ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ରାସ୍ତା ଓ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବା ସହ ଯାତାୟାତ ପ୍ରଭାବିତ ହୋଇଛି।
ମୋରଡା ବ୍ଲକର ବାରିପଦା-ଜଳେଶ୍ୱର ମୁଖ୍ୟ ରାସ୍ତାର ଚିତ୍ରଡା ବନ୍ଧ ଉପରେ ପ୍ରାୟ ୩ ଫୁଟ ଉଚ୍ଚରେ ପାଣି ଚାଲୁଥିବାରୁ ଯାତାୟାତ ବନ୍ଦ ରହିଛି। ସେହିପରି ବାରମାଇଲ-ବାଘଡା ରାସ୍ତାର ମୋହନପୁର ବନ୍ଧ ଉପରେ ମଧ୍ୟ ପ୍ରାୟ ୪ ଫୁଟ ପାଣି ପ୍ରବାହିତ ହେଉଥିବାରୁ ଗମନାଗମନ ଠପ ହୋଇଛି।
ଅନ୍ୟପଟେ, ଶୁଳିଆପଦା ବ୍ଲକର କୋଷ୍ଠା-ଦେଉଳି ରାସ୍ତାର ଝାଲିଆମରା ନିକଟରେ ଥିବା ଏକ ପୋଲ ବର୍ଷା ପାଣିରେ ଧୋଇଯାଇଛି। ପୋଲଟି ପୂର୍ବରୁ ଦୁର୍ବଳ ଅବସ୍ଥାରେ ଥିବା ଜଣାପଡ଼ିଛି। ଏହି ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ ୮ଟି ପଞ୍ଚାୟତର ଲୋକଙ୍କ ଯାତାୟାତ ପ୍ରଭାବିତ ହୋଇଛି।
ସେହିପରି ଜମ୍ଭିରାପାଳ-ସୁରୁକିଖାଳ ଉପରେ ପ୍ରାୟ ୩ ଫୁଟ ପାଣି ଚାଲୁଥିବାରୁ ଧେଙ୍କିଆ ଓ କାଣିମୋହୁଲି ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ରାସଗୋବିନ୍ଦପୁର ବ୍ଲକର ନାକିଚୁଆ, ମାଣିଦା, ଖୁଣ୍ଟାପାଳ ଓ ସାରମୂଳା ପଞ୍ଚାୟତର କିଛି ଅଞ୍ଚଳରେ ବର୍ଷା ପାଣି ପଶିବା ପରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ସ୍ଥିତି ଉପରେ ନଜର ରଖିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ଟିମ୍ ନିୟୋଜିତ ହୋଇଛନ୍ତି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରୁଛନ୍ତି।
ବନ୍ୟାଜଳରେ ଭାସିଯାଇଥିବା ଯୁବକ ଉଦ୍ଧାର
ଏହି ବର୍ଷା ଓ ବନ୍ୟା ସ୍ଥିତି ମଧ୍ୟରେ ବାଙ୍ଗିରିପୋଷି ଅଞ୍ଚଳରେ ଜଣେ ଯୁବକ ବନ୍ୟାଜଳରେ ଭାସିଯାଇଥିଲେ। ୩୦ ବର୍ଷୀୟ ବାଜୁନ ହାଁସଦା ନାଳା ନିକଟରେ ବନ୍ୟା ପାଣି ଦେଖୁଥିବା ବେଳେ ଅସାବଧାନତାବଶତଃ ପାଣିରେ ପଡ଼ିଯାଇଥିଲେ।
ପ୍ରବଳ ସ୍ରୋତରେ ସେ କିଛି ଦୂର ଭାସିଯିବା ପରେ ଏକ ବାଉଁଶକୁ ଧରି ରହିଥିଲେ। ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପ୍ରଶାସନକୁ ଖବର ଦେଇଥିଲେ। ପରେ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ଯାତାୟାତ ସମସ୍ୟା ଦେଖାଦେଇଥିବାରୁ ଲୋକଙ୍କୁ ବନ୍ୟାଜଳ ଓ ପ୍ରଖର ସ୍ରୋତ ନିକଟକୁ ନଯିବାକୁ ସତର୍କ କରାଯାଇଛି।
