ସମ୍ପ୍ରତି ରାଜ୍ୟରେ ହୋଇଥିବା ବନ୍ୟାରେ ପ୍ରଭାବିତ ପରିବାର ଏବଂ ଚାଷୀଙ୍କୁ ତୁରନ୍ତ ଆର୍ଥିକ ସହଯୋଗ ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ବନ୍ୟାରେ ଘର, ଗୁହାଳ ଓ ଫସଲ କ୍ଷତିଗ୍ରସ୍ତ ହୋଇଥିବା ପରିବାରମାନଙ୍କୁ କ୍ଷତିର ପରିମାଣ ଅନୁଯାୟୀ ସହାୟତା ରାଶି ପ୍ରଦାନ କରାଯିବ।
ଘରବାଡ଼ି କ୍ଷତି ମାମଲାରେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ପକ୍କା ଘର ପାଇଁ ସର୍ବାଧିକ ୧ ଲକ୍ଷ ୨୦ ହଜାର ଟଙ୍କା ସହାୟତା ମିଳିବ। ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬ ହଜାର ୫୦୦ ଟଙ୍କା ଏବଂ କଚ୍ଚା ଘର ପାଇଁ ୪ ହଜାର ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ଛପର ଘର ପାଇଁ ୮ ହଜାର ଟଙ୍କା ଓ କ୍ଷତିଗ୍ରସ୍ତ ଗୁହାଳ ମରାମତି ପାଇଁ ୩ ହଜାର ଟଙ୍କା ସହାୟତା ଦିଆଯିବ।
କୃଷି କ୍ଷେତ୍ରରେ କ୍ଷତି ସହିଥିବା ଚାଷୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଆର୍ଥିକ ସହାୟତା ବ୍ୟବସ୍ଥା କରାଯାଇଛି। ବର୍ଷା ନିର୍ଭରଶୀଳ ଫସଲ କ୍ଷତି ପାଇଁ ହେକ୍ଟର ପିଛା ୮ ହଜାର ୫୦୦ ଟଙ୍କା, ଜଳସେଚିତ ଜମିରେ ଫସଲ କ୍ଷତି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ସହାୟତା ମିଳିବ। ଆମ୍ବ, ନଡ଼ିଆ, କଦଳୀ ଓ ସୁପାରି ଭଳି ବହୁବର୍ଷୀୟ ଉଦ୍ୟାନ ଫସଲ କ୍ଷତିଗ୍ରସ୍ତ ହେଲେ ହେକ୍ଟର ପିଛା ୨୨ ହଜାର ୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ।
ସରକାରଙ୍କ ଏହି ସହାୟତା ପ୍ୟାକେଜ୍ର ଉଦ୍ଦେଶ୍ୟ ହେଉଛି ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ଶୀଘ୍ର ସ୍ୱାଭାବିକ ଜୀବନକୁ ଫେରାଇ ଆଣିବା ସହ ଚାଷୀଙ୍କୁ ପୁନର୍ବାର କୃଷିକାର୍ଯ୍ୟରେ ସହଯୋଗ କରିବା। କ୍ଷତିର ସଠିକ୍ ଆକଳନ ପରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
