Home Featuredନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନାହିଁ; ହାଇକୋର୍ଟରେ ଚାଲିବ ସଦସ୍ୟତା ରଦ୍ଦ ମାମଲା

ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନାହିଁ; ହାଇକୋର୍ଟରେ ଚାଲିବ ସଦସ୍ୟତା ରଦ୍ଦ ମାମଲା

by Lokanath Panigrahi
0 comments

ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କୁ ପୁଣି ଥରେ ଅଦାଲତୀ ଝଟକା ଲାଗିଛି। ତାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଥିବାବେଳେ, ସଦସ୍ୟତା ରଦ୍ଦ ସମ୍ବନ୍ଧୀୟ ନିର୍ବାଚନୀ ମାମଲା ଓଡ଼ିଶା ହାଇକୋର୍ଟରେ ଜାରି ରହିବ। ଏହା ସହ ସୁପ୍ରିମକୋର୍ଟ ହାଇକୋର୍ଟଙ୍କୁ ଏହି ମାମଲାର ଶୁଣାଣି ଛଅ ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ମୂଳ ନିର୍ବାଚନୀ ମକଦ୍ଦମାକୁ ଖାରଜ କରିବାକୁ ଅରୁଣ ସାହୁଙ୍କ ପକ୍ଷରୁ ଦାଖଲ ହୋଇଥିବା ତିନୋଟି ଅନ୍ତରୀଣ ଆବେଦନକୁ ପୂର୍ବରୁ ଓଡ଼ିଶା ହାଇକୋର୍ଟ ଖାରଜ କରିଥିଲେ। ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରାଙ୍କ ଖଣ୍ଡପୀଠ ଏହି ଆବେଦନଗୁଡ଼ିକୁ ଅଗ୍ରାହ୍ୟ କରିଥିଲେ। ସେହିପରି, ମାମଲାର ଅନ୍ୟତମ ପ୍ରତିପକ୍ଷ ହେମନ୍ତ କୁମାର ପୃଷ୍ଟିଙ୍କ ପକ୍ଷରୁ ଦାଖଲ ହୋଇଥିବା ସମାନ ପ୍ରକାରର ଅନ୍ତରୀଣ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଥିଲେ। ପରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ଦାଖଲ କରାଯାଇଥିବା ମୂଳ ନିର୍ବାଚନୀ ମକଦ୍ଦମାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା।

ସମ୍ପତ୍ତି ବିବରଣୀରେ ତଥ୍ୟ ଗୋପନ ଅଭିଯୋଗ

ମାମଲାର ବିବରଣୀ ଅନୁସାରେ, ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ନୟାଗଡ଼ ଆସନରୁ ବିଜୟୀ ହୋଇଥିବା ଅରୁଣ କୁମାର ସାହୁଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ପରାଜିତ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଓଡ଼ିଶା ହାଇକୋର୍ଟରେ ନିର୍ବାଚନୀ ମକଦ୍ଦମା ଦାଖଲ କରିଥିଲେ।

ଆବେଦନରେ ଅଭିଯୋଗ କରାଯାଇଛି ଯେ, ଅରୁଣ ସାହୁ ନିର୍ବାଚନୀ ସତ୍ୟପାଠରେ ନିଜ ସମ୍ପତ୍ତି ସମ୍ପର୍କିତ ସଠିକ ତଥ୍ୟ ଉଲ୍ଲେଖ କରିନଥିଲେ। ଏହା ସହିତ ତାଙ୍କର ନାମାଙ୍କନପତ୍ରକୁ ରିଟର୍ଣ୍ଣିଂ ଅଫିସର ବେଆଇନ ଭାବେ ଗ୍ରହଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

ଏହି ମକଦ୍ଦମାକୁ ଖାରଜ କରିବା ପାଇଁ ଅରୁଣ ସାହୁଙ୍କ ପକ୍ଷରୁ ୨୦୨୪ରେ ତିନୋଟି ଅନ୍ତରୀଣ ଆବେଦନ ଦାଖଲ କରାଯାଇଥିଲା। ସେଥିରେ ନିର୍ବାଚନୀ ଆବେଦନ ଦାଖଲ ସମୟରେ ଆଇନଗତ ପ୍ରକ୍ରିୟା ପାଳନ କରାଯାଇନଥିବା, ଫର୍ମ-୨୫ ସତ୍ୟପାଠ ସଂଲଗ୍ନ ନଥିବା, ଆବଶ୍ୟକ ତଥ୍ୟ ଉଲ୍ଲେଖ ହୋଇନଥିବା ଭଳି ଯୁକ୍ତି ଦର୍ଶାଯାଇଥିଲା।

ଅନ୍ୟପଟେ, ୨୦୨୪ ଡିସେମ୍ବର ୧୧ରେ ହାଇକୋର୍ଟ ହେମନ୍ତ କୁମାର ପୃଷ୍ଟିଙ୍କୁ ମୂଳ ନିର୍ବାଚନୀ ମକଦ୍ଦମାରେ ପ୍ରତିପକ୍ଷ ନମ୍ବର-୨ ଭାବେ ପକ୍ଷଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସମସ୍ତ ଚାରିଟି ଅନ୍ତରୀଣ ଆବେଦନର ଏକତ୍ର ଶୁଣାଣି ଶେଷ ହେବା ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

ଏବେ ସୁପ୍ରିମକୋର୍ଟଙ୍କ ସଦ୍ୟତମ ନିର୍ଦ୍ଦେଶ ପରେ ଏହି ନିର୍ବାଚନୀ ମାମଲାର ଚୂଡ଼ାନ୍ତ ଶୁଣାଣି ଓଡ଼ିଶା ହାଇକୋର୍ଟରେ ଜାରି ରହିବ ଏବଂ ଆସନ୍ତା ଛଅ ମାସ ମଧ୍ୟରେ ଏହାର ନିଷ୍ପତ୍ତି ହେବାର ସମ୍ଭାବନା ରହିଛି।

You may also like

Leave a Comment