Home Odishaଭୁବନେଶ୍ୱରରେ ପୂର୍ବାଞ୍ଚଳ ପୋଲିସ ସମନ୍ୱୟ କମିଟି ବୈଠକ; ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସାଇବର ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱରରେ ପୂର୍ବାଞ୍ଚଳ ପୋଲିସ ସମନ୍ୱୟ କମିଟି ବୈଠକ; ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସାଇବର ସୁରକ୍ଷା ଉପରେ ଗୁରୁତ୍ୱ

by Lokanath Panigrahi
0 comments

ଭୁବନେଶ୍ୱର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ସୋମବାର ଭୁବନେଶ୍ୱରରେ ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC)-୨୦୨୬ର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଆନ୍ତଃରାଜ୍ୟ ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ସାଇବର ଅପରାଧ ରୋକିବା ଓ ରାଜ୍ୟମାନଙ୍କ ମଧ୍ୟରେ ସୁରକ୍ଷା ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଉପରେ ବ୍ୟାପକ ଆଲୋଚନା ହୋଇଛି।

ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡର ପୋଲିସ ମହାନିର୍ଦ୍ଦେଶକଙ୍କ ସମେତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPFs), କେନ୍ଦ୍ରୀୟ ପୋଲିସ ସଂଗଠନ (CPOs) ଏବଂ ବିଭିନ୍ନ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକର ପ୍ରାରମ୍ଭରେ ଡିଜିପି ଶ୍ରୀ ଖୁରାନିଆ ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇଥିଲେ। ଏଭଳି ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସମନ୍ୱୟ ବୈଠକ ଆୟୋଜନର ସୁଯୋଗ ଓଡ଼ିଶାକୁ ମିଳିଥିବାରୁ ସେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ କୃତଜ୍ଞତା ଜଣାଇଥିଲେ।

ନିଜ ଅଭିଭାଷଣରେ ସେ କହିଥିଲେ ଯେ, ସଂଘଟିତ ଅପରାଧ, ସାଇବର ଅପରାଧ, ମାଦକ ଦ୍ରବ୍ୟ ଚୋରାଚାଲାଣ, ମାନବ ଚାଲାଣ ଏବଂ ବାମପନ୍ଥୀ ଉଗ୍ରବାଦ ଭଳି ଚ୍ୟାଲେଞ୍ଜ କୌଣସି ଗୋଟିଏ ରାଜ୍ୟରେ ସୀମିତ ନୁହେଁ। ଏହାର ମୁକାବିଲା ପାଇଁ ରାଜ୍ୟଗୁଡ଼ିକ ମଧ୍ୟରେ ନିରନ୍ତର ଗୁଇନ୍ଦା ସୂଚନା ବିନିମୟ, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ପାରସ୍ପରିକ ବିଶ୍ୱାସ ଓ ମିଳିତ କାର୍ଯ୍ୟପଦ୍ଧତି ଅତ୍ୟନ୍ତ ଆବଶ୍ୟକ।

ଦିନିକିଆ ବୈଠକରେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ପୁନର୍ବାସ, ଆନ୍ତଃରାଜ୍ୟ ନିଶା କାରବାର ବିରୋଧରେ ମିଳିତ ଅଭିଯାନ, ସାଇବର ଅପରାଧ ମୁକାବିଲା ପାଇଁ ତ୍ୱରିତ ସୂଚନା ବିନିମୟ, ଜିରୋ ଏଫ୍‌ଆଇଆର୍‌ର ଶୀଘ୍ର ହସ୍ତାନ୍ତର ଓ ସମୟବଦ୍ଧ ତଦନ୍ତ, ରେଳ ସୁରକ୍ଷା ସୁଦୃଢ଼ୀକରଣ ଏବଂ ବେଆଇନ ଅନୁପ୍ରବେଶ ରୋକିବା ପାଇଁ ସମନ୍ୱିତ କାର୍ଯ୍ୟଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏହାଛଡ଼ା ଆନ୍ତଃରାଜ୍ୟ ଅପରାଧୀଙ୍କ ବିରୋଧରେ ମିଳିତ ଅଭିଯାନ, ରିୟଲ୍-ଟାଇମ୍ ଗୁଇନ୍ଦା ସୂଚନା ବିନିମୟ, ପ୍ରଯୁକ୍ତିଭିତ୍ତିକ ପୋଲିସିଂ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ସମନ୍ୱିତ କାର୍ଯ୍ୟପଦ୍ଧତିକୁ ଆହୁରି ଶକ୍ତିଶାଳୀ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ଭବିଷ୍ୟତରେ ଏଭଳି ସମନ୍ୱୟ ବୈଠକକୁ ନିୟମିତ ବ୍ୟବଧାନରେ ଆୟୋଜନ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ବୈଠକ ଶେଷରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଆଶା ବ୍ୟକ୍ତ କରିଥିଲେ ଯେ, ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଓ ସୁପାରିଶ ପୂର୍ବ ଭାରତରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଆନ୍ତଃରାଜ୍ୟ ଅପରାଧ ନିୟନ୍ତ୍ରଣ ଏବଂ ଜାତୀୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ।

ଏହି ବୈଠକରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର୍‌. ପି. କୋଚେ, ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା, ଅତିରିକ୍ତ ଡିଜି ଅରୁଣ ବୋଥ୍ରା, ଅତିରିକ୍ତ ଡିଜି ପ୍ରତୀକ ମହାନ୍ତିଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment