Home Featuredଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା; ଆଜି ଆଡ଼ପ ଦର୍ଶନର ଶେଷ ଦିନ, ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା; ଆଜି ଆଡ଼ପ ଦର୍ଶନର ଶେଷ ଦିନ, ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

by Lokanath Panigrahi
0 comments

ପୁରୀ: ରଥଯାତ୍ରାର ଶେଷ ପର୍ଯ୍ୟାୟକୁ ନେଇ ପୁରୀରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ହେଉଛି ଆଡ଼ପ ଦର୍ଶନର ଶେଷ ଦିନ। ଏହାକୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳୁ ହିଁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଶରଧାବାଲି ଅଞ୍ଚଳ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଥିବାବେଳେ ଶ୍ରଦ୍ଧାଳୁମାନେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ, ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ନିମନ୍ତେ ଆଜି ସନ୍ଧ୍ୟା ୬ଟା ପରେ ଆଡ଼ପ ଦର୍ଶନ ବନ୍ଦ କରାଯିବ। ଆଜି ଟିକେଟ୍‌ଧାରୀ ଭକ୍ତମାନଙ୍କୁ ଗର୍ଭଗୃହ ପ୍ରବେଶର ଅନୁମତି ରହିବ ନାହିଁ। ତେବେ ସେବକ ପରିବାରର ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ନାକଚଣା ଦ୍ୱାର ଦେଇ ଭକ୍ତମାନେ ଆନନ୍ଦ ବଜାରକୁ ଯାଇପାରିବେ ଏବଂ ରାତି ୧୨ଟା ପର୍ଯ୍ୟନ୍ତ ଆଡ଼ପ ଅବଢ଼ା ଉପଲବ୍ଧ ରହିବ।

ଏପଟେ ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ, ସେବାୟତ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ତିନି ରଥର ଦକ୍ଷିଣମୋଡ଼ ନୀତି ଶେଷ ହୋଇଥିବାବେଳେ ରଥଗୁଡ଼ିକ ବାହୁଡ଼ା ଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ରଥଯାତ୍ରାର ପରବର୍ତ୍ତୀ ନୀତି ଅନୁଯାୟୀ, ୨୫ ତାରିଖରେ ସୁନାବେଶ, ୨୬ ତାରିଖରେ ଅଧରପଣା ନୀତି ଏବଂ ୨୭ ତାରିଖରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ। ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆଡ଼ପ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ କହିଛନ୍ତି ଯେ, ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି। ଶ୍ରୀଜିଉଙ୍କ ଦର୍ଶନ ସହ ବିଶ୍ୱର ଶାନ୍ତି ଓ ସମୃଦ୍ଧି ପାଇଁ ସେମାନେ ପ୍ରାର୍ଥନା କରିଥିବାବେଳେ, ପ୍ରଶାସନ ପକ୍ଷରୁ କରାଯାଇଥିବା ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରଶଂସା କରିଛନ୍ତି।

You may also like

Leave a Comment