୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା, “ନୂଆ ପିଢ଼ି ପାଇଁ ପ୍ରେରଣା” ବୋଲି କହିଲେ ମୋହନ ମାଝୀ
ଭୁବନେଶ୍ୱର, ୨୮ ଜୁଲାଇ: ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍ ସିଜନ-୧୬ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଜ୍ୟୋତିର୍ମୟୀଙ୍କ ଅସାଧାରଣ ସଫଳତାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ଜ୍ୟୋତିର୍ମୟୀ ନିଜର ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ପ୍ରଦର୍ଶନ କରିବା ସହ ପ୍ରତିଯୋଗିତାରେ ସଫଳତା ପଛରେ ଥିବା କଠିନ ପରିଶ୍ରମ, ସାଧନା ଓ ସଂଘର୍ଷର ଅନୁଭୂତି ବାଣ୍ଟିଥିଲେ।
ଜ୍ୟୋତିର୍ମୟୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ, ନିଜର ଅସାଧାରଣ ପ୍ରତିଭା ଏବଂ ଅକ୍ଳାନ୍ତ ସାଧନା ବଳରେ ସେ ଜାତୀୟ ସ୍ତରରେ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ନୂଆ ପିଢ଼ିର କଣ୍ଠଶିଳ୍ପୀଙ୍କ ପାଇଁ ଜ୍ୟୋତିର୍ମୟୀ ଏକ ପ୍ରେରଣା ବୋଲି ସେ ମତ ପ୍ରକାଶ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ଜ୍ୟୋତିର୍ମୟୀ କେବଳ ସଙ୍ଗୀତ କ୍ଷେତ୍ରରେ ନୁହେଁ, ବରଂ ସମାଜସେବାରେ ମଧ୍ୟ ନିଜ ପ୍ରତିଭାର ସଦୁପଯୋଗ କରୁଛନ୍ତି। ରାଜ୍ୟର ବିଭିନ୍ନ କ୍ୟାନ୍ସର ହସ୍ପିଟାଲରେ ସେ ମ୍ୟୁଜିକ୍ ଥେରାପି ମାଧ୍ୟମରେ ରୋଗୀଙ୍କ ମାନସିକ ଯନ୍ତ୍ରଣା ଲାଘବ କରିବାରେ ସହଯୋଗ କରୁଛନ୍ତି। ସଙ୍ଗୀତକୁ ଚିକିତ୍ସା ସେବା ସହ ଯୋଡ଼ିବାର ଏହି ଉଦ୍ୟମ ଭବିଷ୍ୟତରେ ଏକ ନୂଆ ଦିଗ ସୃଷ୍ଟି କରିବ ବୋଲି ସେ କହିଥିଲେ।
ଜ୍ୟୋତିର୍ମୟୀଙ୍କୁ “ଯୁବ ଆଇକନ୍” ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ, ତାଙ୍କ ନିଷ୍ଠା, ପରିଶ୍ରମ ଓ ସେବା ମନୋଭାବ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ଯୁବପିଢ଼ିଙ୍କୁ ପ୍ରେରଣା ଦେବ।
ଏହି ସଫଳତା ଯାତ୍ରାରେ ରାଜ୍ୟବାସୀଙ୍କ ଅକୁଣ୍ଠ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ଜ୍ୟୋତିର୍ମୟୀଙ୍କ ଏହି କୃତିତ୍ୱ କେବଳ ତାଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ।
ଏହି ଅବସରରେ ଜ୍ୟୋତିର୍ମୟୀଙ୍କ ପିତା ଚକ୍ରଧର ନାୟକ ଏବଂ ମାତା ଗୌରୀ ନାୟକ ମଧ୍ୟ ଉପସ୍ଥିତ ଥିଲେ।
