମୀମାନେ ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ ସହ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୫ ମସିହାର ରଥଯାତ୍ରା ସମୟରେ ମଧ୍ୟ ଦଳାଚକଟା ଘଟଣାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଥିଲେ। ଚଳିତ ବର୍ଷ ପୁଣି ଏଭଳି ଅଘଟଣ ଘଟିବା ପରେ ରଥଯାତ୍ରାରେ ଭିଡ଼ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
