Home Featuredଅଗଷ୍ଟ ୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଜାଣନ୍ତୁ ୩ ଦିନିଆ ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଅଗଷ୍ଟ ୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଜାଣନ୍ତୁ ୩ ଦିନିଆ ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

by Lokanath Panigrahi
0 comments

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାର ତପ୍ତପାଣି ଗସ୍ତ କରିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ ଖସଡ଼ା କାର୍ଯ୍ୟସୂଚୀ ରାଜ୍ୟ ସରକାର ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଛି।

ଖସଡ଼ା କାର୍ଯ୍ୟସୂଚୀ ଅନୁସାରେ, ଅଗଷ୍ଟ ୩ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ ଲୋକସେବା ଭବନରେ ବିଶ୍ରାମ ନେବେ। ପରେ ସେ କଟକରେ ଆୟୋଜିତ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ଅଗଷ୍ଟ ୪ ତାରିଖ ସକାଳେ ରାଷ୍ଟ୍ରପତି ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବେ। ସେଠାରୁ ସଡ଼କ ପଥରେ ତପ୍ତପାଣି ଯାଇ ମା’ କନ୍ଧୁଣୀ ଦେବୀଙ୍କ ମନ୍ଦିରରେ ଦର୍ଶନ କରିବେ। ପରେ ଗୋପାଳପୁରସ୍ଥିତ ସେନାର ଏୟାର ଡିଫେନ୍ସ କଲେଜ କିମ୍ବା ଅନ୍ୟ କୌଣସି ନିର୍ଦ୍ଧାରିତ ସ୍ଥାନରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି।

ଅଗଷ୍ଟ ୫ ତାରିଖରେ ରାଷ୍ଟ୍ରପତି ଗୋପାଳପୁରରୁ ବ୍ରହ୍ମପୁର ରେଳ ଷ୍ଟେସନକୁ ଆସି ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଫେରିବେ। ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର, କଟକ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ, ପୁଲିସ, ରେଳବାଇ ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିବାକୁ କୁହାଯାଇଛି। ସୁରକ୍ଷା ବ୍ୟବସ୍ଥା, ରେଳ ଷ୍ଟେସନ ଓ ଯାତ୍ରାପଥର ପରିଚାଳନା, ଚିକିତ୍ସା ସହାୟତା, ଭୋଜନ, ରାତ୍ରିଯାପନ, ପ୍ରୋଟୋକଲ ଏବଂ ଭିଭିଆଇପି ବ୍ୟବସ୍ଥାକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସବିଶେଷ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ବିଶେଷକରି ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ଟ୍ରେନ୍‌ ଯାତ୍ରାକୁ ନଜରରେ ରଖି ଭୁବନେଶ୍ୱର ଓ ବ୍ରହ୍ମପୁର ରେଳ ଷ୍ଟେସନରେ କଡ଼ା ସୁରକ୍ଷା ବ୍ୟବସ୍ଥା, ପ୍ଲାଟଫର୍ମ ପରିଚାଳନା, ଗ୍ରିନ୍‌ ରୁମ୍‌, ସ୍ୱତନ୍ତ୍ର କୋଚ୍‌, ଭିଭିଆଇପି ଚଳାଚଳ ଏବଂ ରେଳବାଇ ସହ ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଏହା ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ ଖସଡ଼ା କାର୍ଯ୍ୟସୂଚୀ ହୋଇଥିବାରୁ ଅନ୍ତିମ କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ ହୋଇପାରେ।

You may also like

Leave a Comment