ଆଜିଠୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତର ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସାରା ରାଜ୍ୟରେ ଏବେ ଉତ୍ସାହର ମାହୋଲ ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ୩ ଦିନିଆ ଓଡ଼ିଶା ଗସ୍ତ କାଳରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ।
ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ରାଷ୍ଟ୍ରପତି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ଗସ୍ତର ପ୍ରଥମ ଦିନରେ କଟକ ଅଭିମୁଖେ ଯାତ୍ରା କରିବେ ଏବଂ ସେଠାରେ ‘ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ’ର ଆନୁଷ୍ଠାନିକ ଉଦ୍ଘାଟନ କରିବେ।
ଗସ୍ତର ଦ୍ୱିତୀୟ ଦିନରେ ଏକ ସ୍ୱତନ୍ତ୍ର ଓ ଐତିହାସିକ କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ ଯୋଗେ ଯାତ୍ରା କରିବେ। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ ତପ୍ତପାଣିରେ ପହଞ୍ଚି ସେ ମା’ କନ୍ଧୁଣୀ ଦେବୀ ଏବଂ ବାବା ସୁବର୍ଣ୍ଣେଶ୍ୱର ଶିବ ମନ୍ଦିର ଦର୍ଶନ କରିବେ। ସେଠାରେ ରାଷ୍ଟ୍ରପତିଙ୍କ ଦ୍ୱାରା ମା’ଙ୍କ ସ୍ୱତନ୍ତ୍ର ଆଳତୀ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବ୍ଲୁ-ବୁକ୍ ନିୟମ ଅନୁସାରେ ବ୍ୟାପକ ସୁରକ୍ଷା ପ୍ରସ୍ତୁତି କରାଯାଇଛି। କଟକ, ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ପ୍ରାୟ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଭୁବନେଶ୍ୱର ଏବଂ ବ୍ରହ୍ମପୁର ରେଳଷ୍ଟେସନକୁ ହାଇଆଲର୍ଟରେ ରଖାଯାଇ ବମ୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର ଦ୍ୱାରା କଡ଼ା ଯାଞ୍ଚ କରାଯାଉଛି। ଏହି ସମସ୍ତ କାର୍ଯ୍ୟକ୍ରମ ଶେଷ କରି ଆସନ୍ତା ଅଗଷ୍ଟ ୫ ତାରିଖରେ ମହାମହିମ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
9
